ସଂଘର୍ଷ, ହିଂସା, ବିଶୃଙ୍ଖଳା ଓ ରକ୍ତପାତରେ ଭିଜିଲା ମତଦାନ; CEO କହିଲେ ନିଆଯିବ ଆକ୍ସନ

ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ । ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି ।

Odisha Election

ଖଣ୍ଡଯୁଦ୍ଧ ସହ ରକ୍ତାକ୍ତ ସଂଘର୍ଷ । ତୃତୀୟ ପାଳି ଭୋଟ୍ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି । କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଛି ତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଛି । ଯାହାକୁ ନେଇ ଦେଖାଦେଇଛି ଅସନ୍ତୋଷ ।

ଅସମ୍ଭାଳ...ଅଣାୟତ୍ତ...ଗୋଷ୍ଠୀ ସଂଘର୍ଷରେ ଛିନଛତ୍ର ଭୋଟିଂ ସେଣ୍ଟର...ଉଡୁଛି ଚେୟାର..ମାରପିଟରେ କମ୍ପୁଛି ଇଲାକା । ଏପରି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଆଠଗଡ଼ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ୧୧୫ ନମ୍ବର ରାଧାଗୋବିନ୍ଦପୁର ଆଦର୍ଶ ବୁଥରେ । ନା ଏମାନଙ୍କୁ କିଏ ବୁଝାଇବ, ନା କିଏ ବୁଝାଇଲେ ଏମାନେ ବୁଝିବେ..

କାରଣ ଭୋଟ୍ ଦେବାକୁ ଆସିଥିବାବେଳେ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁଙ୍କ ଉପସ୍ଥିତିରେ ଘଟିଛି ଆତଙ୍କରାଜ । କୁହାଯାଉଛି, ମତଦାନ କେନ୍ଦ୍ର ପରିସରରେ ଛିଡ଼ା ହେବାକୁ ନେଇ ବିଜେଡି ଓ ବିଜେପି କର୍ମୀ ଏଭଳି ମୁହାଁମୁହିଁ ହୋଇଥିଲେ । ଅବଶ୍ୟ ପୋଲିସ ଫୋର୍ସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିଥିଲେ ।

ଏହି ସଂଘର୍ଷରେ ୩ ବିଜେପି କର୍ମୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ଏନେଇ ରଣେନ୍ଦ୍ର ପ୍ରତାପ କିମ୍ବା ବିଜେପି ପକ୍ଷରୁ ପ୍ରତିକ୍ରିୟା ମିଳିପାରିନାହିଁ । ଏଣେ ଅନୁଗୁଳ ଛେଣ୍ଡିପଦାରେ ତ ସବୁ ସୀମା ଟପିଯାଇଛନ୍ତି ବିଜେଡି ବିଧାୟକ ସୁଶାନ୍ତ ବେହେରା । ନିର୍ବାଚନ ଆଚରଣବିଧିର ଉଲଂଘନ ଅଭିଯୋଗ ଆଣି ପ୍ରତିବାଦ କରୁଥିବା BJP କର୍ମୀଙ୍କୁ ଏଭଳି ଆକ୍ରମଣ କରିଛନ୍ତି ବିଧାୟକ ।

କୋଶଳା ପଞ୍ଚାୟତ ଶିମିଳିସାହି ୮୪ ନମ୍ବର ବୁଥରେ ଦେଖିବାକୁ ମିଳିଛି ଏପରି ଦୃଶ୍ୟ । ଏହି ଭୋଟିଂକେନ୍ଦ୍ରକୁ ସମର୍ଥକଙ୍କ ସହ ଯାଇ ରିଗିଂ କରିବା ସହ ବିଜେପି କର୍ମୀଙ୍କୁ ସୁଶାନ୍ତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ସୁଶାନ୍ତଙ୍କ ପ୍ରତିକ୍ରିୟା ମିଳିନାହିଁ । ସେପଟେ ରେଢ଼ାଖୋଲ ନାକଟିଦେଉଳ ବ୍ଲକ ଗଦାଧରପୁର ୨୩୨ ନମ୍ବର ବୁଥରୁ ଭୋଟ୍ ଦେଇ ଫେରିବାବେଳେ ଜଣେ ବିଜେପି କର୍ମୀଙ୍କୁ ୪ ବିଜେଡି କର୍ମୀ ଆକ୍ରମଣ କରିଥିବା ଥାନାରେ ଅଭିଯୋଗ ହୋଇଛି ।

ଏଭଳି ଗୋଷ୍ଠୀ ସଂଘର୍ଷ ଭିତରେ କିଛି ସ୍ଥାନରେ ଯାନ୍ତ୍ରିକ ଓ ପରିଚାଳନାଗତ ତ୍ରୁଟିକୁ ନେଇ ଉପୁଜିଥିଲା ହଙ୍ଗାମା । ବ୍ରହ୍ମଗିରି ଗଡ଼ରୋଡଙ୍ଗର ୧୨୭ ନମ୍ବର ବୁଥରେ EVM ଅଚଳ ସହ ପ୍ରିଜାଇଡିଂ ଅଫିସରଙ୍କ ଦୁର୍ବ୍ୟବହାର ଅଭିଯୋଗ ଆଣି ଅସନ୍ତୋଷ ପ୍ରକାଶ କରିଥିଲେ ଲୋକେ ।

ଏପରିକି ବ୍ରହ୍ମଗିରି ବିଜେପି ପ୍ରାର୍ଥିନୀ ଉପାସନା ମହାପାତ୍ର ଗଣମାଧ୍ୟମ ଆଗରେ ଅଭିଯୋଗ ଆଣି ବର୍ଷିଥିଲେ । ତେଣେ ପୁରୀ ଭୁଦାନ ନଗର ପ୍ରକଳ୍ପ ସ୍କୁଲର ୭୭ ନମ୍ବର ବୁଥରେ ଇଭିଏମ୍ ଏବଂ ଭିଭିପ୍ୟାଟ୍ ଅଚଳ ଯୋଗୁ ଆରମ୍ଭରୁ ଭୋଟଗ୍ରହଣରେ ବାଧା ଉପୁଜିଥିଲା । ଫଳରେ କିଛି ଭୋଟର ବି ଫେରିଯାଇଥିଲେ ।

ଏପରିକି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ଭୋଟିଂ ପାଇଁ ଦେଢ ଘଣ୍ଟା ଅପେକ୍ଷା କରିଥିଲେ । ତେଣେ ଭୁବନେଶ୍ୱର ନୟାପଲ୍ଲୀ ବୁଥରେ ମୋବାଇଲ୍ ବାରଣକୁ ନେଇ ଉପୁଜିଥିଲା ଅସନ୍ତୋଷ । ମତଦାନ କେନ୍ଦ୍ରରେ ମୋବାଇଲ ରଖିବାକୁ ବ୍ୟବସ୍ଥା ନଥିବାରୁ ଭୋଟର ଅସନ୍ତୋଷ ପ୍ରକାଶ କରି ଭୋଟ୍ ନଦେଇ ଫେରୁଥିବା କହିଥିଲେ ।

ଏଭଳି ଅନେକ ଅବ୍ୟବସ୍ଥା ଓ ହିଂସାକୁ ଗୁରୁତ୍ୱର ସହ ନେଇଛନ୍ତି ମୁଖ୍ୟ ନିର୍ବାଚନ ଅଧିକାରୀ । ତୃତୀୟ ପର୍ଯ୍ୟାୟ ମତଦାନ ବେଳେ ୮ଟି ବୁଥରେ EVM ତ୍ରୁଟି ସାମ୍ନାକୁ ଆସିଥିବା ସିଇଓ ଅଫିସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ଯେଉଁଠି ଅପ୍ରୀତିକର ପରିସ୍ଥିତି ଘଟିଛି, ସେସବୁ ସ୍ଥାନର ଭିଡ଼ିଓକୁ ଯାଞ୍ଚ କରିବା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି CEO କହିଛନ୍ତି ।

ଏସବୁ ଭିତରେ ଡ୍ୟୁଟିବେଳେ ପୋଲିଂ କର୍ମଚାରୀଙ୍କ ମୃତାହତ ଖବର ବି ଆସିଛି । ଢେଙ୍କାନାଳ ହିନ୍ଦୋଳ ବାହାଲୁଣ୍ଡାରେ ଜଣେ ପୋଲିଂ ଏଜେଣ୍ଟଙ୍କ ମୃତ୍ୟୁ ହୋଇଥିବାବେଳେ ବାଙ୍କୀ ବଳଭଦ୍ରପୁରରେ ଓ ନୟାଗଡ଼ ମାଛିପଡାରେ ପ୍ରିଜାଇଡିଂ ଅଫିସର ଅସୁସ୍ଥ ହୋଇପଡ଼ିବାରୁ ପ୍ରଭାବିତ ହୋଇଥିଲା ମତଦାନ ।