ନିର୍ବାଚନ ଡ୍ୟୁଟି ବେଳେ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ !

ଟିଟିଲାଗଡ଼ ଡିଏଭି କଲେଜ ଡିସପୋଜାଲ୍ ସେଣ୍ଟରରୁ ଭୋଟିଂ ସାମଗ୍ରୀ ସଂଗ୍ରହ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସୁଶୀଲ ଆଚାର୍ଯ୍ୟ । ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବଲାଙ୍ଗିର ସ୍ଥାନାନ୍ତର ବେଳେ ଆଖି ବୁଜିଥିଲେ ସୁଶୀଲ ଆଚାର୍ଯ୍ୟ ।

Election 24

ନିର୍ବାଚନ ଡ୍ୟୁଟି ସମୟରେ ହୃଦଘାତରେ ଶିକ୍ଷକଙ୍କ ମୃତ୍ୟୁ ଅଭିଯୋଗ । ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ନାଁ ସୁଶୀଲ କୁମାର ଆଚାର୍ଯ୍ୟ । ସେ ଆଗଲପୁର ବ୍ଲକ ପଟୁଆପାଲି ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଭାବରେ କାର୍ଯ୍ୟରତ ଥିଲେ । ଆସନ୍ତାକାଲି ବଲାଙ୍ଗିର ଜିଲ୍ଲାରେ ଭୋଟ୍‌ ଗ୍ରହଣ ହେବ । ଏଥିପାଇଁ ଟିଟିଲାଗଡ଼ ଡିଏଭି କଲେଜ ଡିସପୋଜାଲ୍ ସେଣ୍ଟରରୁ ଭୋଟିଂ ସାମଗ୍ରୀ ସଂଗ୍ରହ ବେଳେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେ ସୁଶୀଲ ଆଚାର୍ଯ୍ୟ । ତାଙ୍କୁ ଟିଟିଲାଗଡ଼ ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରୁ ବଲାଙ୍ଗିର ସ୍ଥାନାନ୍ତର ବେଳେ ଆଖି ବୁଜିଥିଲେ ସୁଶୀଲ ଆଚାର୍ଯ୍ୟ । ନିୟମ ଅନୁଯାୟୀ ତାଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି କରିଛି ବଲାଙ୍ଗିର ପ୍ରାଥମିକ ଶିକ୍ଷକ ସଂଘ ।

ସେପଟେ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଲାଗି ବୁଥ୍ ମୁହାଁ ହୋଇଛନ୍ତି ପୋଲିଂ ପାର୍ଟି । ରାଜ୍ୟର ୫ ଲୋକସଭା ଏବଂ ୩୫ ବିଧାନସଭା କ୍ଷେତ୍ରରେ ହେବାକୁ ଥିବା ମତଦାନ ଲାଗି ଗତକାଲିଠୁ ପୋଲିଂ କର୍ମଚାରୀମାନେ ପହଞ୍ଚିବାରେ ଲାଗିଛନ୍ତି । କିଛି ସ୍ଥାନରେ କର୍ମଚାରୀମାନେ ପହଞ୍ଚି ସାରିଥିବା ଆଉ କିଛି ସ୍ଥାନରେ ଆଜି ମଧ୍ୟ ପହଞ୍ଚୁଛନ୍ତି ।

ବଲାଙ୍ଗିର ଜିଲ୍ଲାର ଲରକିପାଲି ସରକାରୀ ଆଇଟିଆଇଠାରେ ହୋଇଥିବା ଡିସ୍ପର୍ସାଲ ସେଣ୍ଟରରୁ ଲୋଇସିଂହା ବିଧାନସଭା ନିର୍ବାଚନମଣ୍ଡଳୀ ଅଭିମୁଖେ ଯାଇଛନ୍ତି ବୁଥ୍ କର୍ମଚାରୀ। ଜିଲ୍ଲାରେ ୧୫୪୮ ବୁଥ ଲାଗି ମୋଟ ୧୦ ହଜାର ୨୭୧ କର୍ମଚାରୀ ନିୟୋଜିତ ହୋଇଛନ୍ତି । ସେହିପରି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଜବାହାରଲାଲ କଲେଜ୍ ପଡ଼ିଆ କ୍ୟାମ୍ପରୁ ଇଭିଏମ, ଭିଭିପାଟ୍ ସହ ବୁଥ୍ ଅଭିମୁଖେ ବାହାରିଛନ୍ତି ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ । ଏପଟେ ଝାରସୁଗୁଡ଼ା ଇଂଜିୟନିୟରିଂ ସ୍କୁଲରେ ହୋଇଥିବା ଡିସପୋଜାଲ ସେଣ୍ଟରରୁ ଜିଲ୍ଲାର ବିଭିନ୍ନ ସ୍ଥାନକୁ ଗସ୍ତ କରିଛନ୍ତି ପୋଲିଂ ପାର୍ଟି। ବରଗଡ଼ ଜିଲ୍ଲାର ୩ ନିର୍ବାଚନମଣ୍ଡଳୀ ବରଗଡ଼, ଭଟଲୀ ଓ ଅତାବିରାରେ ଭୋଟ୍ ଲାଗି ବରଗଡ଼ ପଂଚାୟତ କଲେଜକୁ ଷ୍ଟ୍ରଙ୍ଗ ରୁମ୍ କରାଯାଇଛି। ଏଠାରୁ ହିଁ ବିଭିନ୍ନ ବୁଥକୁ ନେଇ ମତଦାନ ସାମଗ୍ରୀ ନେଇ ବାହାରିଛନ୍ତି ପୋଲିଂ ଅଧିକାରୀ ଓ କର୍ମଚାରୀ ।