ହରିୟାଣା ନିର୍ବାଚନରେ ଏଣ୍ଟ୍ରି ମାରିଲେ ସେହୱାଗ, କଂଗ୍ରେସର ପ୍ରାର୍ଥୀଙ୍କ ପାଇଁ କଲେ ପ୍ରଚାର

ନିର୍ବାଚନ ପ୍ରଚାର ସମୟରେ ସେହୱାଗ ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଆସିଛନ୍ତି । ଯେତେବେଳେ ଜଣେ ବଡ଼ ଭାଇ କିଛି କାମ କରନ୍ତି, ସମସ୍ତଙ୍କୁ ଏକାଠି ହୋଇ ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ’ ।

Virendra Sehwag

୫ ଅକ୍ଟୋବରରେ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ଭୋଟ୍‌ ଗ୍ରହଣ ହେବ । ଅର୍ଥାତ ଗୁରୁବାର ନିର୍ବାଚନ ପ୍ରଚାରର ଶେଷ ଦିନ । ଗୁରୁବାର ସନ୍ଧ୍ୟା ୬ଟାରେ ନିର୍ବାଚନ ପ୍ରଚାର ଶେଷ ହେବ । ତେବେ ଶେଷ ମୁହୂର୍ତ୍ତରେ ସବୁ ଦଳର ପ୍ରାର୍ଥୀ ତାଙ୍କ ପ୍ରଚାର ପ୍ରସାରକୁ ଜୋରଦାର କରିଛନ୍ତି । ଷ୍ଟାର୍‌ ପ୍ରଚାରକମାନେ ମଧ୍ୟ ଦଳୀୟ ପ୍ରାର୍ଥୀଙ୍କୁ ଭୋଟ୍‌ ଦେବା ପାଇଁ ଲୋକଙ୍କ ନିବେଦନ କରୁଛନ୍ତି । ଏହି କ୍ରମରେ ପୂର୍ବତନ କ୍ରିକେଟର ବୀରେନ୍ଦ୍ର ସେହୱାଗ୍‌ ବୁଧବାର ହରିୟାଣାର ତୋଶାମରେ ପ୍ରଚାର କରିଥିଲେ । ସେ କଂଗ୍ରେସ ପ୍ରାର୍ଥୀ ଅନିରୁଦ୍ଧ ଚୌଧୁରୀଙ୍କ ପାଇଁ ଭୋଟ୍‌ ମାଗିଥିଲେ ।

ନିର୍ବାଚନ ପ୍ରଚାର ସମୟରେ ସେହୱାଗ ଏକ ଜାତୀୟ ଗଣମାଧ୍ୟମରେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ‘ସେ ନିଜ କର୍ତ୍ତବ୍ୟ ପାଳନ କରିବାକୁ ଆସିଛନ୍ତି । ଯେତେବେଳେ ଜଣେ ବଡ଼ ଭାଇ କିଛି କାମ କରନ୍ତି, ସମସ୍ତଙ୍କୁ ଏକାଠି ହୋଇ ତାଙ୍କୁ ସାହାଯ୍ୟ କରିବାକୁ ପଡ଼ିବ’ । ଅନିରୁଦ୍ଧ ଚୌଧୁରୀ କହିଛନ୍ତି, ‘ସାଧାରଣତଃ କ୍ରିକେଟରମାନେ ନିର୍ବାଚନ ପ୍ରଚାର ପାଇଁ ଯାଆନ୍ତି ନାହିଁ, କିନ୍ତୁ ବୀରେନ୍ଦ୍ର ସେହୱାଗ ସର୍ବଦା ଆସନ୍ତି, ମୋତେ କଦାପି କହିବାକୁ ପଡ଼େ ନାହିଁ । ବୀରୁ ମୋ ପାଇଁ ପ୍ରଚାର କରିବାକୁ ଆସିଥିବାରୁ ମୁଁ ତାଙ୍କ ନିକଟରେ କୃତଜ୍ଞ’।

ସେହୱାଗ କହିଛନ୍ତି ଯେ ଅନିରୁଦ୍ଧ ଚୌଧୁରୀ ନିଶ୍ଚିତ ଭାବରେ ଜନସାଧାରଣଙ୍କୁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବେ । କାରଣ ପ୍ରଶାସନ ଚଳାଇବାରେ ତାଙ୍କର ଅଭିଜ୍ଞତା ଅଛି । ସେ କହିଛନ୍ତି ଯେ ମୁଁ ତୋଶାମର ଲୋକଙ୍କୁ ନିଶ୍ଚିତ କରିପାରେ ଯେ ଯଦି ସେ ବିଜୟୀ ହେବେ ତେବେ ସେ ଆପଣଙ୍କୁ ନିରାଶ କରିବେ ନାହିଁ ।

ସୂଚନା ଅନୁସାରେ ତୋଶାନ ବିଧାନସଭା ଆସନରେ ଚଳିତ ଥର ଦେଖିବାକୁ ମିଳୁଛି ରୋଚକ ଲଢ଼େଇ । ଏହି ଆସନରେ ଭାଇ-ଭଉଣୀଙ୍କ ମଧ୍ୟରେ କଡ଼ା ମୁକାବିଲା ହୋଇଥିବା ଦେଖିବାକୁ ମିଳୁଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ବଂସୀଲାଲଙ୍କ ନାତୁଣୀ ଶ୍ରୁତି ଚୌଧୁରୀ ଏବଂ ନାତି ଅନିରୁଦ୍ଧ ଚୌଧୁରୀଙ୍କ ମଧ୍ୟରେ ଲଢ଼େଇ ହେଉଛି । ଶ୍ରୁତି ଚୌଧୁରୀ, ଅନିରୁଦ୍ଧ ଚୌଧୁରୀ ସମ୍ପର୍କୀୟ ଭଉଣୀ । ଶ୍ରୁତି କିରଣ ଚୌଧୁରୀଙ୍କ ଝିଅ ହୋଇଥିବାବେଳେ ଅନିରୁଦ୍ଧ ଚୌଧୁରୀ ବିସିସିଆଇର ପୂର୍ବତନ ସଭାପତି ରଣବୀର ସିଂ ମହେନ୍ଦ୍ରଙ୍କ ପୁଅ ।