ବିଜେଡିକୁ ଭାରୀ ପଡ଼ିପାରେ ଆଦିବାସୀ ଭୋଟ୍। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ଆଦିବାସୀ ନେତା। ବରିଷ୍ଠ ନେତା ବଳଭଦ୍ର ମାଝୀଙ୍କ ପରେ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡିକୁ ବାଏ ବାଏ କହିଛନ୍ତି। ଦଳରେ ଆଦିବାସୀ ନେତାଙ୍କୁ ଗୁରୁତ୍ୱ ମିଳୁନଥିବା ସେ ଅଭିଯୋଗ କରିଛନ୍ତି।ଆଦିବାସୀ ଜମି ହସ୍ତାନ୍ତର ଆଇନ ସଂଶୋଧନ ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ବେଳେ ସଂପ୍ରଦାୟର ନେତା ବିଜେଡି ଛାଡିବା ଦଳର ଟେନସନ ବଢାଇ ଦେଇଛି।
Also Read
ବିଜେଡିରୁ ମୁହଁ ଫେରାଉଛନ୍ତି ଆଦିବାସୀ ନେତା। ଆମଦାନୀ ହେଉଛନ୍ତି କର୍ପୋରେଟ ଚେହେରା। ପ୍ରଶାସନିକ ବାବୁଙ୍କୁ ଦିଆଯାଉଛି ପ୍ରଧାନ୍ୟ। ଆଦିବାସୀ ନେତା ବଳଭଦ୍ର ମାଝୀଙ୍କ ପରେ ବିଧାୟକ ପ୍ରେମାନନ୍ଦ ନାୟକ ବିଜେଡିକୁ ବାୟ ବାୟ କହିବା ପରେ ଜୋର ଧରିଛି ଏଭଳି ଚର୍ଚ୍ଚା। ତେବେ କ’ଣ ହୋଇପାରେ ଏହା ପଛର କାରଣ। ଦଳର ଆଦିବାସୀ ବିରୋଧୀ ଆଭିମୁଖ୍ୟରେ ଅତିଷ୍ଠ ହୋଇପଡ଼ିଛନ୍ତି କି ସଂପ୍ରଦାୟର ନେତା। ଆଦିବାସୀ ଜମି ହସ୍ତାନ୍ତର ନିୟମରେ ସଂଶୋଧନକୁ ନେଇ ଅଡୁଆରେ ପଡ଼ିଥିଲେ ସରକାର। ପରେ ନିଷ୍ପତ୍ତି ପ୍ରତ୍ୟାହାର କରିଥିଲେ ମଧ୍ୟ ଆଦିବାସୀଙ୍କ ଅସନ୍ତୋଷ ଦୂର ହୋଇନି। ତେଣେ ପେଶା ଆଇନ ଲାଗୁ ନେଇ ବି ବାରମ୍ବାର ଦାବି ହୋଇ ଆସୁଥିଲେ ବି ସରକାର ସେ ନେଇ କୌଣସି ନିଷ୍ପତ୍ତି ନେଉନାହାନ୍ତି। ଦଳ ଛାଡ଼ିଥିବା ଉଭୟ ଆଦିବାସୀ ନେତା ବି ସମାନ ଅଭିଯୋଗ ଉଠାଇଛନ୍ତି। ଦଳ ଛାଡ଼ିବା ନେଇ ପ୍ରେମାନନ୍ଦ କହିଛନ୍ତି ଯେ, ଆଦିବାସୀ ନେତାଙ୍କୁ ବିଜେଡିରେ ଆଉ ଗୁରୁତ୍ୱ ମିଳୁନି। ମୁଖ୍ୟମନ୍ତ୍ରୀଙ୍କୁଭେଟିବା ଲାଗି ସେମାନଙ୍କୁ ଅନୁମତି ମିଳୁନଥିବା ସେ ଅଭିଯୋଗ କରିଛନ୍ତି। ଏହାକୁ ନେଇ ବିରୋଧୀ ବିଜେପି ବିଜେଡିକୁ କଟାକ୍ଷ କରିଛି। ବିଜେଡି ଧନୀ ଲୋକଙ୍କ ଦଳ ଓ ଧନ କମାଇବା ନିଶାରେ କ୍ଷମତାଶାଳୀ ଲୋକ ବିଜେଡିରେ ସାମିଲ ହେଉଥିବା ବିଜେପି କହିଛି।
ବିଜେଡିର ଆଦିବାସୀ ଭୋଟ ଛିଡ଼ୁଥିବା ବେଳେ, ବିଜେପି ଆଦିବାସୀ ଇଲାକରେ ନିଜ ଶକ୍ତି ବଢାଇବାକୁ ଜୋରଦାର ଉଦ୍ୟମ କରୁଛି। ନିକଟରେ ୫ ରାଜ୍ୟର ଫଳାଫଳରୁ ଏହାର ସ୍ପଷ୍ଟ ଇଙ୍ଗିତ ମିଳିଛି। ହିନ୍ଦୀ ହାର୍ଟଲ୍ୟାଣ୍ଡରେ ବିଜେପିର ବିପୁଳ ବିଜୟ ପଛରେ ଆଦିବାସୀ ଭୋଟ ମୁଖ୍ୟ ଫ୍ୟାକଟର ବୋଲି କୁହାଯାଉଛି। ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶର ୧୦୧ ଏସ୍ଟି ସଂରକ୍ଷିତ ଆସନରେ ଦଳ ୫୩ ଟି ବିଜୟୀ ହୋଇଛି। ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଆସନରେ ବସାଇ ବିଜେପି ମାଷ୍ଟରଷ୍ଟ୍ରୋକ ଖେଳି ସାରିଛି। ଏବେ ଓଡ଼ିଶାରେ ବିଜେପିର ୨୨ ବିଧାୟକ ଥିବା ବେଳେ ୫୦ ପ୍ରତିଶତ ଆଦିବାସୀ ବର୍ଗର। ସେହିପରି ରାଜ୍ୟର ୩୩ ସଂରକ୍ଷିତ ଆସନରୁ ବିଜେଡି ୧୭ଟିରେ ବିଜୟୀ ହୋଇଥିବା ବେଳେ ବିଜେପି ୧୧, କଂଗ୍ରେସ ୩ ଓ ବାମଦଳଙ୍କ ନିକଟକୁ ଗୋଟିଏ ଆସନ ଯାଇଥିଲା। ତେବେ ଆଗାମୀ ନିର୍ବାଚନରେ ଅଙ୍କ ବଦଳିଯିବା ବୋଲି ଚର୍ଚ୍ଚା ହେଉଛି।
ରାଜ୍ୟ ଜନସଂଖ୍ୟାର ପ୍ରାୟ ୨୩ ପ୍ରତିଶତ ହେଉଛନ୍ତି ଆଦିବାସୀ। ତେବେ ପାଦ ଖସୁଥିବା ଦେଖି ଡ୍ୟାମେଜ୍ କଣ୍ଟ୍ରୋଲ ପାଇଁ ସରକାର ଜମି ହସ୍ତାନ୍ତର ଆଇନ ପ୍ରତ୍ୟହାର କରିବା ସହ ଆଦିବାସୀ ଇଲାକା ଲାଗି ଯୋଜନା ବର୍ଷା କରିଛନ୍ତି। ଲଘୁ ବନଜାତ ଦ୍ରବ୍ୟ କ୍ରୟ ପାଇଁ ଲାଭ ଯୋଜନା, ୧୬୯ ଜାତିଙ୍କୁ ଏସଟି ତାଲିକାରେ ସାମିଲ ପାଇଁ ପ୍ରସ୍ତାବ, ରାୟଗଡାରେ ୨୫ କୋଟି ବ୍ୟୟରେ ହଳଦୀ ପ୍ଲାଣ୍ଟ ପ୍ରତିଷ୍ଠା ଭଳି ଅନେକ ଲୋଭ ଦେଖାଇଛନ୍ତି। ତେବେ ଆଦିବାସୀ ଏହା ଉପରେ କେତେ ଭରସା କରୁଛନ୍ତି ଦେଖିବା କଥା।