ଚର୍ଚ୍ଚାରେ 'ବିଜେପି ଡିଲ୍' ଖବର, ପୁଣି ପାଣ୍ଡିଆନଙ୍କ ସମର୍ଥନରେ ନବୀନ 

ବିଜେଡିରେ ପୁଣି ପାଣ୍ଡିଆନ ଝଡ଼ । ବିଜେଡି ଭାଙ୍ଗିବାକୁ ଦିଲ୍ଲୀରେ ଡେରା ପକାଇଥିଲେ ପାଣ୍ଡିଆନ । ଏକ ଜାତୀୟ ଗଣମାଧ୍ୟମରେ ପାଣ୍ଡିଆନଙ୍କୁ ନେଇ ବିସ୍ପୋରକ ଖବର ପ୍ରକାଶ ପାଇବା ପରେ ରାଜ୍ୟ ରାଜନୀତିରେ ହଟଚମଟ । 

Naveen Patnaik

ପୁଣି ଚର୍ଚ୍ଚାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଣ୍ଡିଆନ ପ୍ରେମ । ଭିକେ ପାଣ୍ଡିଆନଙ୍କ ସମର୍ଥନରେ ପୁଣି ବାହାରିଲେ ନବୀନ । ଭିକେ ପାଣ୍ଡିଆନଙ୍କୁ ନେଇ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ବିସ୍ଫୋରକ ଖବରକୁ ସଂପୂର୍ଣ୍ଣ ଖଣ୍ଡନ କରିଛନ୍ତି ନବୀନ । ନିଜ ସୋସିଆଲ ମିଡିଆ 'ଏକ୍ସ' ଆକାଉଣ୍ଟରେ ପ୍ରକାଶିତ ଖବରକୁ ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ମାନହାନୀ ସୂଚକ ଓ ବିଭ୍ରାନ୍ତକାରୀ ବୋଲି ଲେଖିଛନ୍ତି ବିଜେଡି ସଭାପତି । ତେବେ ଏଭଳି ବୟାନ ପରେ ଏଠି ସ୍ୱାଭାବିକ ଭାବେ ପ୍ରଶ୍ନ ଉଠୁଛି, ନବୀନ କାହିଁକି ବାର୍ ବାର୍ ପାଣ୍ଡିଆନଙ୍କ ସପକ୍ଷରେ ବାହାରୁଛନ୍ତି। ଏହା ପଛରେ କ’ଣ ରହିଛି କାରଣ ? ଦଳ ଭିତରୁ ପାଣ୍ଡିଆନଙ୍କ ସପକ୍ଷରେ କେହି ବାହାରୁନଥିବା ବେଳେ ନବୀନ କାହିଁକି ବାର୍ ବାର୍ କ୍ଲିନ୍‌ଚିଟ୍ ଦେଉଛନ୍ତି ? 

ନବୀନ ଲେଖିଛନ୍ତି, "ମୁଁ ପୂର୍ବରୁ ମଧ୍ୟ କହିଥିଲି ପାଣ୍ଡିଆନ ରାଜ୍ୟ ଓ ଦଳ ପାଇଁ ନିଷ୍ଠାର ସହ କାମ କରିଛନ୍ତି । ଏହି ଖବର ସଂପୂର୍ଣ୍ଣ ମିଥ୍ୟା, ଉଦ୍ଦେଶ୍ୟ ପ୍ରଣୋଦିତ, ମାନହାନୀ ସୂଚକ ବିଭ୍ରାନ୍ତକାରୀ । ପାଣ୍ଡିଆନ ସଂପୂର୍ଣ୍ଣ ସମର୍ପଣ ମନୋଭାବ, ଦକ୍ଷତା ଓ ନିଷ୍ଠାର ସହ ସେବା କରିଛନ୍ତି । ଏଥିପାଇଁ ସେ ଜଣାଶୁଣା" 

ଇଂରାଜୀ ଖବରକାଗଜରେ ପ୍ରକାଶିତ ଖବର ଅନୁସାରେ, ପାଣ୍ଡିଆନ ବିଜେଡି ଭାଙ୍ଗିବାକୁ  କାଳେ ଦିଲ୍ଲୀରେ ଡେରା ପକାଇଥିଲେ । ବିଜେଡିକୁ ଦୁଇ ଭାଗରେ ଭାଙ୍ଗିଦେଇ ବିଜେପିକୁ ରାଜ୍ୟରେ ବଢ଼ିବାରେ ସହଯୋଗ କରିବା ନେଇ ଯୋଜନା ହୋଇଥିଲା । ଏସବୁ ଜଣେ କେନ୍ଦ୍ରମନ୍ତ୍ରୀଙ୍କ ସହାୟତାରେ ଚାଲିଥିଲା ବୋଲି ଖବର ପ୍ରକାଶ ପାଇଛି । ଖାଲି ଏତିକି ନୁହେଁ, ଏ ଖବର ଜାଣିବା ପରେ କାଳେ ନବୀନ, ବିଜେପି ଶୀର୍ଷ ନେତୃତ୍ୱଙ୍କୁ ଜଣାଇଛନ୍ତି କି ପାଣ୍ଡିଆନଙ୍କୁ ଏସବୁରୁ ଦୂରେଇ ରଖିବାକୁ ।

ନଜର ପକାନ୍ତୁ କ'ଣ ସେହି ବିସ୍ଫୋରକ ଖବର ଯାହା ପାଣ୍ଡିଆନଙ୍କ ସମ୍ପର୍କରେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି ?
 

୧- ପାଣ୍ଡିଆନ ବିଜେପି ସହ ସମ୍ପର୍କରେ ଥିଲେ !

ଇଂରାଜୀ ଦୈନିକ ଖବର କାଗଜରେ ପ୍ରକାଶିତ ଖବର ଅନୁସାରେ, କାଳେ ଭିକେ ପାଣ୍ଡିଆନ ଜଣେ ଏକାଧିକ ବିଭାଗ ଦାୟିତ୍ୱରେ ଥିବା କେନ୍ଦ୍ର ମନ୍ତ୍ରୀଙ୍କ ସହାୟତାରେ  ଅମିତ ଶାହଙ୍କୁ ଭେଟିବାକୁ ଆପଏଣ୍ଟମେଣ୍ଟ ପାଇଁ ଚେଷ୍ଟା କରୁଥିଲେ ।
 

୨- ବିଜେଡି ଭାଙ୍ଗିବାକୁ ଥିଲା ଯୋଜନା

ଇଂରାଜୀ ଖବରକାଗରେ ପ୍ରକାଶିତ ରିପୋର୍ଟରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ପାଣ୍ଡିଆନ ଗତ କିଛି ସପ୍ତାହ ମଧ୍ୟରେ ଏକାଧିକବାର ଦିଲ୍ଲୀ ଗସ୍ତ କରିଥିଲେ ମଧ୍ୟ ଅମିତ ଶାହଙ୍କୁ ଭେଟିବାକୁ ସକ୍ଷମ ହୋଇନଥିଲେ । ବିଜେପି ନେତୃତ୍ୱଙ୍କୁ ସେ ଭରସା ଦେବାକୁ ଚାହୁଁଥିଲେ ଯେ, ସେ ବିଜେପିକୁ ଦୁଇ ଭାଗରେ ଭାଙ୍ଗିଦେବା ସହ ଓଡ଼ିଶାରେ ବିଜେପିକୁ ବଢ଼ିବାରେ ସହାୟତା କରିବେ ।  
 

୩- ଓଡ଼ିଶାରେ ବିଜେପିକୁ ବଢ଼ାଇବା ଥିଲା ଯୋଜନା

କେବଳ ସେତିକି ନୁହେଁ ରିପୋର୍ଟରେ ଆହୁରି ମଧ୍ୟ ଲେଖାଯାଇଛି ଯେ, ଓଡ଼ିଶାରେ ବିଜେପି ତାର ସପୋର୍ଟ ବେସକୁ ବୃଦ୍ଧି କରିବାକୁ ସହାୟତା କରିବେ ।
 

୪- ଜାଣିପାରିଥିଲେ ନବୀନ

ପ୍ରକାଶିତ ରିପୋର୍ଟରେ ଏହା ମଧ୍ୟ ଲେଖାଯାଇଛି ଯେ, ନବୀନ ଏକଥା ଜାଣିପାରିଥିଲେ ଓ ବିଜେପି ନେତୃତ୍ୱଙ୍କ ସହ କଥା ହୋଇଥିଲେ । ପାଣ୍ଡିଆନଙ୍କୁ ଦୂରେଇ ରଖିବାକୁ କଥା ହୋଇଥିଲେ ନବୀନ । ଏଭଳି କଲେ ରାଜ୍ୟସଭା ଓ ରାଷ୍ଟ୍ରପତି ନିର୍ବାଚନରେ ବିଜେଡି ସମର୍ଥନ କରିବ କହିଥିଲେ  ।

ତେବେ ଏହା ପ୍ରଥମ ଥର ନୁହେଁ ଯେ, ପାଣ୍ଡିଆନଙ୍କ ସମର୍ଥନରେ ନବୀନ ଯୁକ୍ତି ବାଢ଼ିଛନ୍ତି । ସଦ୍ୟ ସମାପ୍ତ ବିଧାନସଭା ଓ ଲୋକସଭା ନିର୍ବାଚନରେ ଶୋଚନୀୟ ପରାଜୟ ପରେ ମଧ୍ୟ ପାଣ୍ଡିଆନଙ୍କୁ କ୍ଲିନଚିଟ୍ ଦେଇଥିଲେ ବିଜେଡି ସୁପ୍ରିମୋ । ତେବେ ପାଣ୍ଡିଆନଙ୍କୁ ନେଇ ଜାତୀୟ ଗଣମାଧ୍ୟମରେ ବିସ୍ଫୋରକ ରିପୋର୍ଟ ପ୍ରକାଶ ପାଇବା ପରେ ଓ ନବୀନଙ୍କ ପ୍ରତିକ୍ରିୟା ପରେ ବିଜେପିକୁ କ’ଣ ବିଜେଡିର ସହାୟତା ଆବଶ୍ୟକ କି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଲାଣି ।