ଖଲ୍ଲିକୋଟରେ ରାଜନୈତିକ ହିଂସା: ପୋଲିସ୍‌ ଗାଡ଼ିକୁ ବୋତଲ ଓ ପଥର ମାଡ଼

ପୋଲିସ ଗାଡ଼ିକୁ ଘେରିବା ସହ ଗାଡ଼ି ଉପରକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କରିଛନ୍ତି ଲୋକ । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍‌ର କାଚ ଭାଙ୍ଗିଛି ।

Khalikote Voilence

ଅଶାନ୍ତ ହୋଇଯାଇଛି ଗଞ୍ଜାମ ଜିଲ୍ଲାର ଖଲ୍ଲିକୋଟ। ନିର୍ବାଚନ ୨୦ ତାରିଖରେ ଥିବା ବେଳେ ତା ପୂର୍ବରୁ ରାଜନୈତିକ ହିଂସାକାଣ୍ଡ ଘଟିଛି। ବିଜେପି କର୍ମୀ ଦିଲୀପ ପାହାଣଙ୍କ ମୃତ୍ୟୁ ପରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ତେବେ ଅଭିଯୁକ୍ତଙ୍କୁ ଥାନାରୁ ନେବା ବେଳେ ପୋଲିସ ଗାଡ଼ି ଘେରିଛନ୍ତି ଲୋକେ । ପୋଲିସ ଗାଡ଼ିକୁ ପଥର ମାଡ଼ ସହ ପାଣି ବୋତଲ ମାଡ଼ କରିଛନ୍ତି । ଲୋକଙ୍କ ପଥର ମାଡ଼ରେ ପୋଲିସ ଭ୍ୟାନ୍‌ର କାଚ ଭାଙ୍ଗିଛି ।

ଉତ୍ତ୍ୟକ୍ତ ଲୋକଙ୍କୁ ଘଉଡ଼ାଇବା ପାଇଁ ପୋଲିସ ମଧ୍ୟ ଲାଠି ମାଡ଼ କରିଛି । ଖଲ୍ଲିକୋଟ ଥାନା ଆଗରେ ବହୁ ଗାଡ଼ି ଭାଙ୍ଗିଛନ୍ତି ପୋଲିସ କର୍ମଚାରୀ। ଲୋକଙ୍କୁ ପିଟିବା ସହ ରାସ୍ତା କଡ଼ରେ ଥିବା ଗାଡ଼ିକୁ ଭାଙ୍ଗିଛନ୍ତି ଦାୟିତ୍ୱରେ ଥିବା ପୋଲିସ । ଗଣମାଧ୍ୟମ ପ୍ରତିନିଧିଙ୍କ ଗାଡ଼ି ସହ ବହୁ ଗାଡ଼ିକୁ ପଥରରେ ଛେଚି ଭାଙ୍ଗୁଥିବା ଦେଖିବାକୁ ମିଳିଛି ।

ଅଧିକ ପଢ଼ନ୍ତୁ: ଖଲ୍ଲିକୋଟ ରାଜନୈତିକ ହିଂସା, ଜଣଙ୍କ ମୃତ୍ୟୁ ପରେ ୮ ଜଣଙ୍କୁ ଗିରଫ କଲା ପୋଲିସ

ସୂଚନା ଅନୁସାରେ ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀଙ୍କ ଉପରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଆକ୍ରମଣରେ ଚିକିତ୍ସାଧୀନ ଅବସ୍ଥାରେ ଦିଲୀପ ପାହାଣ ନାମକ ଜଣେ ବିଜେପି କର୍ମୀଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାକୁ ନେଇ ପରିବାର ଲୋକଙ୍କ ସହ ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ । ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଲୋକେ ଥାନା ଘେରାଉ କରିଛନ୍ତି ବିଜେପି କର୍ମୀ । ଥାନା ଘେରାଉ ବେଳେ ଉତ୍ତେଜନା ଦେଖାଦେଇଛି। ତେବେ ଏହି ରାଜନୈତିକ ହିଂସାକାଣ୍ଡକୁ ନେଇ ପୋଲିସ କିମ୍ବା ଶାସକ ଦଳ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ଗତକାଲି ଖଲ୍ଲିକୋଟ ଶ୍ରୀକୃଷ୍ଣ ଶରଣପୁର ଗାଁରେ ବିଜେପି କର୍ମୀ ବ୍ୟାନର ମାରୁଥିବାକୁ ବିରୋଧ କରିବାରୁ ସେମାନଙ୍କ ଉପରେ ଆକ୍ରମଣ ହୋଇଥିବା ଅଭିଯୋଗ ଆସିଥିଲା । ଆକ୍ରମଣରେ ୪ ଜଣ ବିଜେପି କର୍ମୀ ଗୁରୁତର ହୋଇଥିଲେ। ସେମାନଙ୍କୁ ପ୍ରଥମେ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ବିଳମ୍ବିତ ରାତିରେ ଗୁରୁତର ଦିଲ୍ଲୀପ ପାହାନ ନାମକଙ୍କ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଅନ୍ୟଜଣେ ଗୁରୁତରଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ଜଣେ ଏବେ ବି ଏମକେସିଜିରେ ଚିକିତ୍ସାଧିନ ଅଛନ୍ତି । ଅନ୍ୟଜଣଙ୍କୁ ଚିକିତ୍ସା କରିବା ପରେ ଘରକୁ ପଠାଇ ଦିଆଯାଇଛି । ପୂର୍ବରୁ ମଧ୍ୟ ବିଭିନ୍ନ ସ୍ଥାନରେ ରାଜନୈତିକ ହିଂସା ଖବର ସାମନାକୁ ଆସିଥିଲା । ଆଠଗଡ଼, ଭୁବନେଶ୍ୱର ଓ ବରଗଡ଼ରେ ବିଜେଡି-ବିଜେପି କର୍ମୀ ମାର୍‌ପିଟ୍‌ ହୋଇଥିବା ଅଭିଯୋଗ ହୋଇଥିଲା।

ଅଧିକ ପଢ଼ନ୍ତୁ: BJPକୁ ଭୋଟ ଦେଲେ ବୋଲି ମାଡ଼ ଖାଇଲେ-ଗାଁରେ ଜରିମାନା ଦେଲେ !

ସେହିପରି କଟକ ଆଠଗଡ଼ରେ ନିର୍ବାଚନୀ ହିଂସା ଘଟିଥିଲା । ଖୁଣ୍ଟୁଣି ଥାନା ସମ୍ମୁଖରେ ବିଜେପିର ଏକ ରାଲିକୁ ନେଇ ମୁହାଁମୁହିଁ ହୋଇଥିଲେ ବିଜେପି ଓ ବିଜେଡି ସମର୍ଥକ । ଥାନା ଆଗରେ ଅତିରିକ୍ତ ଏସପିଙ୍କ ଉପସ୍ଥିତିରେ ଢେଲା ମାଡ଼ ଅଭିଯୋଗ ହୋଇଥିଲା । ଆଠଗଡ଼ର ୩ ନମ୍ବର ଜୋନ୍ ଅନନ୍ତପୁରରେ ବିଜେପି ପକ୍ଷରୁ ଏକ ନିର୍ବାଚନୀ ରାଲି କରାଯାଉଥିଲା । ତେବେ ଏହି ସମୟରେ ବିଜେପି ସମର୍ଥକଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଥିଲା ।

ସେହିଭଳି ଭୁବନେଶ୍ୱର ୟୁନିଟ୍-୬ର ୪୬ ନମ୍ବର ୱାର୍ଡରେ ବିଜେପି କର୍ମୀଙ୍କୁ ଡୋର୍ ଟୁ ଡୋର୍ କ୍ୟାମ୍ପେନିଂ ବେଳେ ମରଣାନ୍ତକ ଆକ୍ରମଣ ଅଭିଯୋଗ ହୋଇଥିଲା । ବିଜେଡି କର୍ପୋରେଟରଙ୍କ ଲୋକମାନେ ମାରଣାସ୍ତ୍ରରେ ଆକ୍ରମଣ କରିଥିବା କ୍ୟାପିଟାଲ ଥାନାରେ ଅଭିଯୋଗ କରିଥିଲେ ଜଣେ ମହିଳା ବିଜେପି କର୍ମୀ । ସେପଟେ ବରଗଡ଼ ଅମ୍ବାଭୋନା ବ୍ଲକର କୁମ୍ବୋ ଗାଁରେ ବି ନିର୍ବାଚନୀ ହିଂସା ଅଭିଯୋଗ ହୋଇଥିଲା । ବିଜେପି ପ୍ରଚାର ଗାଡି ପ୍ରଚାର କରୁଥିବା ବେଳେ ସେମାନଙ୍କ ଗାଡ଼ିକୁ ଭଙ୍ଗାରୁଜା କରିଥିବା ନେଇ ଅମ୍ବାଭୋନା ଥାନାରେ ଅଭିଯୋଗ ହୋଇଥିଲା ।