Advertisment

ଗେମ୍‌ ଚେଞ୍ଜର ହେବେ କି ସନାତନ ମହାକୁଡ଼ ?

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି

ଅଦ୍ୟତନ ହୋଇଛି
Keonjhar

Keonjhar

Advertisment

କେନ୍ଦୁଝର...କଥାରେ କୁହାଯାଏ,ବୈତରଣୀ, ଖଣି ଓ ତାରିଣୀଙ୍କୁ ନେଇ ଏହି ଜିଲ୍ଲାକୁ ସମସ୍ତେ ଜାଣନ୍ତି। ରାଜ୍ୟର ଏକ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲା ପରିଷଦ କେନ୍ଦୁଝର କହିଲେ ଅତ୍ୟୁକ୍ତି ହେବ ନାହିଁ। ଏଠି ବି ଶାସକ ବିଜେଡିର ରାଜ୍। ଅର୍ଥାତ୍ ଜିଲ୍ଲାପରିଷଦ ଅଧ୍ୟକ୍ଷ ପଦ ବିଜେଡି ହାତରେ ଅଛି। ଗଲା ନିର୍ବାଚନରେ ବିଜୟ ପରେ ବିଜେଡିର କମଳିନୀ ପାତ୍ର ଅଧ୍ୟକ୍ଷ ପଦରେ ବସିଥିଲା ବେଳେ ଉପାଧ୍ୟକ୍ଷ ହୋଇଥିଲେ ଅକ୍ଷୟ ସାହୁ। ତେବେ ଯଦି ମୋଟ୍ କାହା ପାଖରେ କେତେ ଜୋନ୍ ଅଛି ଦେଖିବା, ତାହେଲେ ୩୭ଜୋନ୍ ବିଶିଷ୍ଟ ଏଇ ପରିଷଦରେ ଏବେ ବିଜେଡି ହାତରେ ୨୫ଟି ଜୋନ୍ ଥିଲା ବେଳେ ବିଜେପି ହାତରେ ଅଛି ୬ଟି ସିଟ୍ । ଆଉ ଗୋଟେ ଏଠି ବଡ଼ କଥା ହେଉଛି ଗଲା ନିର୍ବାଚନରେ ସ୍ୱାଧୀନଙ୍କ ସପକ୍ଷରେ ଯାଇଥିଲା ୬ଟି ଆସନ। ଏକଦମ୍ ମୂଳ ପୋଛ ହୋଇଯାଇଥିଲା କଂଗ୍ରେସ। ଏ ତ ଗଲା ଜିଲ୍ଲା ପରିଷଦ କଥା, ତେବେ ୧୩ଟି ବ୍ଲକକୁ ନେଇ ଗଠିତ ଏଇ ଜିଲ୍ଲାରେ ଅଛି ୧୩ଟି ପଞ୍ଚାୟତ ସମିତି ଏବଂ ଅଛନ୍ତି ୨୯୭ ଜଣ ସରପଞ୍ଚଙ୍କ ସହ ସମାନ ସଂଖ୍ୟକ ସମିତି ସଭ୍ୟ। ଆଉ ଓ୍ୱାର୍ଡ ସଂଖ୍ୟା ହେଲା-୩ ହଜାର ୭୫୪।

Advertisment

ବିଜେଡ଼ିର ରହିଛି ଦବଦବା

ଆଦିବାସୀ ବହୁଳ କେନ୍ଦୁଝର ଜିଲ୍ଲାରେ ମୁଦ୍ଦା ଅନେକ ରହିଛି। ଏଠି ମୁଦ୍ଦାକୁ ନେଇ ରାଜନୀତି ବି ଭିନ୍ନ। ଯଦିଓ ପୂରା ଜିଲ୍ଲାରେ ଏବେ ବିଜେଡିର ଦବଦବା ରହିଛି, ତଥାପି ୨୨ର ପଞ୍ଚାୟତ ପୋଲ୍ ୨୦୧୨ ଓ ୨୦୧୭ ଠାରୁ ଭିନ୍ନ ହେବ ବୋଲି ବିରୋଧୀଙ୍କ ଦାବି। ୩୭ ଜୋନ୍ ବିଶିଷ୍ଟ କେନ୍ଦୁଝର ଜିଲ୍ଲା ପରିଷଦରେ ୨୦୧୨ରେ ବିଜେଡି ହାତେଇଥିଲା ୩୩ଟି ଆସନ ଆଉ ସେବେ ଖାତା ଖୋଲି ପାରି ନଥିଲା ବିଜେପି। କଂଗ୍ରେସ ଖାତାକୁ ଯାଇଥିଲା ୩ଟି ଆସନ। କିନ୍ତୁ ୨୦୧୭ରେ ୩୩ରୁ ଖସି ଆସି ବିଜେଡି ପହଞ୍ଚିଥିଲା ୨୫ରେ। ଆଉ ବିଜେପି ହାତେଇଥିଲା ୬ଟି ଆସନ। କଂଗ୍ରେସ ସତ୍ତା ହରାଇଥିବା ବେଳେ ତତ୍କାଳୀନ ବିଧାୟକ ସନାତନ ମହାକୁଡ଼ଙ୍କ ସମର୍ଥନରେ ୬ ଜଣ ସ୍ୱାଧୀନ ପ୍ରାର୍ଥୀ ବିଜୟ ଲାଭ କରିଥିଲେ। ଏବେ ୨୨ରେ କଣ ରହିବ ସମୀକରଣ ? ବାଜିମାତ୍ କରିବ ବିଜେଡି ନା ଧୀରେ ଧୀରେ ମୁଣ୍ଡ ଟେକୁଥିବା ବିଜେପି ସାଜିବ ଡାର୍କ ହର୍ସ ? ସେପଟେ କଂଗ୍ରେସ ବି ଏଥର ସ୍ଥିତି ସୁଧାରିବା ସହ ଭଲ ପ୍ରଦର୍ଶନ କରିବା ନେଇ ବି ଦାବି କରିଛି।

ଖେଳ ବିଗାଡ଼ିବାରେ ମାହିର ସନାତନ

ସମୀକ୍ଷକଙ୍କ ମତରେ ଚମ୍ପୁଆର ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଜିଲ୍ଲାରେ ଗେମ୍ ଚେଞ୍ଜର୍ ସାଜିପାରନ୍ତି। ତୃଣମୂଳ ସ୍ତରରେ ତାଙ୍କର ସଂଗଠନ ଓ ଲୋକଙ୍କର ତାଙ୍କ ଉପରେ ଭରସା ବି ରହିଛି। ଜିଲ୍ଲାରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ୨୦୧୭ରେ ମଧ୍ୟ ତାଙ୍କ ସମର୍ଥନରେ ବିଜୟ ଲାଭ କରିଥିଲେ ୬ ଜଣ ସ୍ୱାଧୀନ ପ୍ରାର୍ଥୀ। ପରେ ବିଜେଡିକୁ ସମର୍ଥନ ଦେଇଥିଲେ। ଏଣୁ ଏଥର କଣ ସେ ବିଜେଡିକୁ ସମର୍ଥନ ଦେବେ ନା ରାଜନୀତିର ଭିନ୍ନ ଗୋଟି ଚଳାଇବେ ତାହା ଦେଖିବାର କଥା।ଏହା ଭିତରେ ଜିଲ୍ଲାରେ ପ୍ରାର୍ଥୀମାନେ ପ୍ରଚାର ମଧ୍ୟ କଲେଣି।

Advertisment

ଆନନ୍ଦପୁରରୁ ମୁନା ସିଂ, ଚମ୍ପୁଆରୁ ଦୀପକ ଶତପଥୀ ଓ ତେଲକୋଇରୁ ଚିନ୍ମୟ ସାହୁଙ୍କ ସହ କେନ୍ଦୁଝରରୁ ପ୍ରଣୟ ପାଣିଙ୍କ ରିପୋର୍ଟ

Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ