ରାହୁଲ ଗାନ୍ଧୀଙ୍କୁ ଚ୍ୟାଲେଞ୍ଜ କରିବେ କି ଶଶୀ ଥରୁର ? ଅକ୍ଟୋବର ୧୭ରେ କଂଗ୍ରେସ ସଭାପତି ନିର୍ବାଚନ

ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର କଂଗ୍ରେସ ସଭାପତି ନିର୍ବାଚନରେ ସାମିଲ ହୋଇପାରନ୍ତି ।

Shashi Tharoor

ଅକ୍ଟୋବର ୧୯ରେ କଂଗ୍ରେସ ସଭାପତି ନିର୍ବାଚନ ସ୍ଥିର ହୋଇଥିବା ବେଳେ ଏହାରି ଭିତରେ ଅନେକ ବରିଷ୍ଠ ନେତାଙ୍କ ନାଁ ସାମ୍ନାକୁ ଆସିଛି । ବରିଷ୍ଠ କଂଗ୍ରେସ ନେତା ଶଶୀ  ଥରୁର ବି ଏହି ରେସରେ ସାମିଲ ହୋଇପାରନ୍ତି । ଥରୁରଙ୍କ ଏକ ଆର୍ଟିକଲ ପ୍ରକାଶ ପାଇବା ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥିରେ ସେ ମୁକ୍ତ ଏବଂ ନିରପେକ୍ଷ ର୍ନିବାଚନ ପାଇଁ ଆହ୍ୱାନ ଦେଇଛନ୍ତି । ଏପରିକି କଂଗ୍ରେସ ଓ୍ୱାର୍କିଂ କମିଟିର ଏକ ଡର୍ଜନ ଆସନ ପାଇଁ ମଧ୍ୟ ଦଳ ନିର୍ବାଚନ ଘୋଷଣା କରିବା ଉଚିତ ବୋଲି ମତ ଦେଇଛନ୍ତି ।

କଂଗ୍ରେସର ଜି-୨୩ ନେତାଙ୍କ ମଧ୍ୟରେ ସାମିଲ ଥିବା ଶଶୀ ଥରୁର ଲଗାତର ଦଳରେ ସାଂଗଠନିକ ପରିବର୍ତ୍ତନ ପାଇଁ ଦାବି କରି ଆସୁଛନ୍ତି । ଏହି ଆର୍ଟିକିଲରେ ଥରୁର ଲେଖିଛନ୍ତି ଯେ ସିଡବ୍ଲୁସି ସଦସ୍ୟ ପଦ ପାଇଁ ମଧ୍ୟ ଦଳ ଆଦର୍ଶ ଭାବେ ନିର୍ବାଚନ ଘୋଷଣା କରିବା ଉଚିତ । ହେଲେ ଆର୍ଟିକଲରେ ଯାହା ଲେଖିଛନ୍ତି, ତାକୁ ସମର୍ଥନ କରି କହିଥିଲେ ଯେ କଂଗ୍ରେସ ପାଇଁ ନିର୍ବାଚନ ସାଙ୍ଗଠନିକ ଦୃଷ୍ଟିରୁ ଭଲ ।

ସେପଟେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲୋଟଙ୍କ ନାଁ କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଉଠୁଥିବା ବେଳେ ତାଙ୍କୁ ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦେଇଛନ୍ତି ରାଜସ୍ଥାନର ବିଧାୟକ ଖିଲାଡି ଲାଲ ବେରୱା । ବର୍ତ୍ତମାନର ସ୍ଥିତିରେ ଅଶୋକ ଗେହଲୋଟଙ୍କୁ କଂଗ୍ରେସ ସଭାପତି ପଦ ଯଦି ଯଚାଯାଉଛି, ତେବେ ସେ ଏହାକୁ ଗ୍ରହଣ କରିବା ଉଚିତ  । ଏହା ସହିତ ରାଜସ୍ଥାନର ମୁଖ୍ୟମନ୍ତ୍ରୀ ପଦ ସଚିନ ପାଇଲଟଙ୍କୁ ଦେବା ଉଚିତ ବୋଲି କହିଛନ୍ତି ।

ଅନ୍ୟପଟେ ଗୁଲାମନବୀ ଆଜାଦ କଂଗ୍ରେସ ଛାଡିବା ପରେ ଜମ୍ମୁ କାଶ୍ମୀରରେ ଦଳ ପାଇଁ ବଡୁଛି ଅଡୁଆ । ଦଳରେ ନେତାଙ୍କ ଇସ୍ତଫା ପର୍ବ ଜାରି ରହିଛି ଆଜି ଏକାଥରକେ ୫୧ ଜଣ ନେତା ଇସ୍ତଫା ଦେଇ ଦଳକୁ ବଡ ଝଟକା ଦେଇଛନ୍ତି । ଇସ୍ତଫା ଦେଇଥିବା ନେତାଙ୍କ ମଧ୍ୟରେ ଜମ୍ମୁ କାଶ୍ମୀରର ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ତାରା ଚନ୍ଦ, ପୂର୍ବତନ ମନ୍ତ୍ରୀ ମାଜିଦ ଓ୍ୱାନି, ମନୋହର ଲାଲ ଶର୍ମା, ଜାମ୍ମୁ କାଶ୍ମୀର କଂଗ୍ରେସ ସଚିବ ନରିନ୍ଦ୍ରର ଶର୍ମା ଅଛନ୍ତି ।

ଦଳର ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ନିକଟକୁ ସେମାନେ ମିଳିତ ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ଏଥିପାଇଁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଚାନ୍ଦ୍ ଓ ପୂର୍ବତନ ମନ୍ତ୍ରୀ ଅବ୍ଦୁଲ୍ ମଜିଦ୍ ଓ୍ୱାନି, ମନୋହର ଲାଲ୍ ଶର୍ମା, ଏବଂ ପୂର୍ବତନ ବିଧାୟକ ବଲରାମ ସିଂହ ଆଦି ନେତାମାନେ କଂଗ୍ରେସ ପାର୍ଟିରୁ ଇସ୍ତଫା ଦେଇଥିବା କଥା ଘୋଷଣା କରିଛନ୍ତି । ଗୁଲାମନବୀ ଆଜାଦଙ୍କ ପ୍ରତି ସମର୍ଥନ ଜଣାଇ କଂଗ୍ରେସ ଛାଡିଥିବା ସେମାନେ କହିଛନ୍ତି ।