କାଲି ଦ୍ୱିତୀୟ ପର୍ଯ୍ୟାୟ ମତଦାନ, ଜାଣନ୍ତୁ କେଉଁଠୁ କେଉଁମାନେ ରହିଛନ୍ତି ହେଭିୱେଟ୍ ପ୍ରାର୍ଥୀ

ରାତି ପାହିଲେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ ଆସନରେ ପଡିବ ଭୋଟ୍ । କେରଳର ସମସ୍ତ ୨୦ଟି ଯାକ ସିଟରେ କାଲି ଭୋଟ୍ ହେବ ।

Election

ରାତି ପାହିଲେ ଲୋକସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ମତଦାନ । ଏହି ପର୍ଯ୍ୟାୟରେ ୧୩ଟି ରାଜ୍ୟର ୮୯ ଆସନରେ ପଡିବ ଭୋଟ୍ । କେରଳର ସମସ୍ତ ୨୦ଟି ଯାକ ସିଟରେ କାଲି ଭୋଟ୍ ହେବ । ନିର୍ବାଚନ ପାଇଁ ପୋଲିଂ କର୍ମଚାରୀ ମାନେ ପୋଲିଂ ଷ୍ଟେସନ ପହଞ୍ଚିବା ଆରମ୍ଭ କରିଛନ୍ତି । ନିର୍ବାଚନ କମିଶନଙ୍କ ପକ୍ଷରୁ ସେମାନଙ୍କ ପାଇଁ ସବୁ ବ୍ୟବସ୍ଥା କରାଯାଇଛି ।

ଶୁକ୍ରବାର ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍ । ୧୨୦୬ ପ୍ରାର୍ଥୀଙ୍କର ହେବ ଭାଗ୍ୟ ନିର୍ଦ୍ଧାରଣ । ୧୩ ରାଜ୍ୟର ୮୯ ଆସନରେ ପଡିବ ଭୋଟ୍ । ଦ୍ୱିତୀୟ ପର୍ଯ୍ୟାୟରେ କେରଳର ସମସ୍ତ ୨୦ଟି ଯାକ ସିଟରେ ହେବ ମତଦାନ । କର୍ଣ୍ଣାଟକର ୧୪, ରାଜସ୍ଥାନର ୧୩, ଉତ୍ତରପ୍ରଦେଶର ୮, ମହାରାଷ୍ଟ୍ରର ୮, ମଧ୍ୟପ୍ରଦେଶର ୭, ବିହାରର ୫, ଆସାମର ୫, ଛତିଶଗଡ଼ର ୩, ପଶ୍ଚିମବଙ୍ଗର ୩ ଏବଂ ମଣିପୁର, ତ୍ରିପୁରା ଓ ଜାମ୍ମୁ କାଶ୍ମୀରର ଗୋଟିଏ ଲେଖାଏଁ ଆସନ ପାଇଁ ହେବ ମତଦାନ ।

ଜାଣନ୍ତୁ ଦ୍ୱିତୀୟ ପର୍ଯ୍ୟାୟରେ କେଉଁମାନେ ରହିଛନ୍ତି ହେଭିୱେଟ୍ ପ୍ରାର୍ଥୀ ।...

ରାହୁଲ ଗାନ୍ଧୀ

୨୦୧୯ରେ କେରଳ ୱାୟନାଡରୁ ୪ ଲକ୍ଷରୁ ଅଧିକ ଭୋଟ ବ୍ୟବଧାନରେ ଜିତିଥିବା ରାହୁଲ ଏଥର ବି ପ୍ରାର୍ଥୀ ହୋଇଛନ୍ତି । ତାଙ୍କୁ ଟକ୍କର ଦେବାକୁ କେରଳ ବିଜେପି ସଭାପତି କେ. ସୁରେନ୍ଦ୍ରନଙ୍କୁ ପ୍ରାର୍ଥୀ କରିଛି ବିଜେପି । ସେହିପରି ସିପିଆଇର ଆନି ରାଜାଙ୍କଠୁ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହେବେ ରାହୁଲ ।

ଶଶି ଥରୁର

କେରଳ ତିରୁଅନନ୍ତପୁରମରୁ ହେଭିୱେଟ୍ ଶଶି ଥରୁରଙ୍କୁ ଟିକେଟ୍ ଦେଇଛି କଂଗ୍ରେସ । ତାଙ୍କ ବିପକ୍ଷରେ ବିଜେପିରୁ ପ୍ରାର୍ଥୀ ହୋଇଛନ୍ତି କେନ୍ଦ୍ର ଆଇଟି ମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର ।

ଓମ୍ ବିର୍ଲା

ରାଜସ୍ଥାନର କୋଟା ସିଟରୁ ଲୋକସଭା ବାଚସ୍ପତି ଓମ୍ ବିର୍ଲା ହୋଇଛନ୍ତି ପ୍ରାର୍ଥୀ । ଏହି ସିଟରୁ ଲଗାତର ୨ଥର ଜିତିଥିବା ଓମ୍ ବିର୍ଲା ଏଥର ଜିତି ହ୍ୟାଟ୍ରିକ୍ ପାଇଁ ଲକ୍ଷ୍ୟ ରଖିଛନ୍ତି ।

ଭୂପେଶ ବଘେଲ

ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ରାଜନନ୍ଦଗାଓଁରୁ କଂଗ୍ରେସ ପ୍ରାର୍ଥୀ ହୋଇଥିବା ବେଳେ ତାଙ୍କୁ ଟକ୍କର ଦେଉଛନ୍ତି ବର୍ତ୍ତମାନର ବିଜେପି ସାଂସଦ ସନ୍ତୋଷ ପାଣ୍ଡେ । ଯଦିଓ ବିଜେପି ସୁବିଧାଜନକ ସ୍ଥିତିରେ ରହିଛି, କିନ୍ତୁ କଡ଼ା ଟକ୍କର ଦେବେ ବଘେଲ ।

ଅରୁଣ ଗୋଭିଲ୍

ଉତ୍ତରପ୍ରଦେଶ ମିରଟରୁ ବିଜେପି ଟିକେଟରେ ଭାଗ୍ୟ ପରୀକ୍ଷା କରୁଛନ୍ତି ରାମାୟଣରେ ପ୍ରଭୁ ରାମଚନ୍ଦ୍ରଙ୍କ ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ଅରୁଣ ଗୋଭିଲ୍ ।

ହେମାମାଳିନୀ

ଅଭିନେତ୍ରୀରୁ ରାଜନେତା ବନିଥିବା ଡ୍ରିମ ଗାର୍ଲ ହେମାମାଳିନୀ ପୁଣିଥରେ ମଥୁରାରୁ ଟିକେଟ୍ ପାଇଛନ୍ତି ।

ସେହିପରି ବେଙ୍ଗାଲୁରୁ ସାଉଥରୁ ବିଜେପିର ତେଜସ୍ୱୀ ସୂର୍ଯ୍ୟ ଏବଂ କର୍ଣ୍ଣାଟକର ମାଣ୍ଡ୍ୟାରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ.ଡି. କୁମାରସ୍ୱାମୀ ଲଢୁଛନ୍ତି । ଏଥର କୁମାରସ୍ୱାମୀଙ୍କ ଜେଡିଏସ୍ ବିଜେପି ସହ ମେଣ୍ଟ କରିଛି ।