ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗରେ ଗୃହ ସରଗରମ : ପ୍ରସଙ୍ଗ ଉଠାଇଲେ ବିରୋଧୀଦଳ ମୁଖ୍ୟ ସଚେତକ

ଜୟପୁରର ବିଭିନ୍ନ ସ୍କୁଲ୍‌ରେ ଏମଡିଏମ୍‌ ଦୁର୍ନୀତି ନେଇ ଅଭିଯୋଗ ହୋଇଥିଲା ।

ଗୃହରେ ଉଠିଲା ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ

ଗୃହରେ ଉଠିଲା ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ । ଆଜି ବିଧାନସଭାରେ ଏମଡିଏମ୍‌ ଦୁର୍ନୀତି ପ୍ରସଙ୍ଗ ଉଠିଛି । ବିରୋଧୀଦଳ ମୁଖ୍ୟ ସଚେତକ ମୋହନ ମାଝୀ ଓ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇଛନ୍ତି । ଜୟପୁରର ବିଭିନ୍ନ ସ୍କୁଲରେ ଦୁର୍ନୀତି ଅଭିଯୋଗ ହୋଇଥିଲା । ଏନେଇ ଗତକାଲି ଓଟିଭିରେ ଖବର ପ୍ରସାରିତ ହୋଇଥିଲା ।

ସୂଚନା ଅନୁସାରେ ମିଡ୍‌ ଡେ’ ମିଲ୍‌ ପାଇଁ ସ୍କୁଲ ଗୁଡ଼ିକୁ ୫୦ କିଲିଆ ଚାଉଳ ବସ୍ତା ସବୁ ଆସୁଛି । ହେଲେ କେଉଁଥିରୁ ୨ କିଲୋ ତ କେଉଁଥିରୁ ଅଢ଼େଇ କିଲୋ ଲେଖାଏଁ ଗାଏବ ହୋଇଯାଉଛି । ଜୟପୁର ସହରର ପାରାବେଡ଼ା ପ୍ରାଥମିକ ସ୍କୁଲରେ ଚାଉଳ ବସ୍ତା ଓଜନ ପରେ ଅସଲ କଥା ଜଣା ପଡ଼ିଥିଲା । ସ୍କୁଲରେ ଓଜନ ମାପ ଯନ୍ତ୍ର ନଥିବା ବେଳେ ଦାୟିତ୍ୱରେ ଥିବା ଶିକ୍ଷକ କେବଳ ବସ୍ତା ସିଲ୍ ଦେଖି ଗଣତି କରି ରଖୁଥିଲେ । ସେମିତି ଜୟପୁର ବ୍ଲକ୍ ଅନ୍ତର୍ଗତ ଡିମଳା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଡଙ୍ଗରଛିଞ୍ଚି ଆଶ୍ରମ ବିଦ୍ୟାଳୟରେ ଦେଖିବାକୁ ମିଳିଥିଲା ସମାନ ସ୍ଥିତି ।

ତଥ୍ୟ କହୁଛି କୋରାପୁଟ ଜିଲ୍ଲାର ୧୪ଟି ବ୍ଲକ୍‌କୁ ଦୁଇ ଭାଗରେ ବିଭକ୍ତ କରି ନିର୍ଦ୍ଦିଷ୍ଟ ଦୁଇଟି ଠିକା ସଂସ୍ଥାକୁ ମଧ୍ୟାହ୍ନ ଭୋଜନ ଚାଉଳ ବଣ୍ଟନ ଦାୟିତ୍ୱ ଦେଇଛି ଜିଲ୍ଲା ପ୍ରଶାସନ । ତେବେ କେମିତି ପ୍ରଶାସନର ନାକ ତଳେ ଚାଲିଛି ଏତେ ବଡ଼ ବ୍ୟବସ୍ଥିତ ଚୋରି । ଏନେଇ ଜୟପୁର ଉପଜିଲ୍ଲାପାଳ କହିଥିଲେ-ଏକଥା ଜିଲ୍ଲା ଯୋଗାଣ ଅଧିକାରୀଙ୍କୁ ପଚରାଯିବ, ଦରକାର ପଡ଼ିଲେ ନୋଟିସ୍ କରି ରିପୋର୍ଟ ମଗାଯିବ । ତେବେ ଆଜି ଏହି ପ୍ରସଙ୍ଗ ପାଇଁ ବିଧାନସଭାରେ ହୁଲୁସ୍ତୁଲ ହୋଇଛି ।