ନିଜ ନିୟମ ନିଜେ ମାନୁନାହାନ୍ତି ସରକାର ! ଘରୋଇ ପିଡିଏସ୍ ଡିଲର ପ୍ରୀତି ଛାଡ଼ୁନାହାନ୍ତି

ରାଜ୍ୟ ସରକାରଙ୍କ ଘରୋଇ ପିଡିଏସ୍ ଡିଲର ପ୍ରୀତିକୁ ନେଇ ପ୍ରଶ୍ନ । ୭ବର୍ଷ ତଳୁ ଉଚ୍ଛେଦ ନିୟମ ସତ୍ତ୍ୱେ ରାସନ ବାଣ୍ଟୁଛନ୍ତି ୭ ହଜାର ରିଟେଲର ।

PDS Dealer

ସାଧାରଣ ବଣ୍ଟନ ବ୍ୟବସ୍ଥାରେ ନିୟୋଜିତ ଘରୋଇ ଡିଲରଙ୍କ ପ୍ରତି ରାଜ୍ୟ ସରକାରଙ୍କ ପ୍ରୀତି । ୭ ବର୍ଷ ତଳୁ ଏ ବ୍ୟବସ୍ଥା ଉଠାଇବାକୁ ନିୟମ ଥିବାବେଳେ ଏବେ ବି ୭୦୬୮ ପ୍ରାଇଭେଟ୍ ଡିଲର ରାସନ ସାମଗ୍ରୀ ବଣ୍ଟନ ବ୍ୟବସ୍ଥା ଦାୟିତ୍ୱରେ ଅଛନ୍ତି ଓ ସରକାର କେତେବେଳେ ୬ମାସ ତ କେତେବେଳେ ବର୍ଷେ କରି ସେମାନଙ୍କ ଲାଇସେନ୍ସ ଅବଧି ବଢ଼ାଇ ଚାଲିଛନ୍ତି । ଏବେ ପୁଣି କ୍ୟାବିନେଟ୍‌ରେ ଲାଇସେନ୍ସ ଅବଧି ଆହୁରି ୬ମାସ ବଢାଯିବାରୁ ଦୁର୍ନୀତିର ଗନ୍ଧ ବାରିଛନ୍ତି ବିରୋଧୀ । ଯାହାର ଜବାବ ରଖିଛି ବିଜେଡି ।

ପ୍ରାଇଭେଟ୍ ଡିଲରଙ୍କୁ ଏତେ ଅନୁକମ୍ପା କାହିଁକି ? ଲାଇସେନ୍ସ ସୀମା ବାରମ୍ବାର ବଢ଼ାଇବା ପଛରେ କି ରହସ୍ୟ ? ନିଜ ନିୟମ କାହିଁକି ନିଜେ ମାନୁନାହାଁନ୍ତି ସରକାର ? ସାଧାରଣ ବଣ୍ଟନ ବ୍ୟବସ୍ଥାରେ ଚାଲିଛି କି ବଡ଼ଧରଣର ହେରଫେର ? ଘରୋଇ ଡିଲରଙ୍କ ଲାଇସେନ୍ସ ଅବଧି ଆଉ ୬ ମାସ ବଢ଼ାଇବାକୁ ରାଜ୍ୟ କ୍ୟାବିନେଟ୍‌ରେ ନିଷ୍ପତ୍ତି ପରେ ଉଠିଛି ଏଭଳି ସାଂଘାତିକ ପ୍ରଶ୍ନ ।

ସେପଟେ କ୍ୟାବିନେଟ୍ ନିଷ୍ପତ୍ତି ପରେ ଏଣିକି ୩୧ ମାର୍ଚ୍ଚ ୨୦୨୩ ପର୍ଯ୍ୟନ୍ତ ପୁଣି ପିଡିଏସ୍ ସାମଗ୍ରୀ ବଣ୍ଟନ କରି ପାରିବେ ପ୍ରାଇଭେଟ ଡିଲର୍ । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ହେବା ପରେ ୨୦୧୬ ମାର୍ଚ୍ଚ ୧୬ରେ ଓଡିଶା ପବ୍ଲିକ ଡିଷ୍ଟ୍ରିବ୍ୟୁସନ୍ ସିଷ୍ଟମ୍ କଣ୍ଟ୍ରୋଲ ଅର୍ଡର ଗେଜେଟ୍ ନୋଟିଫିକେସନ୍ ପ୍ରକାଶ ପାଇଥିଲା । ବିଜ୍ଞପ୍ତି ପ୍ରକାଶନର ଦୁଇ ବର୍ଷ ଭିତରେ ପ୍ରାଇଭେଟ୍ ଡିଲର୍ସ ମାନଙ୍କୁ ପରିବର୍ତ୍ତନର ନିୟମ ଥିଲା, କିନ୍ତୁ ତାହା ଅଦ୍ୟାବଧି ପାଳନ ହୋଇନାହିଁ । ଫଳରେ ରାଜ୍ୟରେ ଏବେ ବି ୭୦୬୮ ବେସରକାରୀ ଡିଲର ମାଧ୍ୟମରେ ବଣ୍ଟା ହେଉଛି ଚାଉଳ, ଗହମ ଓ କିରାସିନ୍ ।

ଅନ୍ୟପଟେ ୬୫୬୨ ଡିଲରଙ୍କୁ ଆନୁଷ୍ଠାନିକ ଭାବେ ନିଯୁକ୍ତି ମିଳି ସାରିଛି । ଯେଉଁମାନେ କି ପଞ୍ଚାୟତ, ପୌର ପରିଷଦ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଓ ସମବାୟ ସମିତି ମାଧ୍ୟମରେ ରାସନ ସାମଗ୍ରୀ ବଣ୍ଟନ କରୁଛନ୍ତି । ଯଦିଓ ଘରୋଇ ଡିଲର୍ସଙ୍କୁ ଉଚ୍ଛେଦ ପାଇଁ ୭ ବର୍ଷ ତଳୁ ନିୟମ ହେଲାଣି, ତଥାପି କେତେବେଳେ ୬ମାସ ତ କେତେବେଳେ ବର୍ଷେ କରି ସରକାର ସେମାନଙ୍କ ଲାଇସେନ୍ସ ଅବଧି ବଢ଼ାଇ ଚାଲିଛନ୍ତି । ତାସହ ଯୁକ୍ତି ବାଢିଛନ୍ତି ଏହି ଡିଲରମାନଙ୍କ ବିରୋଧରେ ଖାଉଟିଙ୍କର ଗୋଟିଏ ବି ଅଭିଯୋଗ ନାହିଁ । ହେଲେ ଏହାକୁ କିନ୍ତୁ ସହଜରେ ଗ୍ରହଣ କରିନାହାନ୍ତି ବିରୋଧୀ । ୟା ପଛରେ ବଡ଼ ଧରଣର ଦୁର୍ନୀତିର ଗନ୍ଧ ବାରିଛନ୍ତି ବିଜେପି ଓ କଂଗ୍ରେସ । ବିଜେଡି ନେତା ଓ କର୍ମୀ ପ୍ରାଇଭେଟ୍ ଡିଲର୍ ସାଜିଥିବାରୁ ସେମାନଙ୍କୁ ଉଚ୍ଛେଦ କରାଯାଉନଥିବା ଅଭିଯୋଗ କରି ତଦନ୍ତ ଦାବି କରିଛନ୍ତି ।

ସେପଟେ ରାଜ୍ୟରେ ରାସନ୍ ସାମଗ୍ରୀ ବଣ୍ଟନରେ ହେରଫେର ଅଭିଯୋଗ ନୂଆ ନୁହେଁ । ଯାହାର ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ରେମୁଣା ବ୍ଲକ ହଳଦିଆ ଗାଁରୁ । ଏଠିକାର ଡିଲର ବସନ୍ତ ପଢିହାରୀ, ଠିକ୍ ସମୟରେ ରାସନ୍ ସାମଗ୍ରୀ ଯୋଗାଇ ନଥିବା ନେଇ ଜିଲ୍ଲାପାଳଙ୍କୁ ଫେରାଦ ହୋଇଥିଲେ ହିତାଧିକାରୀ । ଏମିତିକି ତଦନ୍ତ ପରେ ଉକ୍ତ ଡିଲରଙ୍କୁ ପିଡିଏସ୍ ଯୋଗାଣ ବ୍ୟବସ୍ଥାରୁ ସସ୍‌ପେଣ୍ଡ କରାଯାଇଛି । ଆଉ ତାଙ୍କ ସ୍ଥାନରେ ଏକ SHGକୁ ରାସନ୍ ବାଣ୍ଟିବାକୁ ଅନୁମତି ଦିଆଯାଇଛି । ସେହିପରି ରାୟଗଡ଼ା ଜିଲ୍ଲା ପଦ୍ମପୁର ବ୍ଳକ୍‌ରୁ ପିଡିଏସ୍ ଚାଉଳ ଓଜନରେ ଠକେଇ ଓ ଠିକ୍ ସମୟରେ ଚାଉଳ ମିଳୁନଥିବା ଅଭିଯୋଗ ଆସିଛି । ଏବେ ପ୍ରଶ୍ନ କେବେ ରାଜ୍ୟରୁ ହଟିବ ଘରୋଇ ଡିଲର ବ୍ୟବସ୍ଥା ଓ କେବେ ଶୃଙ୍ଖଳିତ ହେବ ସାଧାରଣ ବଣ୍ଚନ ବ୍ୟବସ୍ଥା ?