Dhenkanal
ଢେଙ୍କାନାଳକୁ ନେଇ ଅନେକ ସମୟରେ ଚର୍ଚ୍ଚା ଚାଲେ। ପଞ୍ଚାୟତ ପଲିଟିକ୍ସରେ ଏବେ ଫୋକସରେ ରହିଛି ଏହି ଜିଲ୍ଲା। ଢେଙ୍କାନାଳ ଜିଲ୍ଲାପରିଷଦ ରାଜନୈତିକ ଦୃଷ୍ଟିକୋଣରୁ ଏକ ଗୁରୁତ୍ୱପୂର୍ଣ୍ଣ। ଜିଲ୍ଲା ପରିଷଦରେ ଏବେ ବିଜେଡି ସରକାର ରାଜ କରୁଛି। ଅର୍ଥାତ୍ ମୋଟ୍ ୨୭ଟି ଜୋନ୍ ବିଶିଷ୍ଟ ଏଇ ଜିଲ୍ଲା ପରିଷଦର ଉଭୟ ଅଧ୍ୟକ୍ଷ ଓ ଉପାଧ୍ୟକ୍ଷ ପଦ ବିଜେଡି ହାତରେ ରହିଛି। ୨୦୧୭ରେ ମହିଳାଙ୍କ ପାଇଁ ସଂରକ୍ଷିତ ଥିବା ଏଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ପଦ ପାଇଁ ବିଜେଡିରୁ ମିନତୀ ନାୟକ ମନୋନୀତ ହୋଇଥିଲା ବେଳେ ଉପାଧ୍ୟକ୍ଷ ହୋଇଥିଲେ କୋଦଣ୍ଡଧର ସାହୁ। ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ଗତ ନିର୍ବାଚନରେ ବିଜେଡି ସର୍ବାଧିକ ୧୫ଟି ଜୋନରେ ଜିତିଥିଲା ବେଳେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପିକୁ ମିଳିଥିଲା ୧୨ଟି ସିଟ୍। ଆଉ ଖାତା ବି ଖୋଲି ପାରି ନଥିଲା କଂଗ୍ରେସ। ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୮ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୮ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୨୧୨ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୨୮୮୧ ଅର୍ଥାତ୍ ୨୮୮୧ଟି ଓ୍ୱାର୍ଡର ନେତା ବା ଓ୍ୱାର୍ଡ ସଭ୍ୟ ପଦ ପାଇଁ ବି ହେବ ଭୋଟ୍।
ରେଙ୍ଗାଳି କେନାଲ ଏଥର ଢେଙ୍କାନାଳର ପଂଚାୟତ ନିର୍ବାଚନକୁ ପ୍ରଭାବିତ କଲାଭଳି ପ୍ରମୁଖ ସମସ୍ୟାଟିଏ। ଚାଷୀଙ୍କୁ ହତାଶ କରିଛି କେନାଲ କାମ । କାରଣ, ଅଧପନ୍ତରିଆ ହୋଇପଡି ରହିଛି ଉଭୟ ବାମ ପାଖ ଓ ଦକ୍ଷିଣ ପାର୍ଶ୍ୱ କେନାଲ କାମ। ଚାଷଜମିକୁ ବର୍ଷ ସାରା ପାଣି ଯୋଗାଇବାକୁ ଆରମ୍ଭ ହୋଇଥିଲା ରେଙ୍ଗାଳି କେନାଲ ପ୍ରୋଜେକ୍ଟ। ହେଲେ ପାଣି ଯୋଗାଇବା ତ ଦୂରର କଥା, ଏଯାଏଁ ସଂପୂର୍ଣ୍ଣ ହୋଇପାରିନି ପ୍ରକଳ୍ପ କାମ। ଯେଉଁଠି କାମ ସରିଛି, ସେଠାରେ ଜମିକୁ ପାଣି ମାଡି ପାରୁନି। ଚାଷୀ କହିଛନ୍ତି, ନିର୍ବାଚନ ପରେ ନିର୍ବାଚନ ହେଉଛି, ନିର୍ବାଚିତ ପ୍ରତିନିଧି ବଦଳିଛନ୍ତି, ତଥାପି ସମସ୍ୟା ସୁଧୁରୁନି।
ରାସ୍ତା ସମସ୍ୟା କହିଲେ ନସରେ
ତେବେ ୫୫ ନମ୍ବର ଜାତୀୟ ରାଜପଥ କଟକରୁ ସମ୍ବଲପୁରକୁ ସଂଯୋଗ କରୁଛି। ଢେଙ୍କାନାଳ, ଓଡାପଡା ଓ ହିନ୍ଦୋଳ ବ୍ଳକର ହଜାର ହଜାର ଲୋକ ବ୍ୟବହାର କରୁଥିବା ଏନ୍ଏଚର ସଂପ୍ରସାରଣ କାମ ସରିବାର ନାଁ ନେଉନି। ୨୦୨୧ ମାର୍ଚ୍ଚ ସୁଦ୍ଧା କାମ ସାରିବାକୁ ଆକଳନ କରାଯାଇଥିଲା। ହେଲେ ଏଯାଏଁ ଅଧାକାମ ବି ସରିନି । ସେହିପରି ଯାଜପୁର ଜିଲ୍ଲାର ଡୁବୁରୀରୁ ତାଳଚେରକୁ ସଂଯୋଗ କରୁଥିବା ୫୩ ନମ୍ବର ଜାତୀୟ ରାଜପଥର ବି ସମାନ ସମସ୍ୟା। ଜିଲ୍ଲାର ଭୁବନ, କାମାକ୍ଷାନଗର ଓ ପରଜଙ୍ଗ ବ୍ଳକ୍ ଦେଇ ଯାଇଥିବା ଏହି ଏନ୍ଏଚର ସଂପ୍ରସାରଣ କାମ ବି ମନ୍ଥର ଗତିରେ ଚାଲିଛି।
ପିଇବା ପାଣିର ଘୋର ଅଭାବ
ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଛନ୍ତି ପ୍ରତି ପଂଚାୟତର ମହିଳା। ଘରେ ଘରେ ପିଇବା ପାଣି ଯୋଗାଇଦେବାକୁ ସରକାର ଆରମ୍ଭ କରିଥିଲେ ବସୁଧା ଯୋଜନା। ହେଲେ ଏଠି କେଉଁଠି ଟାଙ୍କି ଥିଲେ ପାଣି ଆସୁନି ତ ଆଉ କେଉଁଠି ଟାଙ୍କିରୁ ଆସୁଥିବା ପାଣି ପିଇବା ଯୋଗ୍ୟ ନୁହେଁ । ଏବେବି ଗାଁ ଗାଁରେ ପିଇବା ପାଣି ପାଇଁ ମାଇଲ୍ ମାଇଲ୍ ଯିବାକୁ ପଡୁଛି ମହିଳାଙ୍କୁ । ଅନେକ, ନଦୀ କୂଳରେ ଚୁଆ ଖୋଳି ପାଣି ସଂଗ୍ରହ କରୁଛନ୍ତି । ରାତି ପାହିଲେ ଲୋକେ ସାମ୍ନା କରୁଥିବା ଏହି ମୌଳିକ ସମସ୍ୟା, ନିର୍ବାଚନରେ ପ୍ରାର୍ଥୀଙ୍କ ପାଇଁ ଅଡୁଆ ସୃଷ୍ଟି କରିପାରେ । ହେଲେ ୨୦୧୭ରେ କାଣ୍ଟେ କା ଟକ୍କର୍ ଥିଲା। ୨୭ରୁ ବିଜେଡି ୧୫, ବିଜେପି ୧୨ ...ହେଲେ ଏଥର କିଏ ମାରିବ ବାଜି ? କାହା ପାଖକୁ ଯିବ ଅଧ୍ୟକ୍ଷ ପଦ? ହାଟ୍ରିକ୍ କରିବ ବିଜେଡି ନା ଖାତା ଖୋଲିବ ବିଜେପି?
ଆଶାୟୀଙ୍କ ସଂଖ୍ୟା ବହୁତ୍ ବେଶି
ସମୟ ଯେତିକି ପାଖଉଛି, ସରଗରମ ହେଉଛି ଢେଙ୍କାନାଳ ନିର୍ବାଚନୀ ପାଣିପାଗ ହେଲେ ଦଳ ଆଉ ନେତାଙ୍କୁ ଅଡ଼ୁଆ ସାଜିଛି। ମାଳମାଳ ଆଶାୟୀଙ୍କ ସଂଖ୍ୟା ରହିଛି। ଢେଙ୍କାନାଳରେ ପଞ୍ଚାୟତ ନିର୍ବାଚନର ଅଙ୍କ ଟିକେ ଅଲଗା ଆଉ ରୋଚକ ବି । କାରଣ ୨୦୧୨କୁ ଛାଡ଼ି ଏଠି ଶାସକ ବିଜେଡିର ପ୍ରଦର୍ଶନ ରାଜ୍ୟର ଅନ୍ୟ ଅଧିକାଂଶ ଜିଲ୍ଲା ଭଳି ନୁହେଁ। ୧୯୯୭ରୁ ଯେବେଠୁ ଢେଙ୍କାନାଳ ଜିଲ୍ଲା ପରିଷଦ ଗଠନ ହେଲା ସେବେ ଠୁ ଲଗାତାର ୩ ଥର କଂଗ୍ରେସ ହାତେଇଥିଲା ଜିଲ୍ଲା ପରିଷଦ ଅଧ୍ୟକ୍ଷ ପଦ । ହେଲେ ଏ ଧାରାରେ ବ୍ରେକ୍ କଷି ୨୦୧୨ ଓ ୨୦୧୭ ଶେଷ ଦୁଇ ନିର୍ବାଚନରେ ବାଜି ମାରିଥିଲା ବିଜେଡି। ଲଗାତର ଦୁଇଥର ଯାକ ଗଢ଼ିଥିଲା ପରିଷଦ। ହେଲେ ଏ ଭିତରେ କିନ୍ତୁ କଂଗ୍ରେସର ଗ୍ରାଫ୍ ଖସିଚାଲିଥିଲା, ବଢ଼ିଥିଲା ବିଜେପିର ପତିଆରା। ଏମିତିକି ୨୦୧୨ରେ ମାତ୍ର ୩ଟି ଜୋନ୍ ଜିତିଥିବା ବିଜେପି ୨୦୧୭ରେ କିନ୍ତୁ ବିଜେଡିକୁ କଡ଼ା ଟକ୍କର ଦେଇ ୧୨ଟି ଜୋନ୍ ଅକ୍ତିଆର କରି ନେଇଥିଲା। ଆଉ ମାତ୍ର ୨ଟି ଜୋନ୍ ଅଧିକ ଜିତି ଅଧ୍ୟକ୍ଷ ପଦରେ ବସିଥିଲେ ବିଜେଡି ପ୍ରାର୍ଥୀ ମିନତୀ ନାୟକ । ହେଲେ ଏଥର କିନ୍ତୁ ସମୀକରଣ ବଦଳାଇବା ଲକ୍ଷ୍ୟରେ ବିଜେପି।
ଟାଣୁଆ ପ୍ରାର୍ଥୀ ଦେଇଛନ୍ତି ତିନିଦଳ
ବିଗତ ତିନିଟି ନିର୍ବାଚନରେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଆସିଛି। ଚଳିତବର୍ଷ ମଧ୍ୟ ଏହା ମହିଳାଙ୍କ ପାଇଁ ସଂରକ୍ଷିତ। ଏଣୁ ଯେଉଁଠି ଯେଉଁଠି ସଂରକ୍ଷଣ ରହିଛି, ଟାଣୁଆ ମହିଳା ପ୍ରାର୍ଥୀ ଦେଇଛନ୍ତି ତିନି ପ୍ରମୁଖ ଦଳ। ତେବେ ବିଜେଡିର ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା ଶଙ୍ଖ ଛାଡ଼ି ପଦ୍ମ ଧରିବା ପରଠୁ ଏ ସମୀକରଣରୁ ଫାଇଦା ଉଠାଇବାକୁ ଆଶା ବାନ୍ଧିଛି ବିଜେପି। ସେପଟେ ପ୍ରଥମେ ନିର୍ଦ୍ଦଳୀୟ ପରେ ବିଜେଡି ଏବଂ ସେଠୁ କଂଗ୍ରେସକୁ ଡେଇଁଥିବା ନେତା ନବୀନ ନନ୍ଦ ନିକଟରେ କଂଗ୍ରେସ ଛାଡ଼ିଛନ୍ତି। ଏବେ ପୁଣି ସେ ନିର୍ଦଳୀୟ। ତେଣୁ ନବୀନ ନନ୍ଦ ଦଳରେ ନରହିବା ଢେଙ୍କାନାଳ ରାଜନୀତିକୁ ଯାହା ପ୍ରଭାବିତ କରୁ ନକରୁ କିନ୍ତୁ ଅସ୍ଥିତ୍ୱ ସଂକଟରେ ଥିବା କଂଗ୍ରେସ ପାଇଁ ଆହୁରି ଘାତକ ସାଜିପାରେ। କାରଣ ୨୦୧୨ରେ ମାତ୍ର ଗୋଟିଏ ଜୋନ୍ ହାତେଇ ଥିବା କଂଗ୍ରେସ ୧୭ରେ ଖାତା ବି ଖୋଲି ପାରି ନଥିଲା। ଅପରପକ୍ଷେ ଢେଙ୍କାନାଳ ରାଜନୀତିରେ କଂଗ୍ରେସର ପତନ ସହ ବିଜେପିର ଉତଥାନ ଶାସକ ବିଜେଡି ପାଇଁ ଗାଦି ବଜାୟ ରଖିବା ଦିଗରେ କଣ୍ଟା ସାଜିପାରେ।
ଢେଙ୍କାନାଳରୁ ରାଜଶ୍ରୀ ଶତପଥୀ, କାମାକ୍ଷାନଗରରୁ ବିଦ୍ୟାଧର ବରାଳାଙ୍କ ରିପୋର୍ଟ
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/Dhenkanal_1642851760.jpg)