Advertisment

ରାଜନୀତିରେ ପାଣ୍ଡିଆନଙ୍କ ସଫ୍ଟ ଲ୍ୟାଣ୍ଡିଂ, ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ

ରାଜନୀତିରେ ପଶୁ ପଶୁ ବିଜେଡି ରାଜନେତା ପାଣ୍ଡିଆନଙ୍କ ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ହମଲା। ଶଙ୍ଖ ଧରୁ ଧରୁ ତାଙ୍କ ଉପରେ ଓଡ଼ିଆ ଅସ୍ମିତାର ତୀର ମାରିଛନ୍ତି ବିରୋଧୀ।

VK Pandian Join BJD

VK Pandian Join BJD

Advertisment

ଶେଷରେ ସିଧାସଳଖ ରାଜନୀତି ପଙ୍କରେ ପଶିଲେ ପାଣ୍ଡିଆନ । କାର୍ତ୍ତିକ ପୂର୍ଣ୍ଣିମା । ସକାଳ ଠିକ୍ ୧୦ଟା ୧୫ ମିନିଟ୍ । ଦଳର ବହୁ ବରିଷ୍ଠ ନେତାଙ୍କ ଉପସ୍ଥିତିରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଦ ଛୁଇଁ, ଭି.କେ ପାଣ୍ଡିଆନ୍‌ଙ୍କ ବିଜେଡି ପ୍ରବେଶ ବେଳର ଦୃଶ୍ୟ ଇଏ । ପୁଣି ଦଳୀୟ ବ୍ୟାଜ୍ ପିନ୍ଧାଉଛନ୍ତି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ। ଫାଇଭ୍‌ ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବାର ୩୪ ଦିନ ପରେ ପାଣ୍ଡିଆନ ଆଜି ଏଭଳି ଢଙ୍ଗରେ ବିଜେଡିରେ ମିଶିବାକୁ ସ୍ୱାଗତ କରିଛନ୍ତି ମୁଖ୍ୟମନ୍ତ୍ରୀ। ଶୁଭେଚ୍ଛା ଜଣାଇ କହିଛନ୍ତି, ବହୁ ବର୍ଷ ହେଲା ରାଜ୍ୟ ପାଇଁ ସେ କଠିନ ପରିଶ୍ରମ କରୁଛନ୍ତି, ଦଳର ଜଣେ ସଦସ୍ୟ ଭାବେ ତାହା ଜାରି ରଖିବେ। ଶଙ୍ଖ ଧରିବା ପରେ ପାଣ୍ଡିଆନ ବି କହିଛନ୍ତି , ମହାପ୍ରଭୁଙ୍କ ଆଶୀର୍ବାଦ ଓ ମୁଖ୍ୟମନ୍ତ୍ରୀଙ୍କ ଗାଇଡାନସରେ ଓଡ଼ିଶାବାସୀଙ୍କ ପାଇଁ ନିସ୍ୱାର୍ଥପର ଭାବେ କାମ କରିବି। ସେହିପରି ନିଜ ପ୍ରଶାସନିକ ଅଭିଜ୍ଞତାକୁ ପାଣ୍ଡିଆନ୍ ଦଳ ପାଇଁ କାର୍ଯ୍ୟରେ ଲଗାଇବେ କହି ବିଜେଡିର ବରିଷ୍ଠ ନେତାଏ ବି ତାଙ୍କୁ ଦଳକୁ ସ୍ୱାଗତ କରିଛନ୍ତି । ନବୀନ ନିବାସ ମିଶ୍ରଣ ପର୍ବ ପରେ ବିଜେଡି ମୁଖ୍ୟାଳୟ ଶଙ୍ଖ ଭବନ ବି ଯାଇ ରକ୍ତଦାନ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ପାଣ୍ଡିଆନ୍।

Advertisment

ଏପଟେ ରାଜନୀତିରେ ପଶୁ ପଶୁ ବିଜେଡି ରାଜନେତା ପାଣ୍ଡିଆନଙ୍କ ଉପରେ ଆରମ୍ଭ ହୋଇଯାଇଛି ରାଜନୈତିକ ହମଲା। ଶଙ୍ଖ ଧରୁ ଧରୁ ତାଙ୍କ ଉପରେ ଓଡ଼ିଆ ଅସ୍ମିତାର ତୀର ମାରିଛନ୍ତି ବିରୋଧୀ। ବିଜେପି ରାଷ୍ଟ୍ରୀୟ ଉପାଧକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି, ଯାହା ନାଁରେ ଦଳ ହୋଇଛି, ସେହି ବିଜୁ ବାବୁ ସ୍ୱାଭିମାନୀ ଓଡ଼ିଆ ଥିଲେ। ତାଙ୍କ ଆତ୍ମା ଯେବେ ଦେଖୁଥିବ, ତାଙ୍କ ନାଁରେ ଗଠିତ ଦଳକୁ ଚଳାଇବାକୁ ସାଢ଼େ ୪ କୋଟି ଓଡ଼ିଆଙ୍କ ଭିତରୁ କେହି ମିଳିଲେନି, ତାଙ୍କ ଆତ୍ମା କଷ୍ଟ ପାଉଥିବ, ଛାଟିପିଟି ହେଉଥିବ। ସେହିପରି ବରିଷ୍ଠ କଂଗ୍ରେସ ନେତା ବି ପାଣ୍ଡିଆନଙ୍କ ଦେହରେ ତାମିଲନାଡୁ ଷ୍ଟିକର ମାରିବାର ଉଦ୍ୟମ କରିଛନ୍ତି।

ଆଇଏଏସରୁ ରାଜନେତା। ଗଞ୍ଜାମ କଲେକ୍ଟରରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ରାସ୍ତା ଦେଇ ବିଜେଡି ନେତା। ତେବେ ପାଣ୍ଡିଆନଙ୍କ ଏ ରାଜନୈତିକ ଉଚ୍ଚାକାଂକ୍ଷା ଯେ ଯୋଜନାବଦ୍ଧ ଏବଂ ପୂର୍ବ ନିର୍ଦ୍ଧାରିତ ତାହା ନବୀନଙ୍କ ୨୦୧୯ ବିଜୟ ପରର ଏ ଚିତ୍ରରୁ ସ୍ପଷ୍ଟ ଦିଶିବା ଆରମ୍ଭ କରିଥିଲା ବୋଲି ରାଜନୈତିକ ବିଶାରଦଙ୍କ ମତ। କାରଣ ଆଗରୁ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭାବେ ପ୍ରଚ୍ଛଦ ପଟରୁ ଥାଇ ସେ ଯାହା କରୁଥିଲେ, ଏଇ ଚିତ୍ର ପରଠୁ ବେଶି ବେଶି ସାମ୍ନାକୁ ଆସିବାକୁ ଲାଗିଲେ। ଏହାପରେ ଫାଇଭ୍-ଟି ସଚିବ ଭାବେ ପ୍ରାୟତଃ ସବୁ ବିଭାଗକୁ ନିଜ ହାତ ମୁଠାରେ ରଖିଲେ।

Advertisment

ଆଉ ୨୪ ନିର୍ବାଚନ ପାଖୋଉ ପାଖୋଉ ରାଜନୀତିକୁ ଏଣ୍ଟ୍ରି କରିବା ପୂର୍ବରୁ ସିଏମଓ ଡୋରଷ୍ଟେପ୍‌କୁ ଯାଉଛି କହି ମୈଦାନ ପରଖିବାକୁ ୩୦ଟା ଯାକ ଜିଲ୍ଲା ବୁଲିଲେ। ବିବାଦ ବଢ଼ିବାରୁ ଗତ ମାସ ମହାନବମୀରେ ଆଇଏଏସ୍ ଚାକିରି ଛାଡ଼ିଲେ। ଆଉ ୨୪ ଘଣ୍ଟା ନ ପୂରୁଣୁ ବିଜୟା ଦଶମୀ ଅର୍ଥାତ୍ ଅକ୍ଟୋବର ୨୪ ତାରିଖରେ ତାଙ୍କୁ ମୁଖ୍ୟମନ୍ତ୍ରୀ ଏକାଥରେ ଫାଇଭ୍-ଟି ଓ ନବୀନ ଓଡ଼ିଶାର ଅଧ୍ୟକ୍ଷ ପଦରେ ବସାଇଲେ। ତେବେ ପାଣ୍ଡିଆନଙ୍କ ରାଜନୈତିକ ସଫଟଲ୍ୟାଣ୍ଡିଂ ଏତିକିରେ ସରିନଥିଲା। ଦୁଇ ଦୁଇଟି ପଦବୀରେ ରହିବା ପରଠୁ ବିଭିନ୍ନ ସରକାରୀ ସଂଗଠନଠୁ ନେଇ ଦଳୀୟ ତଥା ଅନ୍ୟ ସଂଗଠନ ଯାଏ ପାଣ୍ଡିଆନଙ୍କୁ ଶୁଭେଚ୍ଛା ଦେବାକୁ ନବୀନ ନିବାସରେ ପ୍ରାୟ ପ୍ରତିଦିନ ଭିଡ଼ ଲାଗୁଥିଲା। ଆଉ ମାହୋଲ ବନିବା ପରେ ଶେଷରେ କାର୍ତ୍ତିକ ପୂର୍ଣ୍ଣିମାରେ ସିଧାସଳଖ ରାଜନୀତିକୁ ଓହ୍ଲାଇଲେ ପାଣ୍ଡିଆନ୍। ବିଧାୟକ ପ୍ରଦୀପ ପାଣିଗ୍ରାହୀ ବି ଠିକ୍ ସେଇ ଦିଗକୁ ଇସାରା କରିଛନ୍ତି।

Bhubaneswar BJD VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ