ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ବିଧାୟକଙ୍କ କ୍ରସ୍ ଭୋଟିଂ : ମୋକିମଙ୍କ କ୍ଷେତ୍ରରେ କାମ କଲା କି ନବୀନଙ୍କ ଅପିଲ?

ମହମ୍ମଦ ମୋକିମଙ୍କ ପଦକ୍ଷେପକୁ ବିଜେପି ଓ ବିଜେଡି ପକ୍ଷରୁ ସ୍ୱାଗତ କରାଯାଇଛି ।

ଦ୍ରୌପଦୀଙ୍କୁ ମୋହର ମାରି କହିଲେ ବିବେକ ଅନୁସାରେ ଦେଇଛି ଭୋଟ୍

ରାଷ୍ଟ୍ରପତି ନିର୍ବାଚନରେ ବିଧାନସଭାର ୯ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ଜଣେ ବିଧାୟକଙ୍କ କ୍ରସ୍ ଭୋଟିଂକୁ ନେଇ କଂଗ୍ରେସରେ କମ୍ପନ । ଦଳୀୟ ରାଜନୀତି କ୍ଷେତ୍ରରେ ଏକଥା ଆଦୌ ଗ୍ରହଣୀୟ ହୋଇନଥିଲେ ବି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍ କିନ୍ତୁ ପାର୍ଟି ଗାଇଡଲାଇନକୁ ଉପେକ୍ଷା କରି ନିଜ ବିବେକ ଅନୁସାରେ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଥିବା କହିଛନ୍ତି । ମୋକିମଙ୍କ ଏଭଳି ନିଷ୍ପତ୍ତି ରାଜ୍ୟ କଂଗ୍ରେସରେ ଭିତିରି ଅସନ୍ତୋଷକୁ ପୁଣି ପଦାକୁ ଆଣିଥିବା ବେଳେ ସେପଟେ ବିଜେପି ଓ ବିଜେଡି ତାଙ୍କ ପଦକ୍ଷେପକୁ ସ୍ୱାଗତ କରିଛନ୍ତି । ତେଣେ ଦଳମତ ନିର୍ବିଶେଷରେ ଦ୍ରୌପଦୀ ମୁର୍ମୁଙ୍କ ସପକ୍ଷରେ ଭୋଟ୍ ଦେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅପିଲ୍ କରିଥିଲେ ।

ଦଳୀୟ ଲାଇନରୁ ବାହାରି ଦ୍ରୌପଦୀଙ୍କୁ ସମର୍ଥନ ଦେଇଦେଲେ କଂଗ୍ରେସ ଏମ୍ଏଲ୍ଏ ମହମ୍ମଦ ମୋକିମ୍ । ତେଣୁ ଚର୍ଚ୍ଚା ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସରେ କ୍ରସ୍ ଭୋଟିଂ ପାଇଁ କାମ ଦେଲା କି ନବୀନଙ୍କ ନିବେଦନ ? ଆଜି ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ କଂଗ୍ରେସ ପାର୍ଟିର ନିଷ୍ପତ୍ତି ଓ ଦଳୀୟ ଗାଇଡଲାଇନଠୁ ଦୂରେଇ ଯାଇ ୟୁପିଏ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କ ବଦଳରେ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି । ବରିଷ୍ଠ କଂଗ୍ରେସ ବିଧାୟକ ମହମ୍ମଦ ମୋକିମ୍ ରାଷ୍ଟ୍ରପତି ନିର୍ବାଚନରେ ପାର୍ଟି ହ୍ୱିପର ବ୍ୟବସ୍ଥା ନଥିବା ଏବଂ ବିବେକାନୁମୋଦିତ ଭୋଟ୍ ଦେବାର ସୁବିଧା ଥିବାରୁ ସେ ତାଙ୍କ ବୁଦ୍ଧି ଓ ବିବେକ ଖଟାଇ ମାଟିର ଝିଅ ତଥା ଜଣେ ଓଡ଼ିଆଙ୍କୁ ଭୋଟ୍ ଦେବାକୁ ଅଧିକ ପସନ୍ଦ କରିଥିବା ମୋକିମ୍ କହିଛନ୍ତି । ଏଥିରେ କୌଣସି ରାଜନୀତି ନାହିଁ ବରଂ ଦଳ ତାଙ୍କ ଭାବାବେଗକୁ ବୁଝିବ ବୋଲି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଛନ୍ତି କଟକ ବାରବାଟୀର ଏହି କଂଗ୍ରେସ ବିଧାୟକ ।

ତେବେ ବିଧାନସଭାରେ କଂଗ୍ରେସର ୯ ବିଧାୟକଙ୍କ ମଧ୍ୟରୁ ୮ ଜଣ ପାର୍ଟି ଲାଇନରେ ଯାଇଥିବା ବେଳେ କେବଳ ଜଣେ ବିଧାୟକ ଏଥିରୁ ବାହାରି ଗଲେ କେମିତି ? ଏ ଘଟଣାକୁ ନେଇ ଖାଲି କଂଗ୍ରେସ ଦଳରେ ନୁହେଁ, ବରଂ ପୁରା ରାଜ୍ୟ ରାଜନୀତି ସରଗରମ୍ ଚର୍ଚ୍ଚା ହେଉଛି । ପିସିସି ସଭାପତି ରେସରେ ଥିବା ମୋକିମ୍ ଏଥିରୁ ବାଦ ପଡିବା ପରେ ଦଳ ପ୍ରତି ବିମୁଖ ଥାଇପାରନ୍ତି । କାରଣ ଏହା ପୂର୍ବରୁ ନୂଆ ସଭାପତି ଶରତ ପଟ୍ଟନାୟକଙ୍କ ପ୍ରଥମ ବୈଠକ ନବ ସଂକଳ୍ପ ସମାବେଶରେ ମଧ୍ୟ ଉପସ୍ଥିତ ନଥିଲେ ସେ ।

ସେହିପରି କଂଗ୍ରେସ ଭବନରେ ଅନୁଷ୍ଠିତ ସଭାପତି ସମ୍ବର୍ଦ୍ଧନା ଉତ୍ସବରେ କଟକରେ ଥାଇ ବି କାର୍ଯ୍ୟକ୍ରମକୁ ଆସିନଥିଲେ । କିଛି ଦିନ ତଳେ କଂଗ୍ରେସ ବିଧାୟକ ଦଳ ସମ୍ପାଦକ ପଦରୁ ଇସ୍ତଫା ଦେଇଥିଲେ । ଏସବୁ ଏକାଧିକ ଘଟଣାକ୍ରମ ପରେ ମୋକିମ୍ ଆଉ କଂଗ୍ରେସ ମଧ୍ୟରେ ଯେ କିଛି ଗୋଳମାଳିଆ ଚାଲିଛି, ତାହା ସ୍ପଷ୍ଟ ହେଉଛି । ସେପଟେ ଦଳର ଜଣେ ବରିଷ୍ଠ ବିଧାୟକ ଦଳୀୟ ନିଷ୍ପତ୍ତି ବାହାରକୁ ଯାଇଥିବାରୁ ନୂଆ ସଭାପତି ଆସିବା ପରେ କଂଗ୍ରେସରେ ଯେ ଅସନ୍ତୋଷ ରାଜନୀତି ଜମାରୁ ଥମିନି, ତାହା ଜଳ ଜଳ ଦିଶୁଛି ।

ଏଭଳି ସ୍ଥିତିରେ ମୋକିମଙ୍କ ପଦକ୍ଷେପ ସମ୍ପର୍କରେ ଦଳ ହାଇକମାଣ୍ଡଙ୍କୁ ଜଣାଇବେ ବୋଲି କଂଗ୍ରେସ ମୁଖିଆ କହିଥିବା ବେଳେ ସେପଟେ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ଉଭୟ ବିଜେପି ଓ ବିଜେଡି ।