Advertisment

ସତ ହୋଇଥିଲେ ସାଂଘାତିକ ! BJD ବିଧାୟକଙ୍କ ନାଁରେ ଯୌନ ଶୋଷଣ-ଭୃଣହତ୍ୟା ଅଭିଯୋଗ, ପୋଲିସ ରଖୁନି ଏତଲା

ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଦର୍ଶାଇ ଜଣେ ବିଜେପି ବିଧାୟକଙ୍କୁ ଗିରଫ କରିଥିବା ପୋଲିସ, ଏଭଳି ଜଘନ୍ୟ ଅପରାଧରେ ଜଡ଼ିତ ଶାସକ ଦଳ ବିଧାୟକଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ବୋଲି ଦଳ ପ୍ରଶ୍ନ କରିଛି ।

ଅଦ୍ୟତନ ହୋଇଛି
undefined

Prakash Majhi

Advertisment

ବିଜେଡି ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ସଂଗୀନ ଅଭିଯୋଗ । ନବରଙ୍ଗପୁର ରାଜନୀତିରେ ହଟଚମଟ, ରାଜ୍ୟ ରାଜଧାନୀରେ ହଇଚଇ । ପ୍ରକାଶ ମାଝୀ ଯୌନ ନିର୍ଯାତନା ସହ ଭୃଣହତ୍ୟା ଭଳି ଜଘନ୍ୟ ଅପରାଧରେ ସଂପୃକ୍ତ ଦର୍ଶାଇ ଗର୍ଜିଛନ୍ତି ବିରୋଧୀ । କେଉଁଠି ପୋଡ଼ାଜଳା ତ କେଉଁଠି ବିକ୍ଷୋଭ । ବିଜେପିର ଅଭିଯୋଗ, ଭୁବନେଶ୍ୱର ଜାଗମରାର ଜଣେ ଯୁବତୀଙ୍କୁ ନିଜକୁ ଅବିବାହିତ ଦର୍ଶାଇ ବିବାହର ପ୍ରଲୋଭନ ଦେଇ ଆଜିକୁ ତିନି ବର୍ଷ ହେଲା ପ୍ରକାଶ ଶାରୀରିକ ସମ୍ପର୍କ ରଖିଥିଲେ । ଏସମ୍ପର୍କରେ ଖଣ୍ଡଗିରି ଥାନାରେ ଏତଲା ବି ଦେଇଛନ୍ତି ପୀଡ଼ିତା । ଅଥଚ ଏତଲା ଗ୍ରହଣ କରାଯାଉନି କି କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନି ବୋଲି କହିବା ସହ ପ୍ରକାଶଙ୍କ କୁଶପୁତ୍ତଳିକା ଦାହ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି । ବିଡ଼ିଓଙ୍କୁ ଆକ୍ରମଣ ଅଭିଯୋଗ ଦର୍ଶାଇ ଜଣେ ବିଜେପି ବିଧାୟକଙ୍କୁ ଗିରଫ କରିଥିବା ପୋଲିସ, ଏଭଳି ଜଘନ୍ୟ ଅପରାଧରେ ଜଡ଼ିତ ଶାସକ ଦଳ ବିଧାୟକଙ୍କ ପ୍ରତି କାହିଁକି ଏତେ ଅନୁକମ୍ପା ଦେଖାଉଛି ବୋଲି ଦଳ ପ୍ରଶ୍ନ କରିଛି ।

Advertisment

ନବରଙ୍ଗପୁର ଜିଲ୍ଲା କଂଗ୍ରେସର ମଧ୍ୟ ସମାନ ଅଭିଯୋଗ । ଜିଲ୍ଲା କଂଗ୍ରେସ ସଭାପତି ମୁନା ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଯୌନ ନିର୍ଯାତନା, ଭୃଣହତ୍ୟା ଭଳି ଜଘନ୍ୟ ଅପରାଧର ଅଭିଯୋଗ ରହିଛି ପ୍ରକାଶଙ୍କ ବିରୋଧରେ । ଏସମ୍ପର୍କରେ ସଂପୃକ୍ତ ପୀଡ଼ିତା ନିଜର ଭଡ଼ାଘର ମାଲିକଙ୍କୁ ଧରି ଖଣ୍ଡଗିରି ଥାନାକୁ ଯାଇ ଏତଲା ବି ଦେଇଛନ୍ତି । ଏଭଳି ସମ୍ବେଦନଶୀଳ ଘଟଣାକୁ ଯଦି ଶାସକ ଦଳ ଘଣ୍ଟ ଘୋଡ଼ାଏ, ତାହେଲେ ଜିଲ୍ଲା ବନ୍ଦ ଡାକରା ଦିଆଯିବା ସହ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାଇ ଦେଇଛି ନବରଙ୍ଗପୁର ଜିଲ୍ଲା କଂଗ୍ରେସ ।

ପ୍ରକାଶ ମାଝୀ ହେଉଛନ୍ତି ନବରଙ୍ଗପୁର ସାଂସଦ ରମେଶ ମାଝୀଙ୍କ ସାନ ଭାଇ । ରାଜନୀତିକୁ ଆସିବା ଆଗରୁ ପଞ୍ଚାୟତରାଜ ବିଭାଗରେ ଇଂଜିନିୟର ଭାବେ କାମ କରୁଥିଲେ ପ୍ରକାଶ । ଗତ ନିର୍ବାଚନ ପୂର୍ବରୁ ଅର୍ଥାତ ୨୦୧୭ରେ ବିଜେଡିରେ ଯୋଗଦେଇ ନବରଙ୍ଗପୁର ଜିଲ୍ଲା ଯୁବ ବିଜେଡି ଉପସଭାପତି ହୋଇଥିଲେ । ଏହାପରେ ୨୦୧୯ ନିର୍ବାଚନରେ ତତ୍କାଳୀନ କଂଗ୍ରେସ ନେତା ପ୍ରଦୀପ ମାଝୀଙ୍କୁ ଚେକ୍ ଦେବାକୁ ଗତ ୨୦୧୯ରେ ନିଜେ ସାଂସଦ ଭାବେ ଛିଡ଼ା ହେବା ସହ ଭାଇ ପ୍ରକାଶ ମାଝୀଙ୍କୁ ଝରିଗାଁ ଆସନ ଛାଡ଼ିଥିଲେ ରମେଶ ମାଝୀ ।

Advertisment

ରାଜନୀତିରେ ନୂଆ ନୂଆ ପାଦ ଥାପିଥିବା ପ୍ରକାଶ ମାଝୀ ଏବେ ଛନ୍ଦି ହୋଇଛନ୍ତି ଯୌନ କେଳେଙ୍କାରୀ ଅଭିଯୋଗରେ । ବିରୋଧୀଙ୍କ ଅଭିଯୋଗ ଯଦି ସତ, ତାହେଲେ କିଏ ସେହି ଅଭିଯୋଗକାରିଣୀ ? ସଂପୃକ୍ତ ଯୁବତୀଙ୍କ ସହ କେମିତି ସଂସ୍ପର୍ଶରେ ଆସିଥିଲେ ବିବାହିତ ପ୍ରକାଶ ? ରାଜନୈତିକ ତମ୍ବିତୋଫାନ ପରେ ବି କାହିଁକି ପକ୍ଷ ରଖୁନାହାଁନ୍ତି ପ୍ରକାଶ ? ଏ ସମ୍ପର୍କରେ ନା ବିଧାୟକ ପ୍ରକାଶ ମାଝୀଙ୍କ ପ୍ରତିକ୍ରିୟା ମିଳିପାରୁଛି ନା ସାଂସଦ ରମେଶ ମାଝୀଙ୍କର । ତେବେ ମହିଳାଙ୍କୁ ଯୌନ ନିର୍ଯାତନା ଓ ଭୃଣହତ୍ୟା ଭଳି ସଂଗୀନ ଅଭିଯୋଗ ସତ୍ତ୍ୱେ କାହିଁକି ଏତଲା ଗ୍ରହଣ କରୁନି ଖଣ୍ଡଗିରି ପୋଲିସ ? ଏସମ୍ପର୍କରେ କମିଶନରେଟ୍ ପୋଲିସକୁ ଯୋଗାଯୋଗ କରାଯାଇଥିଲେ ବି କୌଣସି ପ୍ରତିକ୍ରିୟା ମିଳିପାରିନି ।

BJD MLA Crime Odisha Politics Prakash Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ