ମୁଖ୍ୟମନ୍ତ୍ରୀ ପଦରୁ ଶିବରାଜ ସିଂହଙ୍କ ଇସ୍ତଫା, କାନ୍ଦିଲେ ମହିଳା...

ମହିଳାମାନେ ଶିବରାଜଙ୍କୁ ଧରି କାନ୍ଦୁଥିବାର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ସେହି ମହିଳାଙ୍କ ମଧ୍ୟରେ ଗୋଟିଏ କଥା ଥିଲା, ଆମେ ଆପଣଙ୍କ ମୁହଁକୁ ଚାହିଁ ଦେଇଥିଲୁ ଭୋଟ ।

କାନ୍ଦିଲେ କ’ଣ ପାଇଁ ?

ସୋମାବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଶିବରାଜ ସିଂହ ଚୌହାନ । କାନ୍ଦି ପକାଇଲେ ଜନତା । କୁହାଯାଏ ମଧ୍ୟପ୍ରଦେଶରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ‘ଲାଡ୍‌ଲି ବେହେନା’ ଯୋଜନା ବିଜେପିକୁ ପୁଣି ଥରେ ଶାସନ କରିବାର ସୁଯୋଗ ଦେଇଛି । କାରଣ ଏହି ଯୋଜନା ମହିଳାଙ୍କ ଭୋଟ ଗୋଟାଇବାରେ ଏକ ବଡ଼ ଭୁମିକା ନିର୍ବାହ କରିଛି । ତେବେ ବିଜେପି ପୁଣି ଥରେ ଶାସନ ଭାର ମୁଣ୍ଡାଇବା ପରେ ଶିବରାଜ ସିଂହ ଚୌହାନ ଦେଇଥିଲେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା । କାରଣ ବିଜେପି ଚାହୁଁଥିଲା ନୂଆ ଚେହେରା ।

ଶିବରାଜ ଇସ୍ତଫା ଦେବା ପରେ ଅନେକ ଜନତାଙ୍କ ମନରେ ଦୁଃଖ ଭରି ଯାଇଥିବା ଦେଖାଯାଇଛି । କେହି କେହି ଶିବରାଜଙ୍କୁ ଧରି କାନ୍ଦୁଥିବା ମଧ୍ୟ ଦେଖିବାକୁ ମିଳିଛି । ଆଉ ସବୁଠାରୁ ବଡ଼ କଥା ହେଲା, ଏହି ଦୁଃଖୀଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଯୁବତୀ । କାରଣ ସେମାନେ ‘ଲାଡ୍‌ଲୀ ବେହେନା’ର ହିତାଧିକାରୀ। ଶିବରାଜଙ୍କ ‘ଲାଡ୍‌ଲୀ ବେହେନା’ ସେହି ମହିଳାଙ୍କୁ ଅନେକ ଫାଇଦା ଦେଇଛି । ସେମାନେ ଏହି ସ୍କିମ୍‌ ଦ୍ୱାରା ଖୁବ୍‌ ଉପକୃତ ହୋଇଛନ୍ତି । 

ମହିଳାମାନେ ଶିବରାଜଙ୍କୁ ଧରି କାନ୍ଦୁଥିବାର ଏକ ଭିଡିଓ ମଧ୍ୟ ଦେଖିବାକୁ ମିଳିଛି । ସେହି ମହିଳାଙ୍କ ମଧ୍ୟରେ ଗୋଟିଏ କଥା ଥିଲା, ଆମେ ଆପଣଙ୍କ ମୁହଁକୁ ଚାହିଁ ଦେଇଥିଲୁ ଭୋଟ ।

ସୂଚନାଯୋଗ୍ୟ, ଶିବରାଜ ସିଂହ ଚୌହାନ ହେଉଛନ୍ତି ସେହି ନେତା ଯିଏ ମଧ୍ୟପ୍ରଦେଶରେ ସବୁଠାରୁ ଅଧିକ ସମୟ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ଗାଦିରେ ବସିଛନ୍ତି । ସେ ୧୬.୫ ବର୍ଷ ମୁଖ୍ୟମନ୍ତ୍ରୀ ଭାବେ ମଦ୍ୟପ୍ରଦେଶକୁ ଶାସନ କରିଛନ୍ତି ।

 

ଏବେ ମଧ୍ୟପ୍ରଦେଶର ନୂଆ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି ମୋହନ ଯାଦବ । କେନ୍ଦ୍ରୀୟ ବିଜେପି ପକ୍ଷରୁ ଏଭଳି ଘୋଷଣା କରାଯିବା ପରେ ସାରା ଦେଶରେ ତାଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ହଠାତ୍‌ ମୋହନ ଯାଦବଙ୍କୁ କାହିଁକି ମୁଖ୍ୟମନ୍ତ୍ରୀ ଘୋଷଣା କରାଗଲା ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ । କାରଣ ଅନେକ ନେତାଙ୍କ ନାଁ ରହିଥିଲା ମୁଖ୍ୟମନ୍ତ୍ରୀ ରେସ୍‌ରେ । ହେଲେ ମୋହନ୍‌ ସେହି ରେସ୍‌ରେ ନଥିଲେ । ଶିବରାଜ ସିଂହ ପୁଣି ଥରେ ମୁଖ୍ୟମନ୍ତ୍ରୀ ଗାଦି ସମ୍ଭାଳିବେ ବୋଲି ଆପାତତଃ ସମସ୍ତେ ଜାଣିଥିଲେ । ହେଲେ ମୋହନ ଯାଦବଙ୍କ ନାଁ ସମସ୍ତଙ୍କୁ ଚକିତ କରିଛି ।

ତେବେ ଏହି ମୋହନ ଯାଦବ କିଏ ?

୨୦୧୩ ମସିହାରେ ମୋହନ ଯାଦବ ଉଜୈନ ଦକ୍ଷିଣ ବିଧାନସଭା ଆସନରୁ ପ୍ରଥମ ଥର ପାଇଁ ବିଧାୟକ ହୋଇଥିଲେ । ପରେ ସେହି ଆସନରୁ ପୁଣି ୨୦୧୮ରେ ମଧ୍ୟ ବିଜୟୀ ହୋଇଥିଲେ । ଲଗାତର ଦୁଇ ଥର ଉଜୈନ ସିଟ୍‌ରୁ ବିଜୟୀ ହେବା ପରେ ୨୦୨୩ରେ ମଧ୍ୟ ଦଳ ତାଙ୍କ ପ୍ରତି ଆସ୍ଥା ରଥିଥିଲା । ଆଉ ସେହି ଆସ୍ଥାକୁ ନିରାଶା କରିନଥିଲେ ମୋହନ ।

ସେ ୨୦୨୩ରେ ପୁଣି ସେହି ଆସନରୁ ବିଜୟୀ ହୋଇଛନ୍ତି । ୨୦୧୮ରେ ବିଜୟୀ ହେବା ପରେ ୨୦୨୦ରେ ସେ ରାଜ୍ୟର ଶିକ୍ଷାମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାସହ ଏହି ଦାୟିତ୍ୱକୁ ଖୁବ୍‌ ଦକ୍ଷତାର ସହ ତୁଲାଇଥିଲେ । ଏବେ ୨୦୨୩ ଡିସେମ୍ବର ୧୧ ତାରିଖରେ ତାଙ୍କୁ ମଧ୍ୟପ୍ରଦେଶର ୧୯ ତମ ମୁଖ୍ୟମନ୍ତ୍ରୀ ଭାବେ ଘୋଷଣା କରାଗଲା ।