ଟ୍ରକକୁ ଧକ୍କା ଦେଲା ପୋଲିଂ ପାର୍ଟି ବସ୍‌; ୫ଆହତ ଡାକ୍ତରଖାନାରେ ଭର୍ତ୍ତି

ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ।

Polling party bus hits truck

ଭୋଟ୍ ସାରି ଇଭିଏମ୍ ନେଇ ଫେରୁଥିବା ପୋଲିଂ ପାର୍ଟି ବସ୍ ଦୁର୍ଘଟଣାଗ୍ରସ୍ତ । ଘାଟି ରାସ୍ତାରେ ଟ୍ରକକୁ ପଛରୁ ଧକ୍କା ଦେଲା ବସ୍। ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅନ୍ତର୍ଗତ ବଡ଼ରମା ଘାଟିରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଫଳରେ ୧୮ ପୋଲିଂ କର୍ମଚାରୀଙ୍କ ମଧ୍ୟରୁ ୫ ଜଣ ଆହତ ହୋଇଥିବା ବେଳେ, ୨ଜଣଙ୍କୁ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନାନ୍ତର କରାଯାଇଛି ।

ଜମନକିରା ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଇଭିଏମ୍, ଭିଭିପାଟ୍ ସମେତ ଅନ୍ୟାନ୍ୟ ଭୋଟିଂ ସାମଗ୍ରୀ ଗୁଡ଼ିକୁ କୁଚିଣ୍ଡା କଲେଜ ସ୍ଥିତ ଡସବର୍ସାଲ୍ ସେଣ୍ଟରକୁ ପଠାଇଥିବା ସୂଚନା ମିଳିଛି । ଗତରାତି ପ୍ରାୟ ୯ଟା ବେଳେ ୩ଟି ବୁଥ ୨୫୮, ୨୫୯ ଓ ୨୬୦ର ଭୋଟ୍ ସାରି ୧୮ ଜଣ ପୋଲିଂ କର୍ମଚାରୀ ବସରେ ଫେରୁଥିଲେ। ରାତି ପ୍ରାୟ ୧୧ଟା ବେଳେ ୫୩ ନଂ ଜାତୀୟ ରାଜପଥ ବଡ଼ରମା ବୁଲାଣି ଠାରେ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ବସ୍ ।

ତେବେ ଗତକାଲି ନିର୍ବାଚନ ଡ୍ୟୁଟି ବେଳେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିଲା। ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡା ବୁଥ୍ ନମ୍ବର ୧୩୬ରେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ଘଟିଥିଲା । ହିନ୍ଦୋଳ ମେଡିକାଲରେ ମୃତ ଘୋଷଣା କରିଥିଲେ ଡାକ୍ତର । କେଉଁ କାରଣ ପାଇଁ ମୃତ୍ୟୁ ହୋଇଛି ତାହା ସ୍ପଷ୍ଟ ଏଯାଏ ହୋଇନି ।

ସେହିପରି ଭୋଟ୍ ଦେବାକୁ ଆସି ଜଣେ ବୃଦ୍ଧା ମୃତ୍ୟୁବରଣ କରିଥିଲେ। । ନୟାଗଡ ଭାପୁର ବ୍ଲକ ବାଘୁଆପଲ୍ଲୀ ପଞ୍ଚାୟତ ବଳଦିଆନୁଆ ଗାଁ ଭୋଟଗ୍ରହଣ କେନ୍ଦ୍ରରେ ଧାଡ଼ିରେ ଛିଡା ହୋଇଥିବା ବେଳେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ନାଁ କୁମୁଦିନୀ ଦଳାଇ । ବୟସ ପ୍ରାୟ ୬୫ ବର୍ଷ । କୁମୁଦିନୀଙ୍କ ଘର ପଥରପୁଞ୍ଜି ଗାଁର। ମତଦାନ କେନ୍ଦ୍ରରେ ଠିଆ ହୋଇଥିବା ବେଳେ ପ୍ରବଳ ଖରାରୁ ତାଙ୍କ ମୁଣ୍ଡ ବୁଲାଇଥିଲା । ଅସୁସ୍ଥ ହେବା ପରେ ତାଙ୍କୁ ଖଣ୍ଡପଡ଼ା ମେଡିକାଲକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି।

ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ୱର, କଟକ, ସମ୍ବଲପୁର, ପୁରୀ, ଢେଙ୍କାନାଳ ଓ କେନ୍ଦୁଝର ସଂସଦୀୟ କ୍ଷେତ୍ର ସହ ୪୨ ବିଧାନସଭା ଆସନରେ ଭୋଟିଂ ସରିଛି । ଇଭିଏମରେ ସିଲ୍ ହୋଇଛି ୪୪୭ ପ୍ରାର୍ଥୀଙ୍କ ଭାଗ୍ୟ । ତେବେ ବିଭିନ୍ନ ସ୍ଥାନରୁ ଗଣ୍ଡଗୋଳ, ହିଂସା ସହ ଇଭିଏମ୍‌ ଟାମ୍ପରିଂ ଅଭିଯୋଗ ଆସିଛି। ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି।