Advertisment

ମାଳ ମାଳ ବିଶୃଙ୍ଖଳାରେ ସରିଲା ପଞ୍ଚାୟତ ଭୋଟ୍

କେଉଁଠି ବାଲାଟ୍‌ ବକ୍ସ ନାଳରେ ଭାସିଲାଣି ତ କେଉଁଠି ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟଙ୍କୁ ଅପରପକ୍ଷର ଲୋକେ ମାଡ଼ମାରି ଲହୁଲୁହାଣ କରିଲେଣି ।

Odisha Panchayat Elections

Odisha Panchayat Elections

Advertisment

ପୂର୍ବ ୪ ଫେଜ୍ ଭଳି ଶେଷ ତଥା ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ଭୋଟ୍‌କୁ ବି କବଳିତ କଲା ହିଂସା । କେଉଁଠି ବୁଥ୍ ପରିସର ରଣକ୍ଷେତ୍ର ପାଲଟିଲା ତ କେଉଁଠି ବାଲଟ୍‌ ବାକ୍ସ ଉଠାଇ ପାଣିକୁ ଫୋପାଡ଼ି ଦେଲେ ଦୁର୍ବୃତ୍ତ, ପୁଣି କେଉଁଠୁ ମନ୍ତ୍ରୀଙ୍କ ନାଁରେ ଆସିଛି ବୁଥ୍ ଜବରଦଖଲ ଅଭିଯୋଗ । ବିଶୃଙ୍ଖଳାର ଏଭଳି ମାଳ ମାଳ ଚିତ୍ର ଭିତରେ ଆଜି ସମ୍ପୂର୍ଣ୍ଣ ହେଲା ୫ ପର୍ଯ୍ୟାୟ ପଞ୍ଚାୟତ ମତଗ୍ରହଣ ପ୍ରକ୍ରିୟା ।

Advertisment

ଭଦ୍ରକ ଜିଲ୍ଲା ଅର୍ଜୁନପୁର ପଞ୍ଚାୟତର ଅଭିଯୋଗ ଥିଲା ଯେ, ଏହି ପଞ୍ଚାୟତର ତରେଇସାହିର ୬ ଓ ୭ନମ୍ବର ବୁଥ୍‌ରେ ଜଣେ ନିର୍ଦ୍ଦିଷ୍ଟ ସରପଞ୍ଚ ପ୍ରାର୍ଥୀଙ୍କ ଏଜେଣ୍ଟ ଅମର ବିଶ୍ୱାଳଙ୍କୁ ଅପରପକ୍ଷର ଲୋକେ ମାଡ଼ମାରି ଲହୁଲୁହାଣ କରିବା ସହ ବୁଥ୍ କ୍ୟାପଚରିଂ ଉଦ୍ୟମ କରିଥିଲେ । ଯାହାକୁ ନେଇ ତୀବ୍ର ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା । ସ୍ଥିତି ଏପରି ଥିଲା କି ବୁଢା, କି ମହିଳା, ଯିଏ ପାଇଲା ପିଟିଲା । ଖବର ପାଇ ସଶସ୍ତ୍ର ପୋଲିସ୍ ତୁରନ୍ତ ଘଟଣାସ୍ଥଳକୁ ଆସି ଆକ୍ରମଣକାରୀଙ୍କୁ ଗୋଡ଼େଇଲା ପରେ ସେଠାରେ କଡ଼ା ସୁରକ୍ଷାରେ ମତଦାନ ହୋଇଥିଲା ।

ସେଇ ଭଦ୍ରକ ଜିଲ୍ଲାର କଟସାହି ପଞ୍ଚାୟତର ୧ନମ୍ବର ବୁଥିରେ କିନ୍ତୁ ବନ୍ଦ ରହିଥିଲା ଭୋଟିଂ, କାରଣ ଏଠାରେ ମାତ୍ର ୩୬ଜଣ ଭୋଟ୍‌ର ମତଦାନ ସାବ୍ୟସ୍ତ କରି ସାରିବା ପରେ ହଠାତ୍ ଜଣେ ଏଜେଣ୍ଟ ପ୍ରିଜାଇଡିଂ ଅଫିସରଙ୍କ ହାତରୁ ସବୁ ବାଲାଟ୍ ପେପର ଛଡ଼ାଇ ଦୌଡ଼ି ପଳାଇଥିଲା । ପରେ ପୋଲିସ ଓ ସ୍ଥାନୀୟ ଲୋକେ ତାକୁ ଗୋଡ଼େଇ ଧରିଥିଲେ ବି ଉତ୍ତେଜନା କାରଣରୁ ଭୋଟିଂ ସ୍ଥଗିତ ରହିଥିଲା । ଏଜେଣ୍ଟଙ୍କ ମାଡ଼ରେ ଜଣେ ବୃଦ୍ଧା ଭୋଟର ଆହତ ହୋଇଥିବାର ଦେଖିବାକୁ ମିଲିଥିଲା ।

Advertisment

ଏମିତି ମଧ୍ୟ କିଛି ଦୃଶ୍ୟ ଥିଲା ଯେ, ନାଳରେ ବାଲାଟ୍ ବକ୍ସ ଭାସୁଥିବାର ଦେଖିବାକୁ ମିଳିଥିଲା । କଟକ ଜିଲ୍ଲା ନିଆଳି ପୋଖରୀ ଗାଁ ପଞ୍ଚାୟତରେ ଆଜି ମତଦାନବେଳେ ପ୍ରାୟ ୧୫ଟି ବୁଥ୍‌ରେ ରିଗିଂ ଅଭିଯୋଗ ଆସିବା ପରେ ତାତିଥିଲେ ଗାଁ ଲୋକେ । ଦୀର୍ଘ ସମୟ ଧରି ହଲ୍ଲାପଟା ଚାଲିଥିବାବେଳେ ହଠାତ୍ ଜଣେ ସରପଞ୍ଚ ପ୍ରାର୍ଥିନୀଙ୍କ ସମର୍ଥକ ଭୋଟ୍ ବାକ୍ସ ଉଠାଇ ନେଇ ନାଳରେ ଫିଙ୍ଗିଥିଲେ ଓ କିଛି ବାକ୍ସରେ ପାଣି ପୁରାଇ ଦେଇଥିଲେ ।

ସୂଚନା ଅନୁସାରେ ଏହି ପଞ୍ଚାୟତର ୧୧ରୁ ୧୯ ନମ୍ବର ଯାଏଁ ସବୁ ବୁଥ୍‌ରେ ମତଦାନ ବନ୍ଦ ରହିଛି । ଦୁର୍ବୃର୍ତ୍ତଙ୍କ ଆକ୍ରମଣରେ ଜଣେ ସ୍ଥାନୀୟ ଲୋକ ଆହତ ହୋଇଛନ୍ତି । ତେବେ ଏହି ପଞ୍ଚାୟତର ସବୁ ବୁଥ୍‌ରେ ଆଉଥରେ ରି-ପୋଲିଂ ପାଇଁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ସେଇ ନିଆଳି ବ୍ଲକର୍ ବିଳାସୁଣୀ ପଞ୍ଚାୟତର ୧୪ ନଂ ବୁଥରୁ ଦୁର୍ବୃର୍ତ୍ତ ଭୋଟ୍ ବାକ୍ସ ଉଠାଇ ନେଇ ପାଣିରେ ପକାଇ ଦେଇଥିବାବେଳେ, ଅଲଣା ପଞ୍ଚାୟତର ୧୨ ନଂ ବୁଥରେ ଭୋଟ୍ ବାକ୍ସରେ ପାଣି ପୂରାଇ ଦେଇଛନ୍ତି ଉତ୍ତ୍ୟକ୍ତ ।

Advertisment

ସେପଟେ ଭୋଟ୍‌ ବେଳେ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ ନାଁରେ ଆସିଛି ସାଂଘାତିକ ଅଭିଯୋଗ । ମନ୍ତ୍ରୀ ଆଜି ନିଜ ଗାଁ ଭଂଜନଗର ଥାନା ଜିଲୁଣ୍ଡି ପଞ୍ଚାୟତ ଆଗଝୋଳର ୧୭ ନମ୍ବର ବୁଥ୍‌ରେ ମତଦାନ ସାରିବା ପରେ ୧୬ ଓ ୧୮ ନମ୍ବର ବୁଥ୍‌ରେ ପଶି ଏଜେଣ୍ଟଙ୍କୁ ମାଡ଼ ମାରି ବାହାରିଯିବାକୁ କହିଥିଲେ । ଏହି ସମୟରେ ଜଣେ ସମିତିସଭ୍ୟ ପ୍ରାର୍ଥୀ ଅଯୋଧ୍ୟାନାଥ ମହାପାତ୍ର ଏହାକୁ ବିରୋଧ କରିବାରୁ ମନ୍ତ୍ରୀ ଉତଖିପ୍ତ ହୋଇ ତାଙ୍କୁ ମଧ୍ୟ ମା଼ଡ ମାରିବା ସହ ତାଙ୍କ ମୋବାଇଲ୍ ଭାଙ୍ଗି ଦେଇଥିବା ଅଭିଯୋଗ କରିଛନ୍ତି ଅଯୋଧ୍ୟାନାଥ ।

ତେଣୁ ୧୬,୧୭ ଓ ୧୮ ନମ୍ବର ବୁଥ୍‌ରେ ସାନି ମତଦାନ ପାଇଁ ଦାବି କରି ସେ ବ୍ଲକ୍ ନିର୍ବାଚନ ଅଧିକାରୀଙ୍କୁ ଭେଟି ଲିଖିତ ଆକାରରେ ଜଣାଇଛନ୍ତି । ଅଯୋଧ୍ୟାନାଥଙ୍କ ସହ ଜିଲୁଣ୍ଡି ପଞ୍ଚାୟତ ଆସୁଥିବା ୫୧ନମ୍ବର ଜିଲ୍ଲା ପରିଷଦ ଜୋନ୍‌ରୁ ଲଢୁଥିବା ବିଜେପି ପ୍ରାର୍ଥୀ ରବୀନ୍ଦ୍ର ଗୌଡ଼ ମଧ୍ୟ ବିଡିଓଙ୍କୁ ଭେଟି ସମାନ ଦାବି ରଖିଛନ୍ତି । ସେପଟେ ଏହି ଘଟଣାରେ ମନ୍ତ୍ରୀ ଆରୁଖଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି-ସେଭଳି କୌଣସି ଘଟଣା ଘଟିନାହିଁ ।

ଶେଷ ପର୍ଯ୍ୟାୟରେ ବି ଭୋଟ୍ ବିଶୃଙ୍ଖଳାର ମାଳ ମାଳ ଚିତ୍ର ଆସିବା ପରେ, ଏଥରର ପଞ୍ଚାୟତ ନିର୍ବାଚନ କେତେ ଭୟମୁକ୍ତ ହୋଇଥିବ ତାହା ସହଜରେ ଅନୁମେୟ କରିପାରୁଥିବେ ।

Poll Violence Odisha Panchayat Elections
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ