ସାଂସଦମାନେ ଦଳ ଛାଡିଲେ ପଡ଼ିବ ବଡ ପ୍ରଭାବ: ଅମର ଶତପଥୀ

ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ଅନ୍ୟ ଉପରେ ଦାୟିତ୍ୱ ଦେଇ ଖସିଗଲେ ହେବନି । ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ରଖିଛନ୍ତି ଏଭଳି ବଡ ବୟାନ ।

Amar Satpathy

ସାଂସଦମାନେ ଦଳ ଛାଡିଲେ ପଡ଼ିବ ବଡ ପ୍ରଭାବ । ବରିଷ୍ଠ ବିଜେଡି ନେତା ଅମର ପ୍ରସାଦ ଶତପଥୀ ରଖିଛନ୍ତି ଏଭଳି ବଡ ବୟାନ । ଏଥିସହ ସେ କହିଛନ୍ତି, ମୋ ପାଖେ ତଥ୍ୟ ନାହିଁ, କିଏ ଆଉ ଦଳ ଛାଡିବେ । ଏ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଛି ସେନେଇ ଆମକୁ ଆତ୍ମନିରୀକ୍ଷଣ କରିବାର ଆବଶ୍ୟକତା ରହିଛି । ଯେଉଁମାନେ ଦଳର ଆଗଧାଡ଼ିରେ ଥିଲେ, କାହିଁକି ସେମାନେ ଦଳ ଛାଡୁଛନ୍ତି । ତାର ଆତ୍ମନିରୀକ୍ଷଣ ହେବା ଦରକାର । ଅନ୍ୟ ଉପରେ ଦାୟିତ୍ୱ ଦେଇ ଖସିଗଲେ ହେବନି । ଅଧିକ ତର୍ଜମା ହେବା ଦରକାର । କେହି ବ୍ୟକ୍ତିଗତ ଭାବେ ଗଲେ ଦଳ କ୍ଷତିଗ୍ରସ୍ତ ହୁଅନ୍ତା ନାହିଁ । କିନ୍ତୁ ସଂସଦକୁ ଯାଇଥିବା ବ୍ୟକ୍ତି ଯଦି ଦଳ ଛାଡିବେ ତାହାଲେ ଦଳ ଉପରେ ନିଶ୍ଚିତ ପ୍ରଭାବ ପଡିବ ବୋଲି କହିଛନ୍ତି ଅମର ପ୍ରସାଦ ଶତପଥୀ ।

ଏପଟେ ସୁଜିତ କୁମାର ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପ୍ରସଙ୍ଗରେ ବିଜେପି ବିଧାୟକ ବାବୁ ସିଂ ଏହାକୁ ନେଇ କହିଛନ୍ତି ଶୁଆ ଶାରୀ ଉପାଖ୍ୟାନ । ବିଜେଡିର ନାଁ ନ ନେଇ ବାବୁ ସିଂ କହିଛନ୍ତି, କେଉଁଠି ସେମାନେ ଯଦି ଭାବୁଛନ୍ତି ଶୁଆଶାରୀ ଭଳି ପିଞ୍ଜରା ଭିତରେ ବାନ୍ଧିକି ରଖିବେ ସେଭଳି ହୋଇପାରିବ ନାହିଁ । ଆମେ କାହା ଘର ଭାଙ୍ଗିବାକୁ ଚେଷ୍ଟା କରୁନାହିଁ । ହେଲେ ଯେଉଁମାନେ ଆସିବେ ସେମାନଙ୍କୁ ସ୍ୱାଗତ କରିବୁ ବୋଲି କହିଛନ୍ତି ବାବୁ ସିଂ । 

ସାଂସଦ ମମତା ମହାନ୍ତ ଦଳ ଛାଡି ବିଜେପିରୁ ରାଜ୍ୟସଭା ଯିବାପରେ ଏବେ ବିଜେଡିକୁ ଲାଗିଛି ସୁଜିତ ଝଟକା । ବିଜେଡିର ରାଜ୍ୟସଭା ସାଂସଦ ସୁଜିତ କୁମାର ଦଳର ପ୍ରାଥମିକ ସଦସ୍ୟ ପଦ ଓ ରାଜ୍ୟସଭା ପଦରୁ ଇସ୍ତଫା ଦେଇଛନ୍ତି । ଯାହାକୁ ନେଇ ରାଜ୍ୟ ରାଜନୀତିରେ ଦେଖାଦେଇଛି ଝଡ଼ । ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧନଖଡଙ୍କୁ ଭେଟି ନିଜ ଇସ୍ତଫା ପତ୍ର ଦେଇଛନ୍ତି ସୁଜିତ କୁମାର । ଆଉ ଇସ୍ତଫା ଦେବାର ମାତ୍ର କିଛି ସମୟ ପରେ ସେ ଦିଲ୍ଲୀ ବିଜେପି କାର୍ଯ୍ୟାଳୟରେ ପଦ୍ମ ଧରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ପ୍ରଭାରୀ ବିଜୟ ପାଲ୍ ସିଂ ତୋମରଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି ସୁଜିତ । କେବଳ ସେତିକି ନୁହେଁ ବିଜେପିରେ ଯୋଗ ଦେବାପରେ ସେ ବିଜେଡି ଉପରେ ବର୍ଷିଥିଲେ ।

କିଛି ଦିନ ତଳେ ମମତା ମହାନ୍ତ ମଧ୍ୟ ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇ ବିଜେପିରେ ସାମିଲ ହୋଇଥିଲେ । ଆଉ ବିଜେପି ପୁଣିଥରେ ତାଙ୍କୁ ରାଜ୍ୟ ସଭାକୁ ପଠାଇଛି । ସେହିପରି ଆଜି ସୁଜିତ କୁମାରଙ୍କ ଇସ୍ତଫା ଅନେକ କିଛି ସମୀକରଣକୁ ଇସାରା ଦେଉଛି । ୨୪ ନିର୍ବାଚନରେ ବିଜେଡି ଲୋକସଭାରେ ଖାତା ଖୋଲିପାରିନି । କିନ୍ତୁ ରାଜ୍ୟସଭାର ୧୦ ସାଂସଦଙ୍କ ଭିତରୁ ୯ ଜଣ ସାଂସଦଙ୍କୁ ନେଇ ବିଜେଡି କେନ୍ଦ୍ର ବିରୋଧୀ ଆଭିମୁଖ୍ୟ ରଖିବାକୁ ପ୍ରସ୍ତୁତି କରୁଥିଲା ।

କିନ୍ତୁ ମମତା ଓ ସୁଜିତ ଯିବା ପରେ ଏବେ ବିଜେଡ଼ି ପାଖରେ ୭ ସାଂସଦ ରହିଛନ୍ତି । ଧୀରେ ଧୀରେ ଦିଲ୍ଲୀରେ ଦଳ ଦୁର୍ବଳ ହେଉଥିବାରୁ ଆଗାମୀ ଦିନରେ ବିଜେଡି ଗଡ ଭୁଷୁଡିବା ଏକପ୍ରକାର ନିଶ୍ଚିତ । ବିଜେଡି କହିଛି, ବିଜେପି ଚକ୍ରାନ୍ତ କରି ଏପରି କରୁଛି ମାତ୍ର ଏହାର କିଛି ପ୍ରଭାବ ଦଳ ଉପରେ ପଡ଼ିବନି । ବିଜେଡି ନେତାଙ୍କ ଦଳ ଛାଡ଼ିବା ନେଇ ସାଂସଦ ମମତା ମହାନ୍ତ କହିଛନ୍ତି, ବିଜେଡିର ବହୁ ନେତା ଓ କର୍ମୀ ଅସନ୍ତୁଷ୍ଟ ଅଛନ୍ତି ହୁଏତ ଆସିପାରନ୍ତି । ବିଜେଡିର ଅଧିକାଂଶ ନେତା ଓ କର୍ମୀ ଏକଛତ୍ରବାଦ ଶାସନରେ ଅସନ୍ତୁଷ୍ଟ । ମୟୂରଭଞ୍ଜ ଜିଲ୍ଲାରେ ୮୦ ପ୍ରତିଶତ ବିଜେଡି କର୍ମୀ ଅସନ୍ତୁଷ୍ଟ । ଯେଉଁମାନେ ଦଳ ପ୍ରତିଷ୍ଠା କରିଥିଲେ, ସେମାନେ ଦଳରେ ନାହାନ୍ତି । ସେମାନଙ୍କୁ ଦଳରେ ଅଣଦେଖା କରାଗଲା । ମୋ ପରେ ସୁଜିତ କୁମାର ଦଳ ଛାଡ଼ିଲେ, ହୁଏତ ଆଗକୁ ଅନେକ ଆସିପାରନ୍ତି ।