ସୁରମା ପାଢ଼ୀ ଓଡ଼ିଶା ବିଧାନସଭାର ନୂଆ ବାଚସ୍ପତି

ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୁରମା ପାଢ଼ୀ । ଏକମାତ୍ର ପ୍ରାର୍ଥୀ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।

Surama Padhi

ପୁଣି ବିଧାନସଭା ଦେଖିଲା ମହିଳା ବାଚସ୍ପତି । ପ୍ରମିଳା ମଲ୍ଲିକଙ୍କ ପରେ ବିଧାନସଭା ପରିଚାଳନାର ମଙ୍ଗ ଧରିଲେ ସୁରମା ପାଢୀ। ରଣପୁର ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ ହୋଇଥିବା ସୁରମା ପାଢ଼ୀ ଆଜି ଓଡ଼ିଶା ବିଧାନସଭାର ବାଚସ୍ପତି ଭାବେ ନିର୍ବାଚିତ । ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେଲେ ସୁରମା ପାଢ଼ୀ । ଏକମାତ୍ର ପ୍ରାର୍ଥୀ ଥିବାରୁ ସେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି । ଗତକାଲି ବିଜେପି ପକ୍ଷରୁ ବାଚସ୍ପତି ପଦ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ ରଣପୁର ବିଧାୟିକା ସୁରମା ପାଢ଼ୀ । ତେବେ ଆଜି ସର୍ବସମ୍ମତି କ୍ରମେ ବାଚସ୍ପତି ଭାବେ ନିର୍ବାଚିତ ହେବା ପରେ କାମଚଳା ବାଚସ୍ପତି ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ସୁରମା ପାଢ଼ୀ।

ପଢନ୍ତୁ ଏହି ଖବର: ବାଜିଲା ମୋହର, ବିରୋଧୀ ଦଳ ନେତା ଭାବେ ନିର୍ବାଚିତ ହେଲେ ନବୀନ

ଗତକାଲି ମୁଖ୍ୟମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକଙ୍କ ଉପସ୍ଥିତିରେ ବାଚସ୍ପତି ପଦ ପାଇଁ ନାମାଙ୍କନ ପତ୍ର ଦାଖଲ କରିଥିଲେ । ୨୦୦୪ରୁ ୨୦୦୯ ଯାଏ ସୁରମା ବିଜେପି-ବିଜେଡି ମେଣ୍ଟ ସରକାରରେ ସମବାୟ ମନ୍ତ୍ରୀ ଭାବେ ଦାୟିତ୍ବ ନିର୍ବାହ କରିଥିଲେ। ଲମ୍ବା ରାଜନୈତିକ କ୍ୟାରିୟରରେ ସୁରମାଙ୍କ ରହିଛି ଭରପୁର ଅଭିଜ୍ଞତା । ସୁରମାଙ୍କୁ ସମର୍ଥନ କରିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିଥିଲେ । ସେ ମଧ୍ୟ ସହମତି ପ୍ରକାଶ କରିଥିବା ସୂଚନା ଦେଇଥିଲେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ।

ଅନ୍ୟପକ୍ଷରେ ବାଚସ୍ପତିକୁ ନେଇ ସସପେନ୍ସ ହଟିବା ପରେ ଏବେ କିଏ ହେବେ ଉପ ବାଚସ୍ପତି, ସରକାରୀ ଦଳ ମୁଖ୍ୟସଚେତକ ଓ ଉପମୁଖ୍ୟ ସଚେତକ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଉପ ବାଚସ୍ପତି ଓ ଉପମୁଖ୍ୟ ସଚେତକ ରେସରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ, ରେମୁଣା ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସଙ୍କ ନାଁ ଅଧିକ ଚର୍ଚ୍ଚାରେ ଅଛି । ସେହିପରି ସରକାରୀ ଦଳ ମୁଖ୍ୟସଚେତକ ଭାବେ ବଡ଼ସାହି ବିଧାୟକ ସନାତନ ବିଜୁଳିଙ୍କ ନାଁ ଆଗରେ ଅଛି। ଏହାବାଦ ବି ଦଳ ସରପ୍ରାଇଜ୍ କାର୍ଡ ଖେଳିପାରେ ।

ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କୁ ମିଶାଇ ମନ୍ତିମଣ୍ଡଳରେ ୧୬ ଜଣଙ୍କୁ ସାମିଲ କରାଯିବା ପରେ ଏବେ ବି ଆହୁରି ୬ ଜଣଙ୍କ ସ୍ଥାନ ଖାଲି ପଡିଛି। ନିୟମ ଅନୁଯାୟୀ ୨୨ ଜଣ ମନ୍ତ୍ରୀ ରହିପାରିବେ। ଖାଲି ଥିବା ଆଉ ୬ ମନ୍ତ୍ରୀ ପଦରେ କାହାକୁ ଦାୟିତ୍ବ ମିଳୁଛି ସେନେଇ ମଧ୍ୟ ଦଳ ପର୍ଯ୍ୟାଲୋଚନା କରୁଛି ।

ପଢନ୍ତୁ ଏହି ଖବର: ରାଜ୍ୟ ବଜେଟ୍ ପୂର୍ବରୁ ଓଡ଼ିଶାବାସୀଙ୍କ ମତ ଲୋଡ଼ିଲେ ମୁଖ୍ୟମନ୍ତ୍ରୀ