ବାଚସ୍ପତି ହେବେ ସୁରମା ପାଢୀ; ରଣପୁର ବିଧାନସଭା ଆସନରୁ ହୋଇଛନ୍ତି ନିର୍ବାଚିତ

ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି । ରଣପୁର ବିଧାନସଭା ଆସନରୁ ହୋଇଛନ୍ତି ନିର୍ବାଚିତ । ମେଣ୍ଟ ସରକାରରେ ଥିଲେ ସମବାୟ ମନ୍ତ୍ରୀ  । 

Surama Padhy

ବିଜେପି ବିଧାୟକ ସୁରମା ପାଢ଼ୀ ହେବେ ଓଡ଼ିଶା ବିଧାନସଭାର ବାଚସ୍ପତି । ରଣପୁର ବିଧାନସଭା ଆସନରୁ ହେଇଛନ୍ତି ନିର୍ବାଚିତ । ମେଣ୍ଟ ସରକାରରେ ଥିଲେ ସମବାୟ ମନ୍ତ୍ରୀ  । ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ତାଙ୍କ ନାଁକୁ ନେଇ ଚର୍ଚ୍ଚା ହେଉଛି । ଦ୍ୱିତୀୟ ଥର ପାଇଁ ସେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି ।

ସୁରମା ପାଢ଼ୀ ୧୯୬୦ ମସିହା ଡିସେମ୍ବର ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। ସେ ଗୃହ ବିଜ୍ଞାନରେ ସ୍ନାତକୋତ୍ତର ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଓକିଲାତି ପଢ଼ିଥିଲେ । ୧୯୮୮ ମସିହାରେ ଭାରତୀୟ ଜନତା ପାର୍ଟିରେ ଯୋଗଦେଇଥିଲେ । ୧୯୯୮ ମସିହାରେ ସେ ବିଜେପି ରାଜ୍ୟ ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ । ୨୦୦୦ ମସିହା ପର୍ଯ୍ୟନ୍ତ ସେ ସେହି ପଦବୀରେ ରହିଥିଲେ । ୨୦୦୦ ମସିହାରେ ସେ ଜାତୀୟ ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚାର ସଭାପତି ହୋଇଥିଲେ।

ଅଧିକ ପଢ଼ନ୍ତୁ: ଆସିଲା ମନ୍ତ୍ରୀ ତାଲିକା, ଶପଥ ନେବେ ୮ କ୍ୟାବିନେଟ ମନ୍ତ୍ରୀ ଓ ୫ ରାଷ୍ଟ୍ରମନ୍ତ୍ରୀ

ତେବେ ଆଜି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ମୋହନ ମାଝୀ । ରାଜ୍ୟପାଳ ରଘୁବର ଦାସ ତାଙ୍କୁ ଶପଥ ପାଠ କରାଇଛନ୍ତି । ମୋହନ ମାଝୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ଭାବେ କେଭି ସିଂହଦେଓ ଓ ପ୍ରଭାତୀ ପରିଡ଼ା ମଧ୍ୟ ଶପଥ ନେଇଛନ୍ତି । ସେହିପରି ୧୩ ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଉପସ୍ଥିତରେ ଶପଥ ନେଇଛନ୍ତି ମୋହନ ମାଝୀ । ସେହିପରି ଏହି ଭବ୍ୟ ଶପଥ ଗ୍ରହଣ ସମାରୋହରେ ଯୋଗୀ ଆଦିତ୍ୟନାଥଙ୍କ ସହ ପ୍ରାୟ ୯ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ୮ ଜଣ କ୍ୟାବିନେଟ୍‌ ଓ ୫ ଜଣ ରାଷ୍ଟ୍ରମନ୍ତ୍ରୀ ମଧ୍ୟ ଶପଥ ନେଇଛନ୍ତି । କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ସୁରେଶ ପୂଜାରୀ, ରବି ନାରାୟଣ ନାଏକ, ନିତ୍ୟାନନ୍ଦ ଗଣ୍ଡ, କୃଷ୍ଣଚନ୍ଦ୍ର ପାତ୍ର, ପୃଥ୍ବୀରାଜ ହରିଚନ୍ଦନ, ମୁକେଶ ମହାଲିଙ୍ଗ, ବିଭୁତି ଜେନା, କୃଷ୍ଣଚନ୍ଦ୍ର ମହାପାତ୍ର ଶପଥ ନେଇଛନ୍ତି । ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ ୫ ଜଣ ଶପଥ ନେଇଛନ୍ତି । ଗଣେଶ ରାମସିଂ ଖୁଣ୍ଟିଆ, ସୂର୍ଯ୍ୟବଂଶୀ ସୂରଜ, ପ୍ରଦୀପ ବଳସାମନ୍ତ, ଗୋକୁଳାନନ୍ଦ ମଲ୍ଲିକ, ସଂପଦ ସ୍ବାଇଁ ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି ।

ଅଧିକ ପଢ଼ନ୍ତୁ: ଓଡ଼ିଶାର ମଙ୍ଗ ଧରିଲେ ମୋହନ ମାଝୀ; ଆସନ୍ତୁ ଜାଣିବା ତାଙ୍କର ପୂରା ରାଜନୈତିକ କ୍ୟାରିୟର୍