Odisha Shuts Down
ଆଜି ଓଡ଼ିଶା ବନ୍ଦ । ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଶାନ୍ତିପୂର୍ଣ୍ଣ ବନ୍ଦ ଡାକରା ଦେଇଛନ୍ତି କଂଗ୍ରେସ ସମେତ ୮ଟି ରାଜନୈତିକ ଦଳ । ଆଉ ସକାଳୁ ସକାଳୁ ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ ବି ଦେଖିବାକୁ ମିଳିଲାଣି ।
କଂଗ୍ରେସ କର୍ମୀମାନେ ବିଭିନ୍ନ ସ୍ଥାନରେ ରାସ୍ତାକୁ ଓହ୍ଲାଇବା ସହ ପିକେଟିଂ କରିବା ଆରମ୍ଭ କରିଦେଇଛନ୍ତି । ଗାଡ଼ି ମୋଟର ଚଳାଚଳ ବନ୍ଦ ରହିବା ସହ ସ୍କୁଲ୍ କଲେଜ୍, ଦୋକାନ ବଜାର ଓ ବ୍ୟାବସାୟିକ ପ୍ରତିଷ୍ଠାନ ମଧ୍ୟ ବନ୍ଦ ରହିଛି । ବନ୍ଦ ପାଳନ ବେଳେ ସ୍ବାସ୍ଥ୍ୟସେବାକୁ ବାଦ ଦିଆଯାଇଛି । ତେବେ ମେଡିକାଲ୍, ମେଡିସିନ୍ ଷ୍ଟୋର, ଆମ୍ବୁଲାନ୍ସ ଭଳି ଜରୁରୀକାଳୀନ ସେବାକୁ ବନ୍ଦରୁ ବାଦ୍ ଦିଆଯାଇଛି। ..
କଂଗ୍ରେସ ପକ୍ଷରୁ ଦିଆଯାଇଥିବା ଓଡ଼ିଶା ବନ୍ଦ ଡାକରା ପାଇଁ ପର୍ଯ୍ୟାପ୍ତ ପୋଲିସ ବ୍ୟବସ୍ଥା ହୋଇଛି । ଭୁବନେଶ୍ବରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି । କଂଗ୍ରେସ କର୍ମୀଙ୍କୁ ଜଗିବ AI କ୍ୟାମେରା ଓ ଡ୍ରୋନ୍ । ଛକ, ବଜାର, ସରକାରୀ କାର୍ଯ୍ୟାଳୟ ସବୁଠି ମୁତୟନ ହୋଇଛନ୍ତି ପୋଲିସ । ସାଦା ପୋଷାକରେ ପୋଲିସ ବି ମୁତୟନ ହୋଇଛନ୍ତି । ଏସବୁକୁ ଡିଜିପିଙ୍କ କାର୍ଯ୍ୟାଳୟ ଓ ଅନ୍ୟ ବରିଷ୍ଠ ଅଧିକାରୀମାନେ ମନିଟର କରୁଛନ୍ତି ।
ଲୋକସେବା ଭବନ, ବିଧାନସଭା, ରାଜୀବ ଭବନ, ବିଭିନ୍ନ ଭିଭିଆଇପିଙ୍କ ବାସଭବନ ନିକଟରେ ସୁରକ୍ଷା ବ୍ୟବସ୍ଥା କଡାକଡି ହୋଇଛି । ପୋଲିସ କମିଶନର କହିଛନ୍ତି, ଗଣତାନ୍ତ୍ରିକ ଉପାୟରେ ଆନ୍ଦୋଳନ ହେଉ । କିନ୍ତୁ କୌଣସି ନେତା ବା କର୍ମୀ ଆଇନକୁ ହାତକୁ ନିଅନ୍ତୁ ନାହିଁ । ରେଳରୋକ ହିଂସାର ପନ୍ଥା ଆପଣାଇଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ପୋଲିସ କମିଶନର କହିଛନ୍ତି ।
ସେହିଭଳି ଆଜି ସାରା ରାଜ୍ୟରେ ପେଟ୍ରୋଲ ପମ୍ପ ବନ୍ଦ ରହିବ । ସୁରକ୍ଷା ଦୃଷ୍ଟିରୁ ସକାଳ ୬ରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ରହିବ ପେଟ୍ରୋଲ ପମ୍ପ । ସଂଧ୍ୟା ୬ଟା ପରେ ହିଁ ପେଟ୍ରୋଲ ପଂପଗୁଡିକ ଖୋଲିବ । ସରକାର ଯେହେତୁ ସୁରକ୍ଷା ଯୋଗାଇ ଦେଇପାରିବେ ନାହିଁ, ସେଥିଲାଗି ପେଟ୍ରୋଲ ପଂପଗୁଡିକୁ ବନ୍ଦ ରଖିବାକୁ ନୀତିଗତ ଭାବରେ ନିଷ୍ପତ୍ତି ନେଇଛି ପେଟ୍ରୋଲ ଡିଲର୍ ଆସୋସିଏସନ । ବ୍ୟବସାୟରେ ଶହେ କୋଟିରୁ ଅଧିକ ଟଙ୍କାର କ୍ଷତି ହେବ ବୋଲି ଅନୁମାନ କରିଛି ଆସୋସିଏସନ ।
୩ଟି ଡିପୋ ସହ ରାଜ୍ୟରେ ଥିବା ୩ ହଜାରରୁ ଅଧିକ ପେଟ୍ରୋଲ ପମ୍ପ ବନ୍ଦ ରହିବ ବୋଲି ଆସୋସିଏସନ୍ ରାଜ୍ୟ ସଭାପତି ଶଶାଙ୍କ ଶେଖର ସାହୁ ସୂଚନା ଦେଇଛନ୍ତି ।... ଅନ୍ୟପକ୍ଷରେ ଏହାକୁ ନେଇ ଭିନ୍ନମତ ପ୍ରକାଶ କରିଛନ୍ତି ଉତ୍କଳ ପେଟ୍ରୋଲିୟମ ଡିଲର ସଂଘ ସାଧାରଣ ସଂପାଦକ ସଂଜୟ ଲାଠ୍ । ଅତ୍ୟାବଶ୍ୟକ ଦ୍ରବ୍ୟ ହିସାବରେ ପେଟ୍ରୋଲ ପମ୍ପ ଖୋଲା ରହିବ ବୋଲି ସେ କହିଛନ୍ତି । ସାଧାରଣତଃ ଯେଉଁଠି ପିକେଟିଂ ହୁଏ, ସୁରକ୍ଷା ଦୃଷ୍ଟିରୁ ସେଠାରେ ପେଟ୍ରୋଲ ପମ୍ପ ବନ୍ଦ କରାଯାଏ ବୋଲି ସେ ସୂଚନା ଦେଇଛନ୍ତି ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1752717862.jpg)