Congress MLA Mohammed Moquim votes for NDA's Prez candidate Draupadi Murmu
ରାଷ୍ଟ୍ରପତି ନିର୍ବାଚନକୁ ନେଇ କଂଗ୍ରେସରେ ଫାଟ ସୃଷ୍ଟି ହୋଇଛି। ବିଧାନସଭାରେ ଦଳର ୯ ଜଣ ବିଧାୟକ ଥିବାବେଳେ ଦଳର ନିର୍ଦ୍ଦେଶ ଫାଙ୍କି କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ NDAର ରାଷ୍ଟ୍ରପତି ପ୍ରାର୍ଥିନୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ୍ ଦେଇଛନ୍ତି। ବିଧାନସଭାର ୫୪ ନମ୍ବର କକ୍ଷରେ ହୋଇଥିବା ବୁଥ୍ରେ ମୋକିମ ନିଜର ମତାଧିକାର ସାବ୍ୟସ୍ତ କରିଛନ୍ତି। ନିଜର ବିବେକ ଅନୁସାରେ ମାଟିର ଝିଅ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିବା ସେ କହିଛନ୍ତି।
ରାଷ୍ଟ୍ରପତି ନିର୍ବାଚନ ଲାଗି ଦଳର କୌଣସି ହ୍ୱିପ୍ ନଥାଏ। ତା’ ଛଡ଼ା ତାଙ୍କ ସାଙ୍ଗସାଥୀ ଓ ସମର୍ଥକଙ୍କ ଅନୁରୋଧ ଅନୁସାରେ, ସେ ଦ୍ରୌପଦୀଙ୍କୁ ଭୋଟ୍ ଦେଇଥିବା ମୋକିମ୍ କହିଛନ୍ତି। ସେପଟେ ଏନେଇ କଂଗ୍ରେସ ନେତାମାନେ ନିନ୍ଦା କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ତଥା ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ, ପାର୍ଟି ହାଇକମାଣ୍ଡଙ୍କ ନିର୍ଦ୍ଦେଶ ଅନୁସାରେ ବିରୋଧୀଙ୍କ ପ୍ରାର୍ଥୀ ଯଶଓ୍ୱନ୍ତ ସିହ୍ନାଙ୍କୁ ଭୋଟ୍ ଦେବା ଲାଗି ନିଷ୍ପତ୍ତି ହୋଇଥିଲା। ସମସ୍ତ ବିଧାୟକ ଭୋଟ୍ ଦେବା ପରେ ଯଶଓ୍ୱନ୍ତଙ୍କୁ ଭୋଟ୍ ଦେଇଥିବା ନେଇ କହିଥିଲେ। ହେଲେ ଗଣମାଧ୍ୟମ ଆଗରେ ମୋକିମ ଦ୍ରୌପଦୀଙ୍କୁ ଭୋଟ୍ ଦେବା କହିବାକୁ ନେଇ ସେ ଆଶ୍ଚର୍ଯ୍ୟ ହୋଇଥିବା ନରସିଂହ ମିଶ୍ର କହିଛନ୍ତି।
ସେହିପରି କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି ଯେ, ଦଳ ନିର୍ଦ୍ଦେଶ ନମାନି ଦ୍ରୌପଦୀଙ୍କୁ ଭୋଟ୍ ଦେବା ନିନ୍ଦନୀୟ। ତେବେ ମହମ୍ମଦ ମୋକିମ ଯେ ଦଳ ଉପରେ ଅସନ୍ତୁଷ୍ଟ ଅଛନ୍ତି ଏଥିରୁ ସ୍ପଷ୍ଟ ହୋଇଛି। ଏନେଇ ଦଳ ହାଇକମାଣ୍ଡଙ୍କୁ ଅବଗତ କରାଇବ। ଏହାପରେ ଯାହା ନିଷ୍ପତ୍ତି ନିଆଯିବ ତାହା କାର୍ଯ୍ୟକାରୀ କରାଯିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1658134193.jpg)