ଷଡ଼ଯନ୍ତ୍ର ବନାମ ଚକ୍ରାନ୍ତ; ଶ୍ରୀକାନ୍ତଙ୍କ ଏତଲା ପରେ ବର୍ଷିଲେ ସଂଯୁକ୍ତା

ତେଜିଲା ବିଜେଡି ନେତ୍ରୀ ସଂଯୁକ୍ତା ମହଲା ଓ ପୂର୍ବତନ ଶ୍ରମମନ୍ତ୍ରୀ ତଥା ବିଜେଡି ବିଧାୟକ ଶ୍ରୀକାନ୍ତ ସାହୁଙ୍କ କଳି। ସୋସିଆଲ ମିଡିଆ ଚାଟିଂରୁ ତାଙ୍କୁ ଓ ତାଙ୍କ ଝିଅଙ୍କ ବିରୋଧରେ ସଂଯୁକ୍ତା ମହଲା ଓ ଅନ୍ୟ ଜଣେ ହତ୍ୟା ଷଡ଼ଯନ୍ତ୍ର ରଚୁଥିବା ନେଇ ବିଧାୟକ ଶ୍ରୀକାନ୍ତ ଥାନାର ଦ୍ୱାରସ୍ଥ ହେବା ପରେ ଦୁହିଁଙ୍କ ଭିତରେ ବିବାଦ ଚରମରେ ପହଞ୍ଚିଛି।

Sanjukta Mahala

ଚରମ ସୀମାରେ ବିଜେଡି ବିଧାୟକ ଶ୍ରୀକାନ୍ତ ଓ ବିଜେଡି ନେତ୍ରୀ ସଂଯୁକ୍ତାଙ୍କ ବିବାଦ । ମହିଳା ଥାନାରେ ବିଜେଡି ନେତ୍ରୀ ସଂଯୁକ୍ତା ମହଲାଙ୍କ ଯେଉଁ ନିର୍ଯାତନା ଅଭିଯୋଗ, ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁଙ୍କ ମନ୍ତ୍ରୀପଦ ନେଇଥିଲା । ଇଏ ସେଇ ବିବାଦର ପରିବର୍ତ୍ତିତ ରୂପ । ହତ୍ୟା ଷଡ଼ଯନ୍ତ୍ର ନେଇ ଶ୍ରୀକାନ୍ତଙ୍କ ଥାନାରେ ଏତଲା ଓ ମାମଲା ।

ବିଧାୟକ ଶ୍ରୀକାନ୍ତ ସାହୁ ପୋଲସରା ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ସଂଯୁକ୍ତା ଓ ବିକାଶ ବେହେରା ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ ଚାଟିଂରୁ ତାଙ୍କ ଜୀବନ ପ୍ରତି ବିପଦ ରହିଥିବା ସେ ଜାଣିବାକୁ ପାଇଥିଲେ । ବିକାଶ ବେହେରା, ବିଧାୟକ ଶ୍ରୀକାନ୍ତ ଓ ତାଙ୍କ ଝିଅଙ୍କୁ ମାରିବାକୁ ଚାହୁଁଥିବା କହି ସାହାଯ୍ୟ ମାଗୁଥିଲା ବେଳେ ସଂଯୁକ୍ତା ସଂପୃକ୍ତ ଯୁବକଙ୍କୁ ନିଜ ମୋବାଇଲ ନମ୍ବର ଦେଇ ତାଙ୍କୁ ଯୋଗାଯୋଗ କରିବାକୁ ଜଣାଇଛନ୍ତି । ତେଣୁ ଉଭୟେ ମିଶି ବାପ-ଝିଅଙ୍କୁ ମାରିବାକୁ ଯୋଜନା କରୁଥିବା ଅଭିଯୋଗ ଆଧାରରେ ପୋଲସରା ପୋଲିସ ବି ସଂଯୁକ୍ତା ଏବଂ ବିକାଶଙ୍କ ନାଁରେ ଆଇପିସିର ଦଫା 506, 507 ଓ 120-ବି ଧାରାରେ ମାମଲା ରୁଜୁ କରିଛି । ଯାହାକୁ ନେଇ ଆଜି ଶ୍ରୀକାନ୍ତଙ୍କ ଉପରେ ବର୍ଷିଛନ୍ତି ସଂଯୁକ୍ତା ।

ସଂଯୁକ୍ତା କହିଛନ୍ତି, ବିକାଶ ନାଁରେ ଫେକ୍ ଆକାଉଣ୍ଟ ଖୋଲି ଶ୍ରୀକାନ୍ତ ହିଁ ତାଙ୍କ ବିରୋଧରେ ଚକ୍ରାନ୍ତ କରି ଫସାଇବାକୁ ଚେଷ୍ଟା କରୁଛନ୍ତି । ସେହିପରି ଶ୍ରୀକାନ୍ତ ବିଜେଡିର ବରିଷ୍ଠ ନେତାଙ୍କ ବିରୋଧରେ କହିଥିବା ବହୁ ବିବାଦୀୟ ମନ୍ତବ୍ୟର ରେକର୍ଡିଂ ମୋ ପାଖରେ ଥିବା ଜାଣି, ତାହା ବାହାରକୁ ଆସିବା ଭୟରେ ତା’ପୂର୍ବରୁ ମୋତେ ଗିରଫ କରାଇବାକୁ ଷଡ଼ଯନ୍ତ୍ର ରଚୁଥିବା କହିଛନ୍ତି ସଂଯୁକ୍ତା । ଏଥସହ ପୂର୍ବରୁ ବିଧାୟକଙ୍କ ବିରୋଧରେ ସେ ଯେଉଁ ଏତଲା ଦେଇଥିଲେ ତା’ଉପରେ 

କାର୍ଯ୍ୟାନୁଷ୍ଠାନ ନହୋଇ ବିଧାୟକ ଓଲଟା ଅଭିଯୋଗରେ ପୋଲିସର ତତ୍ପରତାକୁ ନେଇ ପ୍ରଶ୍ନ ଉଠାଇବା ସହ ଏହା ଅଦ୍ଭୁତ ସରକାର ଓ ଅଦ୍ଭୁତ ଆଇନ ବ୍ୟବସ୍ଥା ବୋଲି କହିଛନ୍ତି ସଂଯୁକ୍ତା । ଏପରିକି ଶ୍ରୀକାନ୍ତଙ୍କ ବିରୋଧରେ ସେ ଦୁଷ୍କର୍ମ ଅଭିଯୋଗ ଆଣିଥିଲା ବେଳେ ପୋଲିସ ଝଗଡ଼ାଝାଟି ଭଳି ମାମୁଲି ଦଫା ଲଗାଇଥିବାର ସାଂଘାତିକ ଅଭିଯୋଗ କରିଛନ୍ତି ସଂଯୁକ୍ତା ।

ସେପଟେ ଏହି ଘଟଣାକୁ ନେଇ ବିଧାୟକ ଶ୍ରୀକାନ୍ତ ସାହୁ କିନ୍ତୁ କ୍ୟାମେରା ଆଗରେ କିଛି କହିବାକୁ ମନା କରିଦେଇଛନ୍ତି । ତେବେ ଏ ବାବଦରେ ଥାନାରେ ଏତଲା ଦିଆଯାଇଛି । ଘଟଣାର ସତ କଣ ତଦନ୍ତ ପରେ ଜଣାପଡ଼ିବ ବୋଲି ସେ କହିଛନ୍ତି । ସେହିପରି ପୂରା ଘଟଣା ସଂପର୍କରେ ମହିଳା ଥାନା କିମ୍ବା ପୋଲସରା ପୋଲିସ ପକ୍ଷରୁ ମଧ୍ୟ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଗତ ଏପ୍ରିଲ ମାସରେ ଭୁବନେଶ୍ୱର ମହିଳା ଥାନାରେ ତତ୍କାଳୀନ ଶ୍ରମମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ସଂଯୁକ୍ତା ମହଲାଙ୍କ ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଥିଲା । ପରବର୍ତ୍ତୀ ସମୟରେ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ମନ୍ତ୍ରୀ ପଦରୁ ବାଦ୍ ପଡ଼ିଥିଲେ ଶ୍ରୀକାନ୍ତ । ତେବେ ମାମଲାରେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନଥିବା ଦର୍ଶାଇ ସଂଯୁକ୍ତା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଆଉ ଏସବୁ ଭିତରେ ବିଧାୟକ ଶ୍ରୀକାନ୍ତଙ୍କ ଏ ଅଭିଯୋଗ ବିବାଦକୁ ନୂଆ ମୋଡ଼ ଦେଇଛି ।