Advertisment

ବିଜେପି vs କଂଗ୍ରେସ; ଉଭୟ ଉଭୟଙ୍କ ଗୋହି ଖୋଳିଲେ, ସଫଳତା ବଖାଣିଲେ

ବ୍ଲାକ୍ ପେପର ବନାମ ହ୍ୱାଇଟ୍‌ ପେପର। ବିଜେପି ସରକାର ଆଣିବାକୁ ଥିବା ହ୍ୱାଇଟ୍‌ ପେପରକୁ କାଉଣ୍ଟର କରିବ କଂଗ୍ରେସ। ଲୋକଲୋଚନକୁ କଂଗ୍ରେସ ଆଣିଛି ବ୍ଲାକ୍ ପେପର।

author-image
Manoranjan Behera
White Paper vs Black Paper

White Paper vs Black Paper

ଆଗକୁ ସାଧାରଣ ନିର୍ବାଚନ। ତେଣୁ ସରକାର ଓ ବିରୋଧୀ ଉଭୟେ ସାଧାରଣ ଲୋକଙ୍କ ନିକଟତର ହେବାକୁ ଉଦ୍ୟମ ଜାରି ରଖିଛନ୍ତି। ବିଜେପି ତାର ୧୦ ବର୍ଷର ସମସ୍ତ ସଫଳତାକୁ ଲୋକଙ୍କ ପାଖରେ କିଭଳି ପହଞ୍ଚାଇବ ସେନେଇ ପ୍ରୟାସ କରୁଛି। ଗତ ୧୦ ବର୍ଷର ସରକାରଙ୍କ ସଫଳତା ମନ୍ତ୍ରକୁ ହ୍ୱାଇଟ ପେପରରେ ଦର୍ଶାଇବ ବିଜେପି। ଏଥିପାଇଁ ବଜେଟ ଅଧିବେଶନରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ହ୍ୱାଇଟ ପେପର ଉପସ୍ଥାପନ କରିବ ବୋଲି ସୂଚାଇ ଥିଲେ କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ। ଆଉ ଏପଟେ କେନ୍ଦ୍ରକୁ ମାତ ଦେବାକୁ କଂଗ୍ରେସ ଆଣିଛି ବ୍ଲାକ୍‌ ପେପର।

Advertisment

ବ୍ଲାକ୍ ପେପର ବନାମ ହ୍ୱାଇଟ୍‌ ପେପର। ବିଜେପି ସରକାର ଆଣିବାକୁ ଥିବା ହ୍ୱାଇଟ୍‌ ପେପରକୁ କାଉଣ୍ଟର କରିବ କଂଗ୍ରେସ। ଲୋକଲୋଚନକୁ କଂଗ୍ରେସ ଆଣିଛି ବ୍ଲାକ୍ ପେପର। ଗତ ୧୦ ବର୍ଷ ମଧ୍ୟରେ ମୋଦି ସରକାରଙ୍କ ଅପାରଗତାକୁ ବ୍ଲାକ ପେପରରେ ଦର୍ଶାଇଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ନେତୃତ୍ୱରେ କଂଗ୍ରେସ ଦଶ ସାଲ ଅନ୍ୟାୟ କାଲ ନାଁରେ ବ୍ଲାକ ପେପର ଜାରି କରିଛି। ଖଡଗେ କହିଛନ୍ତି, ମୋଦି ସରକାରଙ୍କ ବିଫଳତାକୁ ଲୋକଲୋଚନକୁ ଆଣିଛି କଂଗ୍ରେସ। ବେକାରୀ, ବେରୋଜଗାର, ଦରଦାମ ବୃଦ୍ଧି, ଚାଷୀ ସମସ୍ୟା ଆଦିକୁ ବ୍ଲାକ୍‌ ପେପରରେ ଦର୍ଶାଇଛି କଂଗ୍ରେସ। ନିଯୁକ୍ତି କ୍ଷେତ୍ରରେ ମୋଦି ସରକାର କିଭଳି ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି, ଏଭଳି ପ୍ରସଙ୍ଗକୁ କିଭଳି କେନ୍ଦ୍ର ସରକାର ଅଣଦେଖା କରୁଛନ୍ତି ତାହାକୁ ଲୋକଙ୍କ ନିକଟରେ ଏହାରି ମାଧ୍ୟମରେ ପହଞ୍ଚାଇବ କଂଗ୍ରେସ। ଅଣ ବିଜେପି ନେତୃତ୍ୱାଧିନ କେରଳ, କର୍ଣ୍ଣାଟକ, ତେଲେଙ୍ଗାନା ଭଳି ରାଜ୍ୟରେ କିଭଳି ଭେଦଭାବ ରଖୁଛି କେନ୍ଦ୍ର, ସେସବୁକୁ ଲୋକଙ୍କୁ ଜଣାଇବ କଂଗ୍ରେସ।

କେନ୍ଦ୍ର ବିଭିନ୍ନ ଅଣ ବିଜେପି ରାଜ୍ୟକୁ ବିଭିନ୍ନ କେନ୍ଦ୍ରୀୟ ଅନୁଦାନରୁ ବଞ୍ଚିତ ରଖିଛି। ବିଭିନ୍ନ ଅଣ ବିଜେପି ରାଜ୍ୟ ପାଇଁ କେନ୍ଦ୍ର ଏକପ୍ରକାର ଷଡଯନ୍ତ୍ର ରଚିଛି ବୋଲି ଅଭିଯୋଗ କରିଛି କଂଗ୍ରେସ। କେନ୍ଦ୍ର ସରକାର ମୁଦ୍ରାସ୍ପିତୀ ନିୟନ୍ତ୍ରଣ କରିପାରୁନାହାନ୍ତି। ତାସହ ଅତ୍ୟାବଶ୍ୟକ ଜିନିଷର ଦର ନିୟନ୍ତ୍ରଣରେ ବି ବିଫଳ ହୋଇଛନ୍ତି। ଚାଷୀଙ୍କୁ ଉଚିତ ପ୍ରାପ୍ୟ ମିଳନି। ବର୍ତ୍ତମାନର କେନ୍ଦ୍ର ସରକାର କେବଳ ଜବାହରଲାଲ ନେହରୁ ଏବଂ ଇନ୍ଦିରା ଗାନ୍ଧୀ ସମୟର ସରକାରଙ୍କ ସହ ମୁଦ୍ରାସ୍ପିତୀ ତୁଳନା କରୁଛନ୍ତି। ହେଲେ ୧୦ ବର୍ଷ ସରକାରରେ ରହି କଣ କରିଛନ୍ତି ମୋଦି ସରକାର ତାର ଜବାବ ଲୋକଙ୍କ ପାଖରେ ରଖନ୍ତୁ ବୋଲି କଂଗ୍ରେସ କହିଛି। ଏପଟେ କଂଗ୍ରେସ ବ୍ଲାକ ପେପର ପ୍ରସଙ୍ଗରେ ଜବାବ ରଖିଛି ବିଜେପି।

Advertisment

ଆଉ ଏପଟେ ହ୍ୱାଇଟ ପେପରରେ ୨୦୧୪ ପରଠୁ ସରକାରଙ୍କ ସପଳତାକୁ ଦର୍ଶାଇବ ବିଜେପି। ଗତ ୧୦ ବର୍ଷ ମଧ୍ୟରେ ଦେଶର ଅର୍ଥନୀତି କିଭଳି ଦ୍ରୁତ ଗତିରେ ପରିବର୍ତ୍ତନ ହୋଇଛି। ଅନେକ ସଂସ୍କାର ମୂଳକ ପଦକ୍ଷେପ ପାଇଁ କିଭଳି ଅର୍ଥନୀତି ସୁଦୃଢ ରହିଛି। ତାହା ମୋଦି ସରକାର ହ୍ୱାଇଟ ପେପରରେ ଦର୍ଶାଇବେ। ଗତ ଫେବୃୟାରୀ ୧ ତାରିଖରେ ବଜେଟ ଅଭିଭାଷଣ ବେଳେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ହ୍ୱାଇଟ ପେପର ନେଇ ଘୋଷଣା କରିଥିଲେ। ୨୦୧୪ ରେ ଦେଶର ସ୍ଥିତି କଣ ଥିଲା, ବର୍ତ୍ତମାନ ସ୍ଥିତିରେ କିଭଳି ପରବର୍ତ୍ତନ ଆସିଛି, ୧୦ ବର୍ଷର ସଫଳତା ବଖାଣିବ ମୋଦି ସରକାର। ଉପା ସରକାର କ୍ଷମତାରୁ ଗଲା ବେଳେ କିଭଳି ଦେଶର ଅର୍ଥନୈତିକ ସ୍ଥିତି ଭୁଷୁଡି ପଡିଥିଲା। ମୋଦି ସରକାର କ୍ଷମତାକୁ ଆସିବା ପରେ ଦେଶର ଅର୍ଥନୈତିକ ସ୍ଥିତି କିଭଳି ମଜଭୁତ ହୋଇଛି । ଏଥିସହ ୨୦୧୪ ପୂର୍ବରୁ ଦେଶର ଆର୍ଥିକ ପରିସ୍ଥିତି କିଭଳି ଭୁଶୁଡି ପଡିଥିଲା, ସେସବୁକ ହ୍ୱାଇଟ ପେପରରେ ଦର୍ଶାଇବ।

BJP Congress
Advertisment
Advertisment