ନିର୍ବାଚନ ହାରିବା ପରେ ଇଣ୍ଡି ମେଣ୍ଟ ଆଡକୁ ଢଳିବ କି ବିଜେଡି ?

ନିର୍ବାଚନ ହାରିବା ପରେ ଆଭିମୁଖ୍ୟ ବଦଳାଉଛି ବିଜେଡି। ସମଦୂରତା ଭୁଲି ବିଜେପିର ପ୍ରମୁଖ ବିରୋଧୀ ସାଜିବାକୁ ରଣନୀତି।

BJD

ଗୋଟିଏ ପଟେ ସମଦୂରତା ତ ଅନ୍ୟପଟେ ବିଜେଡି ଭାଗ ହେବା ଭୟ। ଏହାରି ଭିତରେ ବିଜେଡିର ଆଗ୍ରେସିଭ୍ ଆପ୍ରୋଚ୍। ନବୀନଙ୍କ ମନ୍ତ୍ର ହେଲା, କେନ୍ଦ୍ର ଓ ରାଜ୍ୟରେ ଅସ୍ଥିର ସରକାର ଅଛି। ଆମେ ଏକଜୁଟ୍ ହୋଇ ଲଢିବା ଦରକାର। ଯାହାକି ବିଜେଡିର ବିଜେପି ବିରୋଧୀ ଆଭିମୁଖ୍ୟକୁ ସ୍ପଷ୍ଟ କରୁଛି। ଏପରିସ୍ଥଳେ ଦିଲ୍ଲୀ ଦରବାରରେ କେନ୍ଦ୍ର ସରକାର ବିରୋଧରେ ଇଣ୍ଡି ମେଣ୍ଟକୁ ସମର୍ଥନ କରି ବିଜେଡି ନିଜ ଫାଇଦା ହାସଲ ପାଇଁ ରଣନୀତି ପ୍ରସ୍ତୁତ କରିଥିବା ନେଇ ଚର୍ଚ୍ଚା ଜୋର୍ ଧରିଛି।

ନିର୍ବାଚନ ହାରିବା ପରେ ଇଣ୍ଡି ମେଣ୍ଟ ଆଡକୁ ଢଳିବ କି ବିଜେଡି? ସମଦୂରତା ଭୁଲି ସମମିତ୍ରତା ଫଣ୍ଡା ଆପଣାଇବ କି? ଏବେ ରାଜନୈତିକ ମହଲରେ ଏଭଳି ଚର୍ଚ୍ଚା ଜୋର ଧରିଛି। କାରଣ ତିନିଦିନ ତଳେ ନବୀନ ନିବାସରେ ନିଜେ ନବୀନ, କେନ୍ଦ୍ରରେ ସଂଖ୍ୟାଗରିଷ୍ଠତା ନଥିବା ସରକାର ସମ୍ପର୍କରେ କର୍ମୀଙ୍କୁ ବାର୍ତ୍ତା ଦେଇଥିଲେ। ଏପରିକି ରାଜ୍ୟରେ ବିଜେପି ସରକାରର ସଂଖ୍ୟାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି। ତା ସହିତ ବିଜେଡିର ସବୁ କର୍ମୀ ଏକାଠି ରହିବାକୁ ଆହ୍ୱାନ ଦେଇଥିଲେ ନବୀନ।

ସେହିପରି ଗତକାଲି ବିଜେଡିର ରାଜ୍ୟସଭା ସାଂସଦମାନଙ୍କ ବୈଠକ ପରେ ଦଳ ସ୍ପଷ୍ଟ କରିଥିଲା, ଏଥର ଫ୍ଲୋର୍ ନୁହେଁ, ୱେଲ୍ ଅର୍ଥାତ ଗୃହ ମଧ୍ୟଭାଗରେ ଲଢେଇ ହେବ। NDA ସରକାର ବିରୋଧରେ ଜୋରଦାର ଲଢ଼େଇ ପାଇଁ ଦଳ ସଙ୍କେତ ଦେଇଥିଲା। ତେବେ ଏଭଳି ଆଭିମୁଖ୍ୟ କାହିଁକି? କାରଣ, ଏଥର ନିର୍ବାଚନରେ ଲୋକସଭାରେ ଖାତା ଖୋଲିପାରିନି ଦଳ। ଏପଟେ ରାଜ୍ୟରେ ବି କ୍ଷମତା ହରାଇଛି। ତେଣୁ ଦିଲ୍ଲୀ ଦରବାରରେ ସ୍ୱରକୁ ଶାଣିତ କରି ରାଜ୍ୟବାସୀଙ୍କୁ ଦଳର ଆଭିମୁଖ୍ୟ ନେଇ ବଡ ବାର୍ତ୍ତା ଦେବାକୁ ଚାହୁଁଛି ଦଳ। କଂଗ୍ରେସ କହିଛି ନବୀନଙ୍କ ଭଳି ପୋଖତ ରାଜନେତା ଜାଣିଛନ୍ତି ଦିଲ୍ଲୀର ଅସ୍ଥିର ସରକାର ଯେକୌଣସି ସମୟରେ ଯାଇପାରେ। ଯାହାର ପ୍ରଭାବ ରାଜ୍ୟରେ ପଡିବ। ସେଥିପାଇଁ ସେ ଦଳକୁ ଏକାଠି କରୁଛନ୍ତି। ବିଜେପିର ଜବାବ, ଶୂନ ସଂଖ୍ୟାରେ ବିଜେଡି କିଛି ବି କରିପାରିବ ନାହିଁ। ବିଜେଡି କହିଛି, ରାଜ୍ୟ ସ୍ୱାର୍ଥ ପାଇଁ ଲଢେଇ ହେବ ଦିଲ୍ଲୀରେ।

ରାଜ୍ୟରେ ବିଜେଡି ସରକାରରେ ଥିବା ସମୟରେ କେନ୍ଦ୍ରର ବିଜେପି ସରକାରକୁ ଅନେକବାର ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇଥିଲା। ମାତ୍ର ତୃତୀୟ ସାମୁଖ୍ୟ ପ୍ରସଙ୍ଗରେ ଯେତେବେଳେ ବିଦ୍ରୋହୀ ଦଳଗୁଡିକ ନବୀନଙ୍କ ସହଯୋଗ ଲୋଡିଥିଲେ ସେତେବେଳେ କିନ୍ତୁ ନବୀନ ସମଦୂରତା କଥା କହି ପ୍ରସ୍ତାବକୁ ଏଡାଇ ଯାଇଥିଲେ। ଆଉ ଏବେ ପରିବର୍ତ୍ତିତ ପରିସ୍ଥିତିରେ ଦଳ ସମଦୂରତା ନିୟମକୁ ରକ୍ଷା କରିବ ନା ଦିଲ୍ଲୀରେ ସ୍ଥିତି ବଞ୍ଚାଇବା ପାଇଁ ବିରୋଧୀ ମେଣ୍ଟ ଆଡକୁ ଢଳିବ ତାହା ବଡ ପ୍ରଶ୍ନ। ରାଜନୈତିକ ସମୀକ୍ଷକଙ୍କ ମତରେ ବିଜେଡି ବିଧାୟକମାନେ କାଳେ ଦଳ ଛାଡି ଚାଲିଯିବେ ସେଥିଲାଗି ବିଜେପି ବିରୋଧରେ ଲଢେଇକୁ ଦଳ ଜୋରଦାର କରିବାକୁ ଯାଉଛି। ଏହାସହ ଇଣ୍ଡି ମେଣ୍ଟ ସହ ପ୍ରସଙ୍ଗ ଭିତ୍ତିକ ସମର୍ଥନ ଦେଇପାରେ ବିଜେଡି।

ବିଜେଡି ନେତାଙ୍କ ଭିତରେ ଯେ ଅସନ୍ତୋଷ ପ୍ରବଳ ତାହା ଅଛପା ନାହିଁ। ଆଉ ଏହି ଅସନ୍ତୋଷକୁ ପ୍ରଶମିତ ଲାଗି ବିଜେପିକୁ ବିରୋଧ କରାଯିବା ଷ୍ଟ୍ରାଟେଜି କେତେ ଫଳପ୍ରଦ ହେଉଛି ତାଉପରେ ନଜର।

(ରିପୋର୍ଟ- ବରଗଡ଼ରୁ ଧର୍ମଦତ୍ତ ପାଢ଼ୀ)