ଆଗକୁ ପ୍ରଥମ ପର୍ଯ୍ୟାୟ ଭୋଟ୍, ଗାଁ ଗାଁରେ ଉଡ଼ିଲାଣି ଟଙ୍କା; ଭାଇରାଲ ହେଉଛି ଭିଡିଓ

ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ । ତା’ଆଗରୁ ଶାସକ ବିଜେଡି ବିରୋଧରେ ନୋଟ୍ ବର୍ଷା ଅଭିଯୋଗ । ଗାଁରେ ଗାଁରେ ପଶି ଦଳୀୟ କର୍ମୀ ଓ ନେତା ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି ।

Odisha Election

ଦିନକ ପରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ । ତା’ଆଗରୁ ଶାସକ ବିଜେଡି ବିରୋଧରେ ନୋଟ୍ ବର୍ଷା ଅଭିଯୋଗ । ଗାଁରେ ଗାଁରେ ପଶି ଦଳୀୟ କର୍ମୀ ଓ ନେତା ଟଙ୍କା ବାଣ୍ଟୁଥିବାର ଭିଡିଓ ଭାଇରାଲ୍ ହେବାରେ ଲାଗିଛି । ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲାରୁ ଏଭଳି ଅଭିଯୋଗର ଚିତ୍ର ସାମ୍ନାକୁ ଆସିବା ପରେ, ରାଜ୍ୟରେ ନିର୍ବାଚନ କେତେ ସ୍ୱଚ୍ଛ ହେବ ସେନେଇ ପ୍ରଶ୍ନ ଉଠିଛି ।

ଭୋଟ୍ ପୂର୍ବରୁ ନୋଟ୍ ବର୍ଷା...ଗାଁରେ ପଶି ଗଣି ଗଣି ବଣ୍ଟା ଯାଉଛି ଟଙ୍କା । ପ୍ରଚାର ମୈଦାନରେ ବି ଭୋଟରଙ୍କ ହାତକୁ ବଢ଼ାଇ ଦିଆଯାଉଛି...ଭୋଟରଙ୍କୁ ଭୋଟ୍ ପାଇଁ ଟଙ୍କା ଦେଇ ପ୍ରଲୋଭିତ କରୁଛନ୍ତି ନେତା ଓ କର୍ମୀ । ରାୟଗଡ଼ା ଜିଲ୍ଲା ବିଷମକଟକ ଅଞ୍ଚଳରେ ବିଜେଡି ରାଜ୍ୟ ସମ୍ପାଦକ ସୁଧିର ଦାସ ନୋଟ୍ ବାଣ୍ଟୁଛନ୍ତି ।

ଖାଲି ବାଣ୍ଟୁ ନାହାଁନ୍ତି, ସାହିର ସମସ୍ତେ ଯେପରି ବିଜେଡିକୁ ଭୋଟ୍ ଦେବେ, ସେଥିପାଇଁ ତାଗିଦ୍ ବି କରୁଛନ୍ତି । ଗତକାଲିଠୁ ବିଷମକଟକ ଅଞ୍ଚଳରେ ମୋବାଇଲକୁ ମୋବାଇଲ୍ ଏହି ଭିଡ଼ିଓ ଘୁରିବୁଲିବା ପରେ ଏହା ବିରୋଧରେ ତଦନ୍ତ ସହ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ବିଜେପି ପ୍ରାର୍ଥୀ ଜଗନ୍ନାଥ ନୁଣ୍ଡ୍ରୁକା । ଏ ସଂପର୍କରେ ପ୍ରତିକ୍ରିୟା ପାଇଁ ସୁଧିର ଦାସଙ୍କୁ ବାରମ୍ବାର ଫୋନ୍ କରାଯାଇଥିଲେ ମଧ୍ୟ ସେ ଫୋନ୍ ରିସିଭ୍ କରୁନାହାନ୍ତି ।

ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ପ୍ରଚାର କରୁଛନ୍ତି ବିଜେଡିର ସାଂସଦ ପ୍ରାର୍ଥୀ ପ୍ରଦୀପ ମାଝୀ । ତାଙ୍କ ପାଖରେ ଛିଡ଼ା ହୋଇ ନୋଟ୍ ବାଣ୍ଟୁଛନ୍ତି ଜଣେ ବ୍ୟକ୍ତି । ଯାହାଙ୍କ ନାଁ ତ୍ରିନାଥ ଭଟ୍ଟ । ଘର ନନ୍ଦାହାଣ୍ଡି କେଶରୀଗୁଡା ଗାଁରେ । କୁହାଯାଉଛି, ଏହା ୯ ତାରିଖର ଘଟଣା । ଯେଉଁଦିନ ପ୍ରଦୀପ ମାଝୀଙ୍କ ସହ ପ୍ରଚାର କରୁଥିଲେ ବିଧାୟକ ପ୍ରାର୍ଥିନୀ କୌଶଲ୍ୟା ପ୍ରଧାନୀ ।

ତେବେ କେଉଁ ଗାଁରେ ଏହି ଘଟଣା ଘଟିଛି, ତାହା ସ୍ପଷ୍ଟ ହୋଇନଥିବାବେଳେ ଭାଇରାଲ୍ ଫଟୋକୁ ନେଇ ବିଜେଡିକୁ ଘେରିଛି ବିଜେପି । ଏହି ଘଟଣା ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଭାବିତ କରାଯାଉଥିବା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ବିଜେପି ।

ତେବେ ପ୍ରଚାରରେ ବ୍ୟସ୍ତ ଥିବାବେଳେ କିଏ କ’ଣ କରିଥିବ ସେ ଜାଣିନାହାଁନ୍ତି ବୋଲି କହିଛନ୍ତି ପ୍ରଦୀପ ମାଝୀ । କେବଳ ଗୋଟିଏ ଯୋଡ଼ିଏ ନୁହେଁ, କିଛିଦିନ ତଳେ ଆସିକା ବରଗାଁରେ ବିଜେଡି ବିରୋଧରେ SHG ମହିଳାଙ୍କୁ ଶାଢ଼ି ବଣ୍ଟନର ଅଭିଯୋଗ ବି ଆଣିଥିଲା ବିଜେପି । SHG ସଦସ୍ୟାଙ୍କ ପାଇଁ ଶାଢ଼ି ସହ ୧୦ ହଜାର ଟଙ୍କା ବଣ୍ଟନର ବିଜେପି ଅଭିଯୋଗ କରିଥିଲା ।

ଏହା ପୂର୍ବରୁ ବିଜେଡି ବିରୋଧରେ ଭୋଟ୍ ପୂର୍ବରୁ ଅନ୍ଧାରି ବିଜେ, ଅର୍ଥାତ ଲୁଚାଛପାରେ ଟଙ୍କା ବଣ୍ଟା ଅଭିଯୋଗ ଆଣିଥିଲେ ବିଜେପି ସାଂସଦ ଅପରାଜିତା ଷଡ଼ଙ୍ଗୀ । ଗତ ନିର୍ବାଚନରେ ଭୋଟର୍ ପିଛା ୬୦୦ ଟଙ୍କା ଦେଇଥିବା ବେଳେ ଏଥର କୁଆଡେ ଏହି ପରିମାଣ ହଜାରେ ଟଙ୍କା ହୋଇଥିବା ସେ ଅଭିଯୋଗ ଆଣିଥିଲେ ।

ଅଭିଯୋଗ ଯଦି ସତହୁଏ, ତାହେଲେ ଶାସନରେ ଥାଇ ବି ବିଜେଡିର ଏଭଳି ନୋଟ୍ ଫଣ୍ଡା କାହିଁକି ? ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଦିନଟିଏ ଥିବାବେଳେ ଆଜିଠୁ ନେତାଙ୍କ ଅନ୍ଧାରି ବିଜେ ପ୍ରକ୍ରିୟାକୁ କେମିତି ରୋକିବେ ନିର୍ବାଚନ କମିଶନ ? ଏବେଠୁଁ ଯଦି ଏଭଳି ନୋଟ୍ ବଣ୍ଟନର ପର୍ବ ଚାଲେ, ତେବେ ରାଜ୍ୟରେ ସ୍ବଛ ଓ ଅବାଧ ହୋଇପାରିବ ତ ନିର୍ବାଚନ ?