ଲୁହ ଛଳ ଛଳ ଆଖି, ନିର୍ଯାତନାର ବେଦନାରେ ଛଟପଟ ମନ ଆଉ ପ୍ରାଣ ! ନିସ୍ତବ୍ଧ ହୋଇପଡ଼ିଛି ଢ଼ିଙ୍କିଆ

ଭୟ ଆଉ ଆତଙ୍କରେ ଥରହର ଢିଙ୍କିଆ । ଯୁଆଡ଼େ ଚାହିଁବେ ଶୂନଶାନ୍ । ପଇଁତରା ମାରୁଛି ପୋଲିସ । ହାତରେ ଲାଠି ଧରି ଢିଙ୍କିଆ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲିଛନ୍ତି ଫୋର୍ସ । ଅଧିକାଂଶଙ୍କ ଘରେ ତାଲା ଝୁଲୁଛି ।

Dhinkia

ଲୁହ ଛଳ ଛଳ ଆଖି । ନିର୍ଯାତନାର ବେଦନାରେ ଛଟପଟ ମନ ଆଉ ପ୍ରାଣ । ନା ପେଟକୁ ଦିମୁଠା ଦାନା ଯୋଗାଡ଼ କରିପାରୁଛନ୍ତି ନା ବୟସର ଅପରାହ୍ନରେ ମନରେ ଟିକିଏ ଶାନ୍ତି ପାଇପାରୁଛନ୍ତି । ଗତକାଲି ପୋଲିସ ଯେଉଁ ଉଗ୍ରରୂପ ଦେଖାଇଥିଲା ଢିଙ୍କିଆରେ, ତାର ପ୍ରତିଟି ଦୃଶ୍ୟ ଆଜି ନାଚିଯାଉଛି ତାଙ୍କ ଆଖି ସାମ୍ନାରେ ।

ଭୟ ଆଉ ଆତଙ୍କରେ ଥରହର ଢିଙ୍କିଆ । ଯୁଆଡ଼େ ଚାହିଁବେ ଶୂନଶାନ୍ । ପଇଁତରା ମାରୁଛି ପୋଲିସ । ହାତରେ ଲାଠି ଧରି ଢିଙ୍କିଆ ଗାଁର ଏମୁଣ୍ଡରୁ ସେ ମୁଣ୍ଡ ଘୁରିବୁଲିଛନ୍ତି ଫୋର୍ସ । ଅଧିକାଂଶଙ୍କ ଘରେ ତାଲା ଝୁଲୁଛି । ବାବା ଆଖଣ୍ଡଳମଣିଙ୍କ ମନ୍ଦିର ଏବଂ ଫୁଲଖାଇ ଠାକୁରାଣୀ ମନ୍ଦିରରେ ତାଟି କବାଟ ପଡ଼ିଯାଇଛି । କାହା ଘରେ ଚୁଲି ଜଳୁନି ତ ଆଉ କିଏ ଅନାଇ ରହିଛନ୍ତି ଆତ୍ମୀୟ ସ୍ୱଜନଙ୍କ ଫେରିବା ବାଟକୁ । ତାହାରି ଭିତରେ ଯେଉଁ କିଛି ଲୋକ ରହିଯାଇଛନ୍ତି ଗାଁରେ, ତାଙ୍କର କେବଳ ଏଭଳି ବିକଳ ଚାହାଣୀ, ଜୀବନ ଆଉ ଜୀବିକା ପାଇଁ ନୀରବ ନିବେଦନ ।

ଗତକାଲି ପୋଲିସ-ପବ୍ଲିକ ସଂଘର୍ଷ ଭିତରେ ରଣକ୍ଷେତ୍ର ପାଲଟିଯାଇଥିଲା ଢିଙ୍କିଆ ଗାଁ । ନିଜ ନିଜର ପାନବରଜ ସୁରକ୍ଷା ପାଇଁ ଯିବାବେଳେ ଲୋକଙ୍କୁ ଏଭଳି ଗୋଡ଼ାଇ ଗୋଡ଼ାଇ ପ୍ରହାର କରିଥିଲା ପୋଲିସ ଫୋର୍ସ । ପିଲାଠୁ ବୟସ୍କ, ପୁରୁଷଠୁ ମହିଳା । କେହି ବି ବର୍ତ୍ତିନଥିଲେ ପୋଲିସର କାର୍ଯ୍ୟାନୁଷ୍ଠାନରୁ । ହେଲେ ଆଜି କିନ୍ତୁ ଜନଶୂନ୍ୟ ହୋଇପଡ଼ିଛି ଇଲାକା । ପୋଲିସ ଭୟରେ କାଲିଠୁ କିଏ କୁଆଡ଼େ ଯାଇଛନ୍ତି ପତ୍ତା ମିଳୁନି । କିଛି ଲୋକ ପାଣି, କାଦୁଅରେ ପାରି ହୋଇ ଲୁଚିରହିଛନ୍ତି ଗାଁଠୁ କିଛି ଦୂରରେ ।

 

ଇତିମଧ୍ୟରେ JSW ବିରୋଧୀ ଆନ୍ଦୋଳନର ନେତୃତ୍ୱ ନେଇଥିବା ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ସ୍ୱାଇଁଙ୍କ ସହ ୬ ଜଣଙ୍କୁ ଗିରଫ ପରେ କୋର୍ଟଚାଲାଣ କରିଛି ପୋଲିସ । ଏହି ଘଟଣା ପରେ ଆଜି ଗ୍ରାଉଣ୍ଡ ଜିରୋକୁ ଯାଇଥିଲେ ସଂଯୁକ୍ତ କିଷାନ ମୋର୍ଚ୍ଚାର କିଛି ସଦସ୍ୟ । ଯାହାଙ୍କୁ ତ୍ରିଲୋଚନପୁର ଗାଁ ମୁଣ୍ଡରେ ଅଟକାଇ ଥିଲେ କିଛି କମ୍ପାନୀ ସମର୍ଥକ । ଏପରିକି ଧମକ ଚମକ ବି ଦେଇଥିଲେ । ଯାହାକୁ ନେଇ ଅଭୟ ଚାନ୍ଦପୁର ଥାନାରେ ଏତଲା ଦେବା ସହ ଢିଙ୍କିଆ ଯିବାକୁ ଅନୁମତି ଦାବି କରିଛନ୍ତି । ବିଜେପିର ଏକ ଟିମ୍ ମଧ୍ୟ ଢିଙ୍କିଆ ଯାଇ ସ୍ଥିତି ଅନୁଧ୍ୟାନ କରିଛି । ବିଜେପି ଟିମ୍ ଆଗରେ ନିଜର ଦୁଃଖ ବଖାଣିଛନ୍ତି ଲୋକେ । ସେପଟେ ପୋଲିସର ଦମନଲୀଳାକୁ ବ୍ରହ୍ମପୁରରେ ପ୍ରତିବାଦ କରିଛି କିଷାନ ମଜଦୂର ସଂଘ ।