Advertisment

ଗାନ୍ଧି ଜୟନ୍ତୀରୁ ପଦଯାତ୍ରା ପଲିଟିକ୍ସ: ନଡ୍ଡାଙ୍କ ମନ୍ତ୍ର ଧରି ବିଜେପିର ଶୁଭାରମ୍ଭ

ଭ୍ରଷ୍ଟାଚାରରେ ବୁଡି ରହିଥିବା ୨୨ ବର୍ଷର ବିଜେଡି ସରକାର ବିରୋଧରେ ଆରମ୍ଭ କରିଛି କ୍ୟାମ୍ପେନ୍।

ଅଦ୍ୟତନ ହୋଇଛି
Padajatra Politics

Padajatra Politics

Advertisment

ଆରମ୍ଭ ହୋଇଛି ପଦଯାତ୍ରା ପଲିଟିକ୍ସ। ବିଜେପି, ବିଜେଡ଼ି ଓ କଂଗ୍ରେସ ସମସ୍ତଙ୍କର ଗୋଟିଏ ଲକ୍ଷ୍ୟ ଭୋଟରଙ୍କ ପାଖରେ ପହଞ୍ଚିବା ଓ ନିଜ କ୍ୟାମ୍ପକୁ ଟାଣିବା। ଗାନ୍ଧୀ ଜୟନ୍ତୀରୁ ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଭୁବନେଶ୍ୱର କାରଗିଲ ବସ୍ତିରୁ ଦଳୀୟ ପଦଯାତ୍ରାର ଶୁଭାରମ୍ଭ କରିଥିବାବେଳେ ଟକ୍କର ଦେବାକୁ ବିଜେପି ଜାଗମରାରେ କରିଛି ପଦଯାତ୍ରା। ଆଉ ଆସନ୍ତା ୩୧ ତାରିଖରୁ ସମାନ କାର୍ଯ୍ୟକ୍ରମ ଆପଣାଇବ କଂଗ୍ରେସ। ପଦଯାତ୍ରାକୁ ନେଇ ତିନି ଦଳ ପରସ୍ପରକୁ କାଦୁଅ ଫିଙ୍ଗୁଥିବାବେଳେ ରାଜନୀତି ସମୀକ୍ଷକ କିନ୍ତୁ ବାରିଛନ୍ତି ୨୪ନିର୍ବାଚନ ରଣନୀତିର ଗନ୍ଧ।

Advertisment

ଟାର୍ଗେଟ୍ ୨୦୨୪। ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା ପଲିଟିକ୍ସ। ବିଜେଡି ବନାମ ବିଜେପି। କେମିତି ଜନତାଙ୍କ ପାଖରେ ପହଞ୍ଚି ଆସ୍ଥାଭାଜନ ହେବେ। ବିଜେଡି ଆଜିଠୁ ଦଳ ଆରମ୍ଭ କରିଛି ରାଜ୍ୟବ୍ୟାପି ଜନସମ୍ପର୍କ ପଦଯାତ୍ରା। ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀର କାରଗିଲ ବସ୍ତିରେ ଦଳ ସଭାପତି ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଲୋକଙ୍କ ପାଖରେ ପହଞ୍ଚି ପଦଯାତ୍ରା ସଫଳ କରିବାକୁ କର୍ମୀ ଓ ନେତାଙ୍କୁ ଆହ୍ବାନ ବି ଦେଇଛନ୍ତି।

ସେପଟେ ବିଜେଡିକୁ ଟକ୍କର ଦେଇ ବିଜେପି ମଧ୍ୟ ଭୁବନେଶ୍ୱର ଜାଗମରା ଅଞ୍ଚଳରେ କରିଛି ପଦଯାତ୍ରା। ଭ୍ରଷ୍ଟାଚାରରେ ବୁଡି ରହିଥିବା ୨୨ ବର୍ଷର ବିଜେଡି ସରକାର ବିରୋଧରେ ଆରମ୍ଭ କରିଛି କ୍ୟାମ୍ପେନ୍। ସଦ୍ୟ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡେ.ପି. ନଡ୍ଡା ଦେଇ ଯାଇଥିବା ମନ୍ତ୍ରକୁ ପାଥେୟ କରି ବୁଥ୍ ମଜବୁତ୍ କରିବାକୁ ପଦଯାତ୍ରା ମାଧ୍ୟମରେ ପ୍ରକ୍ରିୟା ଆରମ୍ଭ କରିଛି। ତେବେ ଏହି ପଦଯାତ୍ରା ପଲିଟିକ୍ସରୁ କଂଗ୍ରେସ ବି ବାଦ୍ ପଡିନି। ଅକ୍ଟୋବର ୩୧ରୁ ଦଳ ସାରା ରାଜ୍ୟରେ ପଦଯାତ୍ରା ଆରମ୍ଭ କରିବାକୁ ଯାଉଛି। ଯେଉଁଥିରେ ବିଜେଡି ଓ ବିଜେପି ଭିତିରି ସମ୍ପର୍କ ଲୋକଙ୍କୁ ବୁଝାଇବାକୁ କରିଛି ପ୍ଲାନ୍। ତେବେ ପଦଯାତ୍ରା କାର୍ଯ୍ୟକ୍ରମକୁ ନେଇ ତିନି ଦଳଙ୍କ ମଧ୍ୟରେ ଆରମ୍ଭ ହୋଇଯାଇଛି କାଦୁଅ ଫିଙ୍ଗା ରାଜନୀତି।

Advertisment

ଯଦିଓ ପ୍ରତିବର୍ଷ ଏହି ସମୟରେ ବିଜେଡି ପଦଯାତ୍ରା ଆୟୋଜନ କରିଆସୁଛି। ହେଲେ ଚଳିତବର୍ଷ ଦଳ ଦେଇଛି ଅଧିକ ଗୁରୁତ୍ୱ। ଇତିମଧ୍ୟରେ କର୍ମୀଙ୍କୁ ବି ଦୁଇ ଦିନିଆ ପ୍ରଶିକ୍ଷଣ ଦେଇଛି ଦଳ। ସେପଟେ ବିଜେପି ବି ପାଇଛି ନଡ୍ଡା ମନ୍ତ୍ର। କଂଗ୍ରେସ କହୁଛି ଲୋକେ ବଦଳିବେ। ତେଣେ ରାଜ୍ୟର ତିନି ପ୍ରମୁଖ ରାଜନୈତିକ ଦଳଙ୍କ ପଦଯାତ୍ରା ପଲିଟିକ୍ସକୁ ଦେଖି ରାଜନୀତି ସମୀକ୍ଷକ କହିଛନ୍ତି- ପଲିଟିକାଲ ପାର୍ଟିଙ୍କ ପାଇଁ ଏଭଳି କାର୍ଯ୍ୟକ୍ରମ ସିଧା ଲୋକଙ୍କ ପାଖରେ ପହଞ୍ଚିବାର ଉତ୍କୃଷ୍ଟ ମାଧ୍ୟମ। ସମସ୍ତଙ୍କ ଲକ୍ଷ୍ୟ କେବଳ ଆଗାମୀ ନିର୍ବାଚନ ତେବେ ସାଂପ୍ରତିକ ପରିସ୍ଥିତିରେ ଭୋଟରଙ୍କୁ ମନେଇ ନିଜ ପକେଟକୁ ଆଣିବା ସବୁ ଦଳଙ୍କ ପାଇଁ ହେବ ଚ୍ୟାଲେଞ୍ଜ।

ପଦଯାତ୍ରା ପଲିଟିକ୍ସ ନୂଆ ନୁହେଁ, ହେଲେ ୨୪ ନିର୍ବାଚନ ପ୍ରସ୍ତୁତିର ଗନ୍ଧ ଭିତରେ ତିନି ପ୍ରମୁଖ ଦଳଙ୍କୁ ଏହା କେତେ ସୁହାଉଛି, ତାହା ଦେଖିବାର କଥା।
(ରିପୋର୍ଟ: ଭୁବନେଶ୍ୱରରୁ ଚନ୍ଦନ ପାଇକରାୟ ଏବଂ ଜଗଦୀଶ ଦାସ)

Advertisment
BJP 2024 Elections GandhiJayanti
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ