Advertisment

ବଦଳିଲା ସରକାର, ବଦଳିଲା ସମସ୍ୟା; ମହାନଦୀକୁ ନେଇ ନୂଆ ସରକାର ଉପରେ ଦୋଷ ଲଦିଲା BJD

ମହାନଦୀକୁ ନେଇ ପୁଣି ଆରମ୍ଭ ହେଲା ବୟାନବାଜି । ନୂଆ ସରକାର ଆସିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦରେ ଏବେ ନୂଆ ଅଭିଯୋଗ ଯୋଡ଼ି ହୋଇଛି ।

ଅଦ୍ୟତନ ହୋଇଛି
Odisha Politics

Odisha Politics

Advertisment

ମହାନଦୀକୁ ନେଇ ପୁଣି ଆରମ୍ଭ ହେଲା ବୟାନବାଜି । ନୂଆ ସରକାର ଆସିବା ପରେ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଲାଗି ରହିଥିବା ବିବାଦରେ ଏବେ ନୂଆ ଅଭିଯୋଗ ଯୋଡ଼ି ହୋଇଛି । ବିରୋଧୀ ବିଜେଡିର ବରିଷ୍ଠ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ମହାନଦୀ ଶୁଖି ଯାଉଛି- ଯେତିକି ପାଣି ମିଳିବା କଥା ଓଡ଼ିଶାକୁ ସେତିକି ମିଳୁନି ।

Advertisment

ଏବେ ଓଡ଼ିଶାରେ ଓ ଛତିଶଗଡ଼ରେ ବିଜେପି ସରକାର ତେଣୁ ମହାନଦୀ ବିବାଦ ସମାଧାନ ସହଜ ହେବ ବୋଲି ସେ କହିଛନ୍ତି । ସେପଟେ ବିଜେଡିର ଏଭଳି ବୟାନକୁ ନେଇ କଡ଼ା ସମାଲୋଚନା କରିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ବିଜେଡି ୨୪ ବର୍ଷ ସରକାରରେ ରହିବା ପରେ ଏବେ ଜାଣିଲେ କି ମହାନଦୀ ଶୁଖିଗଲା ବୋଲି?

ମହାନଦୀର, ଓଡ଼ିଶାର ସ୍ୱାର୍ଥ ପାଇଁ କେବେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଥିଲେ କି? ପ୍ରଧାନମନ୍ତ୍ରୀ କିମ୍ବା କେନ୍ଦ୍ର ସରକାରଙ୍କୁ କେବେ ଏନେଇ ଅବଗତ କରାଇଥିଲେ କି ? ବୋଲି ପ୍ରଶ୍ନ କରିଛନ୍ତି ସୁରେଶ ପୂଜାରୀ ।

Advertisment

ଏବେ ବହୁତ ବିଳମ୍ବ ହେଇସାରିଛି, ବହୁତ କ୍ଷତି ସହିଛି ଓଡ଼ିଶା । ତଥାପି ବିଜେପି ସରକାର ଓଡ଼ିଶାବାସୀଙ୍କୁ ନ୍ୟାୟ ଦେବ ବୋଲି ଦୋହରାଇଛନ୍ତି ରାଜସ୍ୱ ମନ୍ତ୍ରୀ । ଅନ୍ୟପଟେ କଂଗ୍ରେସ କହିଛି ଏବେ କେନ୍ଦ୍ରରେ, ଓଡ଼ିଶାରେ, ଛତିଶଗଡ଼ରେ ବିଜେପିର ସରକାର ରହିଛି । ଟ୍ରିପଲ୍ ଇଞ୍ଜିନ ସରକାରରେ ଯଦି, ମହାନଦୀ ବିବାଦ ସମାଧାନ ନହେଲେ କଂଗ୍ରେସ ଆନ୍ଦୋଳନ କରିବ ବୋଲି ତାରା କହିଛନ୍ତି ।

ସେପଟେ ଦିନକୁ ଦିନ ପ୍ରଦୂଷିତ ହେଉଛି ମହାନଦୀ ପାଣି । ଗତ ଫେବୃଆରୀରେ ସମ୍ବଲପୁରର ୪ଟି ସ୍ଥାନରୁ ମହାନଦୀ ଜଳ ନମୁନା ପରୀକ୍ଷା କରି, ଏହାକୁ 'ସି' ଶ୍ରେଣୀଭୁକ୍ତ ଦର୍ଶାଇଥିଲା ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ । ଅର୍ଥାତ୍ ଏହା ବ୍ୟବହାର ଅନୁପଯୋଗୀ ଏବଂ ଏଥିରେ ରହିଛି ଜଣ୍ଡିସ ସୃଷ୍ଟିକାରୀ ବ୍ୟାକ୍ଟେରିଆ ।

Advertisment

ପିଇବା ତ ଦୂରର କଥା, ଗାଧୁଆ ଯୋଗ୍ୟ ବି ନୁହେଁ । ହେଲେ ବାସ୍ତବ ସ୍ଥିତିକୁ ଦେଖିଲେ, ସଚେତନତା ଅଭାବରୁ ଏବେବି ଲୋକେ ନଈରେ ଗାଧୋଉଛନ୍ତି, ବାଲଟିରେ ପାଣି ବି ନେଉଛନ୍ତି । ସ୍ଥାନୀୟ ଲୋକଙ୍କ କହିବା କଥା- ବାଲିବନ୍ଧା, ବୀଣାଖଣ୍ଡୀ ଓ ସଡ଼କଘାଟ ଠାରେ ମହାନଦୀରେ ସିଧାସଳଖ ମିଶୁଛି ଆବର୍ଜନା ପାଣି । ହୀରାକୁଦ ଡ୍ୟାମରେ ମିଶୁଛି ଶିଳ୍ପାନୁଷ୍ଠାନର ପ୍ରଦୁଷିତ ଜଳ ।

ବୌଦ୍ଧରେ ମଧ୍ୟ ସମାନ ସ୍ଥିତି । ନଦୀ କୂଳରେ କୁଢ଼ କୁଢ଼ ଆବର୍ଜନା... ଦୁର୍ଗନ୍ଧରେ ନାକ ଫାଟି ପଡ଼ୁଛି । ପ୍ଲାଷ୍ଟିକ ଓ ଅନ୍ୟ ବର୍ଜ୍ୟବସ୍ତୁ ମହାନଦୀ ପ୍ରତି ବିପଦ ସୃଷ୍ଟି କରିଛି । ବୌଦ୍ଧ ସହରର ନର୍ଦ୍ଦମା ପାଣି ନଦୀକୁ ନିଷ୍କାସନ ହେବା ଫଳରେ, ପ୍ରଦୂଷଣର ମାତ୍ରା ଗମ୍ଭୀର ହେବାରେ ଲାଗିଥିବା ଅଭିଯୋଗ ହୋଇଛି । ମାଛ ଓ ଚିଙ୍ଗୁଡ଼ି ମାରିବା ପାଇଁ ମହାନଦୀରେ ନିୟମିତ ବ୍ଲାଷ୍ଟିଂ ଓ କୀଟନାଶକ ବ୍ୟବହାର ଫଳରେ, ବହୁ ପ୍ରଜାତିର ମାଛ ଲୋପ ପାଇବାକୁ ବସିଲେଣି ।

Mahanadi Water Dispute Mahanadi Dispute
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ