ଚଣ୍ଡିଗଡ଼ : ଶାନ୍ତ ହେଲେ ସିଦ୍ଧୁ । ବଦଳିଲା ପଞ୍ଜାବ କଂଗ୍ରେସରେ ସମୀକରଣ । ଏକାଠି ହେଲେ ଚନ୍ନି ଓ ସିଦ୍ଧୁ । କଂଗ୍ରେସ କନ୍ଦଳରେ ବ୍ରେକ୍ ଲାଗିଥିବା ପରି ଜଣାପଡ଼ୁଛି । ମଙ୍ଗଳବାର ଦିନ ନବଜୋତ ସିଂ ସିଦ୍ଧୁ ଏବଂ ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନିଙ୍କ ମଧ୍ୟରେ ହୋଇଥିବା ବୈଠକରେ ନୂଆ ସମୀକରଣ ଦେଖିବାକୁ ମିଳିଛି । ପଞ୍ଜାବ କଂଗ୍ରେସରେ ବର୍ତ୍ତମାନ ସବୁ ଠିକ୍ ଥିବା ପରି ଲାଗୁଛି । ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ କଂଗ୍ରେସର ପଞ୍ଜାବ ସଭାପତି ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର ଦିନ ଏକ ବୈଠକରେ ସାମିଲ ହୋଇଛନ୍ତି । ସେମାନେ ମିଳିତ ଭାବେ କାର୍ଯ୍ୟ କରିବେ ଏବଂ ପରବର୍ତ୍ତୀ ନିର୍ବାଚନରେ ଏକାଠି ଲଢ଼ିବେ ବୋଲି କହିଛନ୍ତି । ରାଜ୍ୟରେ ଦିଆଯାଇଥିବା କିଛି ନିଯୁକ୍ତିକୁ ନେଇ ଦୁଇ ନେତାଙ୍କ ମଧ୍ୟରେ କିଛି ମତଭେଦ ହୋଇଥିଲା ।
ନିର୍ବାଚନ ରଣନୀତି ଉପରେ ଆଲୋଚନା କରିବା ପାଇଁ ମଙ୍ଗଳବାର ସନ୍ଧ୍ୟାରେ ଦଳ ବିଧାୟକ ଏବଂ ଅନ୍ୟ ବରିଷ୍ଠ ନେତାଙ୍କ ଏକ ବୈଠକରେ ଉଭୟେ ପରସ୍ପରକୁ ଭେଟିଥିଲେ । ଗତକାଲି ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ କଂଗ୍ରେସରୁ ଇସ୍ତଫା ଦେଇଥିବା ବେଳେ ରାଜନୈତିକ ଦଳର ନାମ ଘୋଷଣା କରିଥିଲେ, ଆଉ ସେହି ଦିନ ଏହି ବୈଠକ ଡକାଯାଇଥିଲା । ବୈଠକରେ ଉଭୟ ନେତାଙ୍କ ଏକତା ଦେଖିବାକୁ ମିଳିଛି ।
କଂଗ୍ରେସର ବରିଷ୍ଠ ନେତା ତଥା ପଞ୍ଜାବ ପ୍ରଭାରୀ ହରିଶ ଚୌଧରୀ ମଧ୍ୟ ବୈଠକରେ ଉପସ୍ଥିତ ଥିଲେ । ଚନ୍ନି ଏବଂ ସିଦ୍ଧୁଙ୍କ ମଧ୍ୟରେ କୌଣସି ମତପାର୍ଥକ୍ୟ ନଥିବା ଏହି ବୈଠକ ଦ୍ୱାରା ଦର୍ଶାଇଛି ଦଳ । ଦଳ ଏକଜୁଟ ହୋଇ ନିର୍ବାଚନ ଲଢ଼ିବେ । ବର୍ତ୍ତମାନ ରାଜ୍ୟରେ ସବୁ ଠିକଠାକ୍ ଅଛି ବୋଲି ବୈଠକ ପରେ ସିଦ୍ଧୁ ଗଣମାଧ୍ୟମକୁ କହିଛନ୍ତି । ଏହା ପୂର୍ବରୁ ସିଦ୍ଧୁ, ଚନ୍ନି ଓ ହରିଶ କେଦାରନାଥ ମନ୍ଦିର ଦର୍ଶନ ପାଇଁ ଯାଇଥିଲେ ।
ଚନ୍ନି, ସିଦ୍ଧୁ କେଦାରନାଥ ଯାଇ ପୂଜାର୍ଚ୍ଚନା କଲେ
ପଞ୍ଜାବର ମୁଖ୍ୟମନ୍ତ୍ରୀ ଚରଣଜିତ ସିଂ ଚନ୍ନି ଏବଂ ପଞ୍ଜାବ ପ୍ରଦେଶ କଂଗ୍ରେସ ସଭାପତି ନବଜୋତ ସିଂ ସିଦ୍ଧୁ ମଙ୍ଗଳବାର କେଦାରନାଥ ଯାଇ ପୂଜାର୍ଚ୍ଚନା କରିଛନ୍ତି । ପଞ୍ଜାବର ଅନ୍ୟ ନେତାଙ୍କ ସହ କେଦାରନାଥରେ ପହଞ୍ଚିଥିବା ଚନ୍ନି ଏବଂ ସିଦ୍ଧୁ ବାବା କେଦାରନାଥଙ୍କୁ ଭେଟି ପ୍ରାର୍ଥନା କରି ଆଶୀର୍ବାଦ କରିଥିଲେ । କେଦାରନାଥ ଯିବା ପୂର୍ବରୁ ଚନ୍ନି, ସିଦ୍ଧୁ ଏବଂ ଅନ୍ୟ ନେତାମାନେ ମଧ୍ୟ ତାଙ୍କ ଡେରାଡୁନ୍ ବାସଭବନରେ ପଞ୍ଜାବ ବ୍ୟାପାରର ପୂର୍ବତନ ଦାୟିତ୍ୱରେ ଥିବା ହରିଶ ରାୱତଙ୍କୁ ଭେଟିଥିଲେ।
ପଞ୍ଜାବ କଂଗ୍ରେସରେ ସବୁ ଠିକ୍ ଅଛି ଏବଂ ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ବିଜୟ ସୁନିଶ୍ଚିତ ବୋଲି ସାମ୍ବାଦିକଙ୍କୁ କହିଥିଲେ ହରିଶ୍ ରଓୱତ୍ । ଅଳ୍ପ ଦିନରେ ଦଳ ଅନେକ ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଛି । ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି । ପଞ୍ଜାବରେ କେବଳ କଂଗ୍ରେସ ଜିତିବ ବୋଲି ସେ ଦୃଢ଼ୋକ୍ତି କରିଛନ୍ତି ।