Odisha Politics
ରାଜ୍ୟରେ କେତେ ସ୍ୱଚ୍ଛ ହୋଇପାରିବ ନିର୍ବାଚନୀ ପ୍ରକ୍ରିୟା ? କେତେ ନିରପେକ୍ଷତା ରକ୍ଷା କରିପାରିବେ ସରକାରୀ ବାବୁ ? କାରଣ ଏବେଠୁ ସରକାରୀ ଅଧିକାରୀଙ୍କ ବିରୋଧରେ ଆସିଲାଣି ସଂଗୀନ ଅଭିଯୋଗ । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲାରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ତଥା ଜଣେ ତତ୍କାଳୀନ ଆଇଜି ଭୟର ବାତାବରଣ ରଖିଥିବା ଅଭିଯୋଗ ଉଠିଛି । ଏପରିକି କିଛି ଅଫିସର ଶାସକ ଦଳର କର୍ମୀ ସାଜି ବିରୋଧୀ ଦଳର ନେତାମାନଙ୍କୁ ଧମକ ଚମକ ଦେଉଥିବା ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛି। ତେବେ ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି।
ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେଉ ହେଉ ସରକାରୀ ବାବୁଙ୍କ ବିରୋଧରେ ଉଠିଲାଣି ସଂଗୀନ ଅଭିଯୋଗ। କେଉଁଠି ଡରାଉଛନ୍ତି ତ କେଉଁଠି ଧମକାଉଛନ୍ତି। ଭୟର ବାତାବରଣ ସୃଷ୍ଟି କରି ସାରା ଗଞ୍ଜାମ ଜିଲ୍ଲାରେ ଆରମ୍ଭ କରିଛନ୍ତି ନିର୍ବାଚନ ପାଇଁ ପକ୍ଷପାତ ପ୍ରକ୍ରିୟା। ପ୍ରଚାର କାର୍ଯ୍ୟକ୍ରମ ମଞ୍ଚ ଉପରୁ ଏଭଳି ଅଭିଯୋଗ ଆଣିଛନ୍ତି ବ୍ରହ୍ମପୁର ବିଜେପି ଲୋକସଭା ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ।
ଗଞ୍ଜାମ ଛତ୍ରପୁରରେ ଏକ କାର୍ଯ୍ୟକ୍ରମରେ କହିଛନ୍ତି, କିଛି ପ୍ରଭାବଶାଳୀ ସରକାରୀ ବାବୁ ସରକାରୀ ଦଳର କର୍ମୀ ସାଜିଛନ୍ତି। ଜଣେ ତତ୍କାଳୀନ ଆଇଜି ନେତା ଓ କର୍ମୀଙ୍କୁ ଧମକ ଦେଉଛନ୍ତି। ବିରୋଧୀ ଦଳର ନେତା, କର୍ମୀ ଓ ଠିକାଦାର ମାନଙ୍କୁ ବିଜେଡିରେ ରହିବା ପାଇଁ ଧମକଚମକ ଦେଉଛନ୍ତି। ଜିଲ୍ଲାର କିଛି ପୁରୁଖା ଅଫିସର ନିର୍ବାଚନ ବେଳେ ଏଠି ପୋଷ୍ଟିଂ ହୁଅନ୍ତି, ଦଳ ପାଇଁ କାମ କରନ୍ତି । ଆଉ ନିର୍ବାଚନ ପରେ ଅନ୍ୟତ୍ର ବଦଳି ହୋଇଯାଆନ୍ତି। ପ୍ରଦୀପ ପାଣିଗ୍ରାହୀଙ୍କ ସହ କଂଗ୍ରେସ ବି ସ୍ୱର ମିଶାଇ ସମାନ ଅଭିଯୋଗ ଆଣିଛି।
ତେବେ ଏନେଇ ପୋଲିସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନଥିବା ବେଳେ ବିଜେଡି ଅଭିଯୋଗକୁ ଖଣ୍ଡନ କରିବା ସହ କହିଛି, ଯଦି ସେଭଳି କିଛି ଅଭିଯୋଗ ଅଛି, ନିର୍ବାଚନ କମିଶନରଙ୍କୁ ଜଣାନ୍ତୁ।
ଫେବୃଆରୀ ୧୭ ତାରିଖ। ଓଡ଼ିଶା ଗସ୍ତବେଳେ ମୁଖ୍ୟ ନିର୍ବାଚନ କମିଶନର ଶାନ୍ତି ପ୍ରିୟ ଓଡ଼ିଶାରେ ଅବାଧ, ମୁକ୍ତ ଓ ନିରପେକ୍ଷ ନିର୍ବାଚନ ପାଇଁ ଆହ୍ୱାନ କରିଥିଲେ। କିଛି ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ନିର୍ବାଚନ ବେଳେ ସରକାରୀ କଳକୁ ଅପବ୍ୟବହାର କରୁଥିବାର ଅଭିଯୋଗ ଶୁଣିବାପରେ ନିର୍ବାଚନ ପ୍ରକ୍ରିୟାରେ ନିରପେକ୍ଷତା ରକ୍ଷା କରିବାକୁ ଜିଲ୍ଲାପାଳ ଓ SP ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ଇଲେକ୍ସନ କମିଶନର। ନିର୍ବାଚନ କମିଶନରଙ୍କ ଏଭଳି କଡ଼ା ତାଗିଦ ସତ୍ତ୍ୱେ ସରକାରୀ ବାବୁଙ୍କ ବିରୋଧରେ ଶାସକ ଦଳ ପ୍ରୀତିକୁ ନେଇ ପ୍ରଶ୍ନ ଉଠିଛି।
୧୯ ନିର୍ବାଚନ ବେଳେ ସରକାରୀ ବାବୁ ଶାସକ ଦଳର ହାତବାରିସି ସାଜିଥିବା ଏବଂ ଭୋଟରଙ୍କୁ ପ୍ରଭାବିତ କରିବା ନେଇ ପୁଳା ପୁଳା ଅଭିଯୋଗ ଧରି ଫେରାଦ ହୋଇଥିଲେ ବିରୋଧୀ। ଆଉ ଏବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା କ୍ଷଣି ପୁଣି ସମାନ ଅଭିଯୋଗ ଉଠୁଥିବାବେଳେ ରାଜ୍ୟରେ କେତେ ସ୍ୱଚ୍ଛ ରହିବ ଚଳିତ ନିର୍ବାଚନ, ସେନେଇ ନାନା ଚର୍ଚ୍ଚା ହେଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1711723147.jpg)