ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ

ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।

CM Naveen Patnaik

୭୮ ବର୍ଷରେ ନବୀନ ପଟ୍ଟନାୟକ। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜନ୍ମଦିନ । ଗତ ମାସରେ ବଡ଼ ଭଉଣୀ ଗୀତା ମେହେଟାଙ୍କ ପରଲୋକ ଘଟିଥିବାରୁ ମୁଖ୍ୟମନ୍ତ୍ରୀ ଚଳିତ ବର୍ଷ ଜନ୍ମଦିନ ପାଳନ କରିବେ ନାହିଁ ।

ମୁଖ୍ୟମନ୍ତ୍ରୀଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବାକୁ କେହି ନବୀନ ନିବାସକୁ ନଆସିବା ପାଇଁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଥିବା CMO ପକ୍ଷରୁ ସୂଚନା ଦିଆଯାଇଛି । କେବଳ ଏଥର ନୁହେଁ, ନିଜ ଜନ୍ମ ଦିନକୁ ସବୁବେଳେ ନିରାଡମ୍ୱର ଭାବେ ପାଳନ କରିଥାନ୍ତି ନବୀନ ।

ବାପା ବିଜୁ ପଟ୍ଟନାୟକଙ୍କ ବିୟୋଗ ପରେ ନବୀନ ପଟ୍ଟନାୟକ ରାଜନୀତିକୁ ଆସିଥିଲେ । ଆଗରୁ ରାଜନୀତିର କୌଣସି ଅଭିଜ୍ଞତା ନ ଥାଇ ମଧ୍ୟ ୫ଥର ମୁଖ୍ୟମନ୍ତ୍ରୀ ହୋଇ ସେ ରେକର୍ଡ କରିଛନ୍ତି ।

ନିଜ ରାଜନୈତିକ ପ୍ରତିଦ୍ୱନ୍ଦ୍ୱୀଙ୍କୁ ଚକ୍‌ମା ଦେବାରେ ନବୀନ ପଟ୍ଟନାୟକ ଯେତିକି ଦକ୍ଷ ସେମିତି କଠୋର ନିଷ୍ପତ୍ତି ନେଇ ବିଦ୍ରୋହୀଙ୍କୁ ସଜାଡ଼ିବାରେ ମଧ୍ୟ ସେ ସେତିକି ପାରଙ୍ଗମ । ତେବେ ୨୪ ନିର୍ବାଚନ ତାଙ୍କ ପାଇଁ ସେତେଟା ସହଜ ହୋଇନପାରେ ବୋଲି ଚର୍ଚ୍ଚା ହେଉଛି ।  

ନିର୍ବାଚନୀ ବର୍ଷ ନବୀନଙ୍କ ପାଇଁ ବେଶ୍ ଚାଲେଞ୍ଜିଂ ରହିବ । ପ୍ରମୁଖ ବିରୋଧୀ ବିଜେପି ଫୋକସରେ ପୂର୍ବ ଭାରତ ରହିଛି । ଯେଉଁଥିପାଇଁ ଓଡ଼ିଶାରେ ବିଜେପି ଧୀରେ ଧୀରେ କାୟା ବିସ୍ତାର କରୁଛି । ଅନ୍ୟପକ୍ଷେ, ବିରୋଧୀ ଅପେକ୍ଷା ବିଦ୍ରୋହୀଙ୍କୁ ମ୍ୟାନେଜ କରିବା ବିଜେଡି ପାଇଁ କାଠିକର ପାଠ ହେବ ।

୧୯୯୭ରୁ ଆଜି ଯାଏ ଦଳ ଯେତିକି ନିଜ କଳେବର ବୃଦ୍ଧି କରିଛି ସେତିକି ଆଶାୟୀ ବି ଦଳ ପାଇଁ କଣ୍ଟା ସାଜିଲେଣି । ପ୍ରତିଦିନ ଆଶାୟୀଙ୍କ ଭିତରେ ଛକା ପଞ୍ଝା ଦେଖିବାକୁ ମିଳୁଛି । ସେହିପରି ଦଳ ଏଥର ନୂଆ ଓ ମହିଳା ଚେହେରାଙ୍କୁ ଅଧିକ ଗୁରୁତ୍ୱ ଦେଇପାରେ । ଏପରି ହେଲେ ଅନେକଙ୍କ ଟିକେଟ୍‌ ବି କଟିପାରେ । ଏହାକୁ କିପରି ଦଳ ସମ୍ଭାଳିବ ତାହା ଦଳପତି ହିସାବରେ ନବୀନଙ୍କ ପାଇଁ ବଡ ଆହ୍ୱାନ ।