ଛକାପଞ୍ଝା ଭିତରେ ସରିଲା ପଦ୍ମପୁର ଉପନିର୍ବାଚନ ନାମାଙ୍କନ; କାଲିଠୁ କମ୍ପିବ ପ୍ରଚାର ମଇଦାନ

ସବୁ ଦଳ ମୈଦାନକୁ ନିଜ ନିଜର ଯୋଦ୍ଧା ଓହ୍ଲାଇଛନ୍ତି । ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତା’ପରେ ଜୋରଦାର ହେବ ପ୍ରଚାର ।

Nominations

ପ୍ରଥମ ୭ ଦିନରେ ଶୂନ୍, ଆଉ ଶେଷ ଦିନରେ ୧୩ ପ୍ରାର୍ଥିପତ୍ର ଦାଖଲ ପାଇଁ ପୁରା ଛକାପଞ୍ଝା ସ୍ଥିତି । ଜଣେ ପ୍ରାର୍ଥୀ ନୋମିନେସନ୍ ରୁମ୍‌ରୁ ନବାହାରୁଣୁ ପଛରେ ଆଉ ଜଣେ ହାଜର । କିଛି ଏମିତି ଥିଲା ଆଜି ପଦ୍ମପୁର ଉପଜିଲ୍ଲାପାଳ ଅଫିସ୍‌ରର ଚିତ୍ର । ଦିନ ୧୧ଟାରୁ ୩ଟା ପର୍ଯ୍ୟନ୍ତ ପ୍ରାର୍ଥିପତ୍ର ଦାଖଲ ସମୟ ଥିବା ବେଳେ ବହୁ ସଂଖ୍ୟକ ପ୍ରାର୍ଥୀ ଯୋଗୁଁ ପ୍ରକ୍ରିୟା ଲମ୍ବିଥିଲା ସଂଧ୍ୟା ଯାଏଁ ।

ଆଜି ପ୍ରଥମେ ସ୍ୱାଧୀନ ପ୍ରାର୍ଥୀ ଭାବେ ନାମାଙ୍କନ ଭରିଥିଲେ ଜୟନ୍ତ ଥାପ୍ପା । ଏହା ପରେ ପହଞ୍ଚିଥିଲେ ବିଜେଡି ପ୍ରାର୍ଥୀ ଓ ତାଙ୍କ ଟିମ୍ । ବିଜେଡି ପ୍ରାର୍ଥିନୀ ବର୍ଷା ସିଂ ବରିହା, ଘରୁ ବାହାରିବା ପୂର୍ବରୁ ବାପା ବିଜୟ ରଂଜନ ସିଂ ବରିହାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ସେତିକି ବେଳେ ଭାବ ବିହ୍ୱଳ ହୋଇପଡ଼ିଥିଲେ ବର୍ଷା । ମା ତିଳୋତ୍ତମା ସିଂ ବରିହା ଓ ଅନ୍ୟ ବରିଷ୍ଠ ନେତାଙ୍କ ଆଶୀର୍ବାଦ ନେଇ ସେ ବାହାରିଥିଲେ । ଦଳ ପକ୍ଷରୁ କୌଣସି ବଡ ରାଲି କରାଯାଇନଥିଲା କିନ୍ତୁ ବର୍ଷାଙ୍କ ସହ ଥିଲେ ଦଳର ବହୁ ବରିଷ୍ଠ ନେତା ଓ ପୁରା ମହିଳା ବ୍ରିଗେଡ୍ । ସେମାନଙ୍କ ଗହଣରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ବର୍ଷା ।

ବିଜେଡି ପରେ ପାଳି ପଡ଼ିଥିଲା କଂଗ୍ରେସ୍‌ର । ନାମାଙ୍କନ ଭରିବା ପୂର୍ବରୁ ପଦ୍ମପୁୁର ଗୋରୁ ମାର୍କେଟରୁ ଏକ ଶୋଭାଯାତ୍ରାରେ ବାହାରିଥିଲେ ସତ୍ୟଭୂଷଣ ସାହୁ ଓ ତାଙ୍କ ଟିମ୍ । ଉପଜିଲ୍ଲାପାଳଙ୍କ ଅଫିସ୍ ପାଖରେ ଥିବା ରିକ୍ରେସନ୍ ସେଣ୍ଟରେ ଆୟୋଜିତ ହୋଇଥିଲା ସଭା । ଯେଉଁଥିରେ ପିସିସି ସଭାପତି ଶରତ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ଅନ୍ୟ ନେତାମାନେ ଉପସ୍ଥିତ ରହି କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସମାଲୋଚନା କରିଥିଲେ । ଏହାାପରେ ନାମାଙ୍କନ ଦାଖଲ ପାଇଁ ପହଞ୍ଚିଥିଲେ ସତ୍ୟଭୂଷଣ ।

ସେତିକି ବେଳେ ଜଣେ ସ୍ୱାଧୀନ ପ୍ରାର୍ଥୀ ନାମାଙ୍କନ ଭରୁଥିବାରୁ ପଛରେ ଛିଡା ହୋଇଥିଲେ ସତ୍ୟଭୂଷଣ ଓ ଟିମ୍ କଂଗ୍ରେସ୍ । ସମାନ ସ୍ଥିତି ଉପୁଜିଥିଲା ବିଜେପି ପାଇଁ । ସମୟ କମ୍ ଥିବାରୁ କଂଗ୍ରେସ୍ ନୋମିସେସନ୍ ନ ସରୁଣୁ ରୁମ୍‌କୁ ପଶିଥିଲେ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ସମେତ ପୁରା ଟିମ୍ । କିଛି ସମୟ ଅପେକ୍ଷା କରିବା ପରେ ପଡ଼ିଥିଲା ପଦ୍ମ ଦଳର ପାଳି । ସାଂସଦ ସୁରେଶ ପୂଜାରୀ, ବିରୋଧୀ  ଦଳ ନେତା ଜୟନାରାୟଣ ମିଶ୍ର, ରାଜ୍ୟ ସଭାପତି ସମୀର ମହାନ୍ତି ଆଦି ନେତାଙ୍କ ଉପସ୍ଥିତିରେ ନାମାଙ୍କନ ଭରିଥିଲେ ପ୍ରଦୀପ । ସେ ବି ନାମାଙ୍କନ ଭରିବାକୁ ଯିବା ପୂର୍ବରୁ ନେଇଥିଲେ ମାଆଙ୍କ ଆଶୀର୍ବାଦ ।

ସେପଟେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଅଫିସ୍ ଆଗରେ ଚାଷୀ ସଂଗଠନର ଆନ୍ଦୋଳନ କିନ୍ତୁ ଜାରି ରହିଛି । ଉପନିର୍ବାଚନରେ ପ୍ରାର୍ଥିପତ୍ର ଦାଖଲ ନକରିବା ପାଇଁ ପୂର୍ବରୁ ସେମାନେ ସବୁ ଦଳକୁ ଅନୁରୋଧ କରିଥିଲେ । କିନ୍ତୁ ଶେଷରେ ସବୁ ଦଳ ମୈଦାନକୁ ନିଜ ନିଜର ଯୋଦ୍ଧା ଓହ୍ଲାଇଛନ୍ତି । ଏହାପରେ ଚାଷୀ କହିଛନ୍ତି, ସେମାନଙ୍କ ସମସ୍ୟା ପ୍ରତି କାହାରି ନିଘା ନାହିଁ । ସବୁ ଦଳ ନିର୍ବାଚନ ସର୍ବସ୍ୱ ରାଜନୀତି କରୁଛନ୍ତି ।

ଆସନ୍ତାକାଲି ନାମାଙ୍କନ ଯାଞ୍ଚ ଓ ୨୧ ତାରିଖ ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ତାରିଖ ରହିଛି । ତା’ପରେ ଜୋରଦାର ହେବ ପ୍ରଚାର । ଡିସେମ୍ବର ୫ରେ ଭୋଟ୍‌ଗ୍ରହଣ ହୋଇ ୮ ତାରିଖରେ ଫଳାଫଳ ପ୍ରକାଶ ପାଇବ ।

(ରିପୋର୍ଟ- ପଦ୍ମପୁରରୁ ସୋମେଶ ମହାନ୍ତି, ସଂଜୟ ଜେନା ଓ ଦୀପକ ଶର୍ମା)