Advertisment

ନିର୍ବାଚନ ପାଇଁ ଦଳର ପ୍ରତିଶ୍ରୁତି ପାହାଡ଼; ଏପଟେ ନେତାଙ୍କୁ ପାନେ ଦେବା ପାଇଁ ରେଡ୍ଡି ଲୋକେ

ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି।

undefined

Voters

Advertisment

ନିର୍ବାଚନ ଯେତିକି ପାଖେଇ ଆସୁଛି, ସେତିକି ବଜ୍ର ହେଉଛନ୍ତି ସାଧାରଣ ଜନତା। ମୌଳିକ ସୁବିଧା ଯୋଗାଇ ଦେବାର ନିର୍ବାଚନୀ ପ୍ରତିଶ୍ରୁତି ଦେଇ ଭୁଲିଯାଇଥିବା ସରକାର ଓ ବ୍ୟବସ୍ଥା ବିରୋଧରେ ଗର୍ଜିଲେଣି ସବୁଠି। ଏବେ ରାଜ୍ୟ ସରକାରଙ୍କ ଢୋଲପିଟା ଯୋଜନାର ନଗ୍ନଚିତ୍ର ସହ ଦାଉ ଦାଉ ହୋଇ ବାରିହେଉଛି ନିର୍ବାଚନବେଳର ମିଥ୍ୟା ପ୍ରତିଶ୍ରୁତି।

Advertisment

ଏକାଠି ହୋଇଛନ୍ତି ଗ୍ରାମବାସୀ। ମିଳିତ ଆଲୋଚନା କରୁଛନ୍ତି, ବିକାଶ ନାଁରେ ମିଛ ପ୍ରତିଶ୍ରୁତି ଦେଇଥିବା ସରକାରକୁ ଜବାବ ଦେବାକୁ ବଜ୍ର ଶପଥ ନେଉଛନ୍ତି। ଆଉ ନୁହଁ..ରାସ୍ତା ନାହିଁ ତ ଭୋଟ୍ ନାହିଁ ବୋଲି ଚରମ ଚେତାବନୀ ବି ଶୁଣାଉଛନ୍ତି। ସମ୍ବଲପୁର ଜିଲ୍ଲା ଧୁଡିପାଲି ପଂଚାୟତ ଭୋଇପାଲି ଗ୍ରାମବାସୀଙ୍କ ଏହି ମେଳି ବଖାଣୁଛି, ସ୍ୱାଧିନତାର ୭୭ ବର୍ଷ ପରେ ବି ମୌଳିକ ସୁବିଧା ଖଣ୍ଡେ ପାଇଁ ଲଢ଼େଇ କରିବାକୁ ପଡୁଛି।

ଗ୍ରାମବାସୀଙ୍କ କହିବା କଥା, ଭୋଇପାଲି ଓ ଧୁଡିପାଲି ପଂଚାୟତ ମଧ୍ୟରେ ସବୁଦିନିଆ ରାସ୍ତାଟିଏ ନାହିଁ। ଫଳରେ ଜଙ୍ଗଲ ଆଉ ବୁଦା ଭିତର ଦେଇ ଲମ୍ବିଥିବା ସରୁ ବାଟରେ ନିଇତି ଯିବାକୁ ପଡୁଛି ଗାଁ ଲୋକଙ୍କୁ। ଭୋଇପାଲିରୁ କୁମ୍ଭାରୁଣିପୋଷୀ ଭାୟା ବୁଦେଲକାନୀ, ଭୋଇପାଲିରୁ ବିଜାଗୁଡା ଭାୟା ଡମଗାଁ ଏବଂ ଭୋଇପାଲିରୁ ଲାଡମମାଲକୁ ଯାଇଥିବା ମାଟି ରାସ୍ତା ଅତ୍ୟନ୍ତ କଦର୍ଯ୍ୟ ହୋଇ ରହିଛି। ରାସ୍ତା ପାଇଁ ପଞ୍ଚାୟତରେ କେତେ ଗ୍ରାମସଭା ଓ ପଲ୍ଲୀସଭା ବସିଛି, ନାନା ପ୍ରସ୍ତାବ ଦିଆଯାଉଛି। ସମସ୍ତେ ହଁ ହାଁ ମାରିଛନ୍ତି। ଏପରିକି ପୂର୍ବ ନିର୍ବାଚନବେଳେ ରାସ୍ତା ପାଇଁ ପ୍ରତିଶ୍ରୁତି ବି ଦେଇଛନ୍ତି ନେତା। କିନ୍ତୁ ଯେଉଁ ଅବସ୍ଥାକୁ ସେହି ଅବସ୍ଥା। ଶେଷରେ ଭୋଟ୍ ବର୍ଜନ ପାଇଁ ନିଷ୍ପତ୍ତି ନେଇଛନ୍ତି ଲୋକେ। ହେଲେ ପ୍ରଶାସନର ସେହି ଘୋଷା ମନ୍ତବ୍ୟ, ପ୍ରପୋଜାଲ ଯାଇଛି, ଖୁବଶୀଘ୍ର ରାସ୍ତା କାମ ହୋଇଯିବ।

Advertisment

ବାଲେଶ୍ୱର ସଦର ବ୍ଲକ ଆଳୁମେଦାରେ ତ ପାଦେ ପାଦେ ବିପଦ। ଡୁବଡୁବି ନଦୀରେ ଜୀବନକୁ ପାଣି ଛଡ଼ାଇ ଜଳଯାତ୍ରା କରିବାକୁ ପଡ଼େ। ବାଲେଶ୍ୱର ସଦର ବ୍ଲକ ଆଳୁମେଦା ଅଞ୍ଚଳବାସୀଙ୍କ ଠାରୁ ଆଉ ବା କିଏ ଅଧିକ ଭୋଗିଥିବେ। ପୋଲଟିଏ ନାହିଁ ବୋଲି ବର୍ଷ ବର୍ଷ ଧରି ପିଲାଠୁ ବୟସ୍କ ଏମୁଣ୍ଡରୁ ସେମୁଣ୍ଡକୁ ପାରି ହୁଅନ୍ତି ଭରା ଡଙ୍ଗାରେ, ସାଙ୍ଗରେ ଯାନବାହନ ବି ଲଦା ହୋଇଯାଏ ବିପଦସଙ୍କୁଳ ଭାବେ।

ଅବଶ୍ୟ ଏଠି ପୋଲ ଖଣ୍ଡେ ତିଆରି ହେଉଛି ସତ। କିନ୍ତୁ ଆଶ୍ଚର୍ଯ୍ୟର କଥା, ୭ ବର୍ଷ ହେଲାଣି କାମ ସରୁନି। ଡିଜାଇନ ପରିବର୍ତ୍ତନ ସହ କେତେ ଠିକାଦାର ବି ବଦଳିଗଲେଣି। ଗତ ଉପ-ନିର୍ବାଚନରେ ଏହି ଅଧପନ୍ତରିଆ ପୋଲକୁ ମୁଦ୍ଧା କରି ନିର୍ବାଚନୀ ବୈତରଣୀ ପାରି ହୋଇଥିଲା ଶାସକ ଦଳ। କିନ୍ତୁ ଏଯାଏଁ କାମ ସରୁନି କି କେବେ କାମ ସରିବ, ତାହା କେହି କହିପାରୁନାହାଁନ୍ତି। କାରଣ ନିର୍ମାଣ ବିଳମ୍ବ ପାଇଁ ସଂପୃକ୍ତ ଠିକାସଂସ୍ଥା ସରକାର ଏବଂ ପ୍ରଶାସନିକ ବ୍ୟବସ୍ଥାକୁ ଦାୟୀ କରୁଥିବାବେଳେ ସ୍ଥାନୀୟ ବିଧାୟକ ଠିକା ସଂସ୍ଥା ଆଡ଼କୁ ଅଙ୍ଗୁଳି ଉଠାଉଛନ୍ତି।

Advertisment

(ରିପୋର୍ଟ- କୁଚିଣ୍ଡାରୁ ଦେବେନ୍ଦ୍ର ବେହେରା ଏବଂ ବାଲେଶ୍ୱରରୁ ପ୍ରକାଶ ମହାନ୍ତି)

2024 General Election Voters
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ