୪ ପ୍ରାର୍ଥୀଙ୍କ ନାଁରେ ହତ୍ୟା ମାମଲା, ୧୧ ପ୍ରାର୍ଥୀ ପଞ୍ଚମ ପାସ୍; ୩୩% କୋଟିପତି

ଓଡ଼ିଶାରେ ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି । ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ ।

Odisha Politics

ଦେଶରେ ଜାରି ରହିଛି ନିର୍ବାଚନ ମାହୋଲ୍ । ଦିନ ଗଢ଼ିବା ସହ ବଢ଼ି ଚାଲିଛି ନିର୍ବାଚନୀ ତାତି । ଆସନ୍ତା ୨୫ ତାରିଖରେ ଦେଶରେ ଅନୁଷ୍ଠିତ ହେବ ଷଷ୍ଠ ପର୍ଯ୍ୟାୟ ନିର୍ବାଚନ । ତେବେ ଓଡ଼ିଶାରେ ହେବ ତୃତୀୟ ପର୍ଯ୍ୟାୟ ନିର୍ବାଚନ । ଆସନ୍ତା ରାଜ୍ୟ ନିର୍ବାଚନ ପାଇଁ ପ୍ରକାଶ ପାଇଛି ADR ରିପୋର୍ଟ । ତୃତୀୟ ପର୍ଯ୍ୟାୟରେ ୪୨ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ୩୮୩ ଜଣ ବିଧାୟକ ପ୍ରାର୍ଥୀ ଅଛନ୍ତି ।

ସେମାନଙ୍କ ମଧ୍ୟରୁ ୩୮୧ ଜଣ ବିଧାୟକ ପ୍ରାର୍ଥୀଙ୍କ ସତ୍ୟପାଠ ବିଶ୍ଳେଷଣ କରିଛି ADR ଓ ଓଡ଼ିଶା ଇଲେକ୍ସନ ୱାଚ୍ । ୩୮୧ ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୧୦୦ ଜଣ ଅର୍ଥାତ୍ ୨୬ ପ୍ରତିଶତଙ୍କ ନାମରେ ରହିଛି ଅପରାଧିକ ମାମଲା । ୮୬ ଜଣଙ୍କ ନାମରେ ରହିଛି ଗୁରୁତର ଅପରାଧ ମାମଲା । ୪ ଜଣଙ୍କ ନାଁରେ ହତ୍ୟା ମାମଲା ରହିଛି । ୨୬ ଜଣଙ୍କ ନାମରେ ହତ୍ୟା ଉଦ୍ୟମ ମାମଲା ଥିବା ବେଳେ ୨୮ ଜଣଙ୍କ ନାମରେ ମହିଳା ବିରୋଧୀ ମାମଲା ରହିଛି । ଏମିତିକି ଜଣଙ୍କ ନାମରେ ଦୁଷ୍କର୍ମ ମାମଲା ବି ଅଛି ।

ତୃତୀୟ ପର୍ଯ୍ୟାୟ ନିର୍ବାଚନରେ ୧୨୬ ଜଣ ଅର୍ଥାତ୍ ୩୩ ପ୍ରତିଶତ ବିଧାୟକ ପ୍ରାର୍ଥୀ କୋଟିପତି । କେନ୍ଦୁଝର ଚମ୍ପୁଆର BJD ବିଧାୟକ ପ୍ରାର୍ଥୀ ସନାତନ ମହାକୁଡ଼ ତୃତୀୟ ପର୍ଯ୍ୟାୟର ସବୁଠୁ ଧନୀ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ୨୨୭ କୋଟି ୬୭ ଲକ୍ଷ ଟଙ୍କା ।

ସେହିପରି ୧୨୨ କୋଟି ୮୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ଘଷିପୁରାର ସ୍ୱାଧୀନ ପ୍ରାର୍ଥୀ ସୌମ୍ୟରଞ୍ଜନ ପଟ୍ଟନାୟକ ଏହି ପର୍ଯ୍ୟାୟର ଦ୍ୱିତୀୟ ଧନୀ ବିଧାୟକ ପ୍ରାର୍ଥୀ । ସେହିପରି ୧୨୦ କୋଟି ୫୬ ଲକ୍ଷ ଟଙ୍କା ସମ୍ପତ୍ତି ସହ ତୃତୀୟ ସ୍ଥାନରେ ଅଛନ୍ତି ନୟାଗଡ଼ BJP ବିଧାୟକ ପ୍ରାର୍ଥୀ ପ୍ରତ୍ୟୁଷା ରାଜେଶ୍ୱରୀ ସିଂହ ।

କଟକ ବଡମ୍ବାରୁ ସମୃଦ୍ଧ ଓଡ଼ିଶା ପକ୍ଷରୁ ବିଧାୟକ ପ୍ରାର୍ଥୀ କୈଳାଶ ଚନ୍ଦ୍ର ନାୟକ ସବୁଠୁ ଗରିବ ବିଧାୟକ ପ୍ରାର୍ଥୀ । ତାଙ୍କ ସମ୍ପତ୍ତି ମୂଲ୍ୟ ମାତ୍ର ୧ ହଜାର ଟଙ୍କା । ତୃତୀୟ ପର୍ଯ୍ୟାୟର ବିଧାୟକ ପ୍ରାର୍ଥୀଙ୍କ ମଧ୍ୟରୁ ୨ ଜଣ ପ୍ରାର୍ଥୀ ସ୍କୁଲ ହତା ମାଡ଼ି ନଥିବା ବେଳେ ଅନ୍ୟ ଦୁଇ ଜଣ ପଞ୍ଚମ ବି ପାସ କରି ନାହାନ୍ତି ।