କୋଟିଆରେ ବାହାରିବ କି ପୁରୁଣା ରୋଗ ? ଓଡ଼ିଶା ନା ଆନ୍ଧ୍ର, କାହା ଖାତାକୁ ଯିବ କୋଟିଆ ଭୋଟ୍

କିଏ ହାତେଇବ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆର ଭୋଟ୍? ଓଡ଼ିଶା ଖାତାରେ ପଡ଼ିବ କେତେ, ଆନ୍ଧ୍ର ଖାତାକୁ ଯିବ କେତେ ? ସୀମା ବିବାଦର ପଶାପାଲିରେ ଥିବା କୋଟିଆରେ ଆରମ୍ଭ ହେଲାଣି ଛକାପଞ୍ଝା, ଜୋର ଧରିଲାଣି ଟଣାଭିଡ଼ା ।

Kotia

କିଏ ହାତେଇବ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆର ଭୋଟ୍? ଓଡ଼ିଶା ଖାତାରେ ପଡ଼ିବ କେତେ, ଆନ୍ଧ୍ର ଖାତାକୁ ଯିବ କେତେ ? ସୀମା ବିବାଦର ପଶାପାଲିରେ ଥିବା କୋଟିଆରେ ଆରମ୍ଭ ହେଲାଣି ଛକାପଞ୍ଝା, ଜୋର ଧରିଲାଣି ଟଣାଭିଡ଼ା । ତାରି ଭିତରେ କିନ୍ତୁ ଜୋରଦାର ଅଣ୍ଟା ଭିଡ଼ିଛି ଆନ୍ଧ୍ର । କୋଟିଆ ପଞ୍ଚାୟତର ନେରେଡ଼ିବାଲସା ।

ଯେଉଁଠି ବାରମ୍ବାର ଅନୁପ୍ରବେଶ ଜାରି ରଖିଛି ଆନ୍ଧ୍ର । ଏହି ସ୍ଥାନରେ ହିଁ ନିଜର ମତଦାନ କେନ୍ଦ୍ର କରିବାକୁ ନିଷ୍ପତ୍ତି ନେଇଛି । ନେରେଡ଼ିବାଲସା ସମେତ ତାଡ଼ିବାଲସା, ସେମ୍ବି, ଧୂଳିପଦର ଓ ଆରଜୁବାଲସା ଗ୍ରାମବାସୀଙ୍କ ମତଦାନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି । ଏପରିକି ନିର୍ବାଚନ ପୂର୍ବଦିନରୁ ହିଁ ଭୋଟରଙ୍କୁ ନେଇ ଓଡ଼ିଶା ସୀମାନ୍ତରେ ଏକ ଅସ୍ଥାୟୀ ଶିବିରରେ ରଖିବାକୁ ଯୋଜନା ରଖିଛି ଆନ୍ଧ୍ର ।

କିନ୍ତୁ ଓଡ଼ିଶା ପକ୍ଷରୁ ଏସବୁ ଅଞ୍ଚଳ ପାଇଁ ନା କୌଣସି ବୁଥ୍ କରାଯାଇଛି ନା ସ୍ୱତନ୍ତ୍ର ବ୍ୟବସ୍ଥା । ଏହାକୁ ନେଇ ଓଡ଼ିଆ ଭୋଟର୍ ଅସନ୍ତୋଷ ପ୍ରକାଶ କରିଛନ୍ତି । ମେ’ ୧୩ରେ ଓଡ଼ିଶାରେ ହେବ ପ୍ରଥମ ପର୍ଯ୍ୟାୟ ମତଦାନ । ଏହିଦିନ କୋରାପୁଟ ଲୋକସଭା ଓ ଏହା ଅନ୍ତର୍ଗତ ପଟ୍ଟାଙ୍ଗୀ ବିଧାନସଭା ଯାହା ଅଧିନରେ କୋଟିଆ ଆସୁଛି ସେଠି ବି ପଡ଼ିବ ଭୋଟ୍ ।

ସେହିପରି ଆନ୍ଧ୍ରର ଆରକୁ ଲୋକସଭା କ୍ଷେତ୍ର ଅନ୍ତର୍ଗତ ସାଲୁରରେ ବି ସେହି ଦିନ ହିଁ ହେବ ମତଦାନ । ତେଣୁ ଗୋଟିଏ ଦିନରେ ୨୧ ଖଣ୍ଡ ଗ୍ରାମପୁଞ୍ଜ କୋଟିଆରେ ଭୋଟିଂ ହେବ । ଏଭଳି ସ୍ଥିତିରେ ଆନ୍ଧ୍ର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ ଥିବା ପି. ରାଜନ ଦୋରାଙ୍କ ବିଧାନସଭା ନିର୍ବାଚନମଣ୍ଡଳୀ ସାଲୁର ହୋଇଥିବାରୁ ଏଠାରେ ନିର୍ବାଚନକୁ ବେଶ୍ ଗୁରୁତ୍ୱ ଦେଉଛି ସାଲୁର୍ ପ୍ରଶାସନ ।

କୋଟିଆ ସରପଞ୍ଚ ଲିଉ ଗେମେଲଙ୍କ କହିବା କଥା, ବହୁପୂର୍ବରୁ ଲୋକେ ଆନ୍ଧ୍ର ମୁହାଁ ହୋଇସାରିଛନ୍ତି । ଆନ୍ଧ୍ର ପକ୍ଷରୁ ଅନେକ ସୁବିଧା ମିଳୁଥିବାରୁ ଭୋଟ୍ ନ ଦେଲେ ସେସବୁରୁ ବଞ୍ଚିତ ହେବାର ଭୟ କରୁଛନ୍ତି ସ୍ଥାନୀୟ ଭୋଟର । ପଟାଙ୍ଗି ନିର୍ବାଚନମଣ୍ଡଳୀ ଅଧିନରେ ଥିବା କୋଟିଆ ପଞ୍ଚାୟତର ଜନସଂଖ୍ୟା ୭ ହଜାର ୭୨୮ । ଭୋଟର୍ ଅଛନ୍ତି ମୋଟ୍ ୫ ହଜାର ୫୦୨ ।

ଏଥିପାଇଁ ଓଡ଼ିଶା ପକ୍ଷରୁ ୯ଟି ପୋଲିଂ ବୁଥ୍ କରାଯାଇଛି । ପ୍ରତି ୨ କିଲୋମିଟର ବ୍ୟବଧାନରେ ରହିଛି ମତଦାନ କେନ୍ଦ୍ର । କିନ୍ତୁ ନେରେଡ଼ିବାଲସା ପଟେ ବୁଥ୍ ନାହିଁ କିମ୍ବା ସ୍ୱତନ୍ତ୍ର ବ୍ୟବସ୍ଥା ନଥିବାରୁ ମତଦାନ ପାଇଁ ଅମଙ୍ଗ ହେଉଛନ୍ତି ଓଡ଼ିଆ ଭୋଟର । ତଥାପି କୋରାପୁଟ ଜିଲ୍ଲାପାଳ ଏସବୁ ଅଞ୍ଚଳକୁ ବୁଲି ଭୋଟରଙ୍କୁ ସଚେତନ ଜାରି ରଖିଛନ୍ତି ।

ନିକଟରେ କୋରାପୁଟ ଗସ୍ତରେ ଆସିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ ମଧ୍ୟ କହିଛନ୍ତି, କୋଟିଆ ପାଇଁ କିଛି ଚାଲେଞ୍ଜ ନାହିଁ ।