Advertisment

ମନ୍ତ୍ରୀଙ୍କୁ ଗିରଫ ଦାବିରେ ଅଟଳ ବିରୋଧୀ, କାର୍ଯ୍ୟାନୁଷ୍ଠାନ ନହେଲେ ବଢିବ ଆନ୍ଦୋଳନ !

ମମିତା ମେହେର ହତ୍ୟା ମାମଲାରେ ପୋଲିସ କହୁଛି ମନଗଢ଼ା କାହାଣୀ। ପୁରା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ବି ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାରକୁ ଭେଟିଥିବା ବିଜେପି ମହିଳା ମୋର୍ଚ୍ଚା

BJP

BJP

Advertisment

ଭୁବନେଶ୍ୱର: ମମିତା ମେହେର ହତ୍ୟା ମାମଲାରେ ପୋଲିସ କହୁଛି ମନଗଢ଼ା କାହାଣୀ। ପୁରା ଘଟଣାରେ ଗୃହରାଷ୍ଟ୍ରମନ୍ତ୍ରୀଙ୍କ ସଂପୃକ୍ତି ବି ଅତ୍ୟନ୍ତ ସନ୍ଦେହଜନକ। ତେଣୁ ଏ ନେଇ ବିସ୍ତୃତ ତଥ୍ୟ ସଂଗ୍ରହ କରି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କୁ ଦିଆଯିବ ବୋଲି କହିଛନ୍ତି ମୃତ ମମିତାଙ୍କ ପରିବାରକୁ ଭେଟିଥିବା ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭି.ଶ୍ରୀନିବାସନଙ୍କ ନେତୃତ୍ୱାଧୀନ ତିନି ଜଣିଆ ଟିମ୍। ସେପଟେ ବିଜେପି ଯୁବ ଓ ମହିଳା ମୋର୍ଚ୍ଚା ପକ୍ଷରୁ ଆଜି ବି ବିଭିନ୍ନ ସ୍ଥାନରେ ହୋଇଛି ଗର୍ଜନ। ଏଣେ ୩୦ ତାରିଖ ସୁଦ୍ଧା ଦିବ୍ୟଶଙ୍କର ଗିରଫ ନହେଲେ କଳାହାଣ୍ଡିରେ ବଡ଼ ଆନ୍ଦୋଳନର ଧମକ ଦେଇଛନ୍ତି ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ।

Advertisment

ମମିତାଙ୍କୁ ନ୍ୟାୟ ପାଇଁ ରାଜରାସ୍ତାରେ ଚାଲିଛି ଜୋରଦାର ଲଢ଼େଇ। ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ବହିଷ୍କାର ଦାବିରେ ଥମୁନି ଗର୍ଜନ କି ଆନ୍ଦୋଳନ। ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ବ୍ରହ୍ମପୁରରେ ଏସପି ଅଫିସ୍ ଘେରାଉ କରିଥିଲା ବିଜେପି। ଶହ ଶହ କର୍ମୀ ଶୋଭାଯାତ୍ରାରେ ଏସପି ଅଫିସକୁ ବ୍ୟାରିକେଡ୍ ଭାଙ୍ଗି ଧସେଇ ପଶିବାବେଳେ ସୃଷ୍ଟି ହୋଇଥିଲା ମୁହାଁମୁହିଁ ପରିସ୍ଥିତି। ଏମିତିକି ପୋଲିସ୍ ଉପରକୁ ବିକ୍ଷୋଭକାରୀ ଅଣ୍ଡା, ଟମାଟୋ ଓ ଚପଲ ମାଡ଼ କରିଥିଲେ। ଧସ୍ତାଧସ୍ତିବେଳେ ଜଣେ ଡିଏସପି ଆହତ ହୋଇଛନ୍ତି। ସେହିପରି ଅନୁଗୁଳ ଓ ବୌଦ୍ଧରେ ବି ଦେଖିବାକୁ ମିଳିଥିଲା ସମାନ ଚିତ୍ର। ଘଟଣାର ସିବିଆଇ ତଦନ୍ତ ଦାବିରେ ଏସପି ଅଫିସ୍ ଆଗରେ ହଲ୍ଲାବୋଲ କରିଥିଲେ ବିଜେପି ଯୁବ ଓ ମହିଳା ମୋର୍ଚ୍ଚା କର୍ମୀ।

Advertisment

ସେପଟେ ଆଜି କଣ୍ଟାବାଂଝି ଝରଣୀ ଗାଁକୁ ଯାଇ ମମିତାଙ୍କ ବାପା-ମାଆଙ୍କୁ ଭେଟିଛନ୍ତି ବିଜେପି ମହିଳା ମୋର୍ଚ୍ଚା ରାଷ୍ଟ୍ରୀୟ ସଭାନେତ୍ରୀ ଭି.ଶ୍ରୀନିବାସନଙ୍କ ନେତୃତ୍ୱରେ ଆସିଥିବା ତିନି ଜଣିଆ ଟିମ୍। ପାଖାପାଖି ଘଣ୍ଟାଏ ଧରି ମମିତାଙ୍କ ପରିବାର ସହ ସେମାନେ ଆଲୋଚନା କରିଥିଲେ। ଟିକିନିଖି ତଥ୍ୟ ସଂଗ୍ରହ କଲା ପରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କୁ ବିସ୍ତୃତ ରିପୋର୍ଟ ଦେବ ଏହି ଟିମ୍। ଭି.ଶ୍ରୀନିବାସନ କହିଛନ୍ତି-ଅଚାନକ ବିଜୁଳି କାଟ୍ ହେବା ଓ ପୋଲିସ ବାରାକରୁ ଅଭିଯୁକ୍ତ ଫେରାର ହୋଇଯିବା ବଡ଼ ସନ୍ଦେହର ବିଷୟ। ପୁରା ଘଟଣାରେ ପୋଲିସ ମନଗଢ଼ା କାହାଣୀ କହୁଛି। ଗୃହମନ୍ତ୍ରୀଙ୍କ ସଂପୃକ୍ତି ବି ଜଳ ଜଳ ଦିଶୁଛି, ତେଣୁ ତାଙ୍କୁ ମନ୍ତ୍ରୀପଦରୁ ବହିଷ୍କାର ସହ ଗିରଫ ପାଇଁ ତାଙ୍କ ଦଳ ଦାବି କରି ଆସୁଛି। ଟିମର ଅନ୍ୟତମ ସଦସ୍ୟା ସୁନୀତା ଦିଗଲ କହିଛନ୍ତି-ମାମଲାରେ ଯିଏ ବି ଦୋଷୀ ସମସ୍ତଙ୍କୁ କଠୋର ଦଣ୍ଡ ଏମିତିକି ଫାଶି ଦିଆଯାଉ ବୋଲି ମମିତାଙ୍କ ପରିବାର ଲୋକଙ୍କ ଦାବି ଉପରେ ଆମର ବି ସହମତି ରହିଛି। ତେବେ ପୁରା ତଥ୍ୟ ସଂଗ୍ରହ ପରେ ଆସନ୍ତାକାଲି ସାମ୍ବାଦିକ ସମ୍ମିଳନୀରେ ସବିଶେଷ ବିବରଣୀ ରଖାଯିବ ବୋଲି କହିଛନ୍ତି ଅନ୍ୟତମ ସଦସ୍ୟା ରୂପା ମିତ୍ର।

Advertisment

ଏପଟେ ମମିତା ହତ୍ୟା ମାମଲାରେ ବରିଷ୍ଠ କଂଗ୍ରେସ ନେତା ଭକ୍ତ ଦାସ କଡ଼ା ମନ୍ତବ୍ୟ ରଖିବା ସହ ଦେଇଛନ୍ତି ଆନ୍ଦୋଳନ ଅଲଟିମେଟମ୍। ପୁରା ଘଟଣାରେ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ମୌନ କାହିଁକି ବୋଲି ସେ ପ୍ରଶ୍ନ କରିବା ସହ ମୁଖ୍ୟମନ୍ତ୍ରୀ ଏ ନେଇ କାହିଁକି ସ୍ପଷ୍ଟୀକରଣ ଦେଇ ନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଭକ୍ତ। ଏମିତିକି ଦିବ୍ୟଶଙ୍କରଙ୍କୁ ୩୦ ତାରିଖ ସୁଦ୍ଧା ଗିରଫ କରାନଗଲେ କଳାହାଣ୍ଡିରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ଭକ୍ତ। ସେପଟେ ଗୃହରାଷ୍ଟ୍ରମନ୍ତ୍ରୀଙ୍କୁ ବହିଷ୍କାର ଓ ଗିରଫ ଦାବିରେ ଆସନ୍ତାକାଲି ଯୁବ କଂଗ୍ରେସ ବି ନବୀନ ନିବାସ ଘେରାଉ ଡାକରା ଦେଇଛି।

ରାଜଧାନୀରୁ ସାରା ରାଜ୍ୟ, ନିଇତି କେଉଁଠି ନା କେଉଁଠି ଭିନ୍ନ ଭିନ୍ନ ସଂଗଠନଙ୍କ ପକ୍ଷରୁ ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀଙ୍କ ବହିଷ୍କାର ଦାବି ହେଉଛି। ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଆଜି ଅଲଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ, ଛାତ୍ର ସଂଗଠନ -ଏଆଇଡିଏସଓ ଓ ଯୁବ ସଂଗଠନ -ଏଆଇଡିଓ୍ୱାଇଓର ମିଳିତ ଓଡ଼ିଶା ଷ୍ଟେଟ କମିଟି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ସେପଟେ କଳାହାଣ୍ଡି ଜିଲ୍ଲା ମେହେର ସମାଜ ପକ୍ଷରୁ ବି ଏସପି ଅଫିସ ଆଗରେ ଗଣଧାରଣା ଦିଆଯାଇଛି। ମମିତାଙ୍କ ପରିବାରକୁ ୨କୋଟି ଟଙ୍କା କ୍ଷତିପୂରଣ ଦାବି କରିଛି ମେହେର ସମାଜ।

BJP Congress Mamita Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ