Advertisment

ଅଙ୍କ ଛିଣ୍ଡୁନି ନା ବିଦ୍ରୋହୀ ଡର ? ବେଗୁନିଆ-ଖୋର୍ଦ୍ଧାରେ ଛିଣ୍ଡୁନି ତିନି ଦଳଙ୍କ ଟିକେଟ୍ ଗଣିତ

ପ୍ରାର୍ଥୀ ରିପିଟ୍ କରିବେ ନା ସପ୍ରାଇଜ୍ କାର୍ଡ ଖେଳିବେ ତାକୁ ନେଇ ଦ୍ୱନ୍ଦ୍ୱ । ଚିଲିକାରେ ପୃଥୀରାଜଙ୍କ ବିପକ୍ଷରେ ବିଜେଡି ଯୋଦ୍ଧା କିଏ ଚିତ୍ର ଅସ୍ପଷ୍ଟ ।

undefined

Khurdha Politics

Advertisment

ଅଙ୍କ ଛିଡୁନି ନା ବିଦ୍ରୋହୀ ଡର ? ଟିକେଟ୍ ପାଇଁ ସବୁ ଦଳ ଛକାଛକି । ଭୁବନେଶ୍ୱର ସଂସଦୀୟ କ୍ଷେତ୍ର ଅନ୍ତର୍ଗତ ଦୁଇ ପ୍ରମୁଖ ବିଧାନସଭା ଆସନ ବେଗୁନିଆ ଓ ଖୋର୍ଦ୍ଧାରେ କେବେ ଯୋଦ୍ଧା ଘୋଷଣା କରିବେ ତିନି ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରସ,ତାକୁ ନେଇ ଉଭୟ ନେତା ଓ ମତଦାତା ସମସ୍ତେ ଦ୍ୱନ୍ଦ୍ୱରେ। ପ୍ରଥମେ ରାଜ୍ୟ ରାଜନୀତିର ଚର୍ଚ୍ଚିତ ଆସନ ବେଗୁନିଆ-ବୋଲଗଡ଼କୁ ବିଚାରକୁ ନେଲେ, ଏଠି ବିଜେଡିରେ ବହୁ ଆଶାୟୀ।

Advertisment

ପ୍ରଶ୍ନ, ବର୍ତ୍ତମାନର ବିଧାୟକ ରାଜେନ୍ଦ୍ର ସାହୁଙ୍କୁ ଦଳ ରିପିଟ୍ କରିବ ନା ପ୍ରାର୍ଥୀ ବଦଳାଇବ ? ଏଭଳି ସ୍ଥିତିରେ ଆଜି ନବୀନ ନିବାସ ଆସିଥିଲେ ଉଭୟ ବିଧାୟକ ରାଜେନ୍ଦ୍ର ସାହୁ ଓ ପ୍ରମୁଖ ଟିକେଟ୍ ଆଶାୟୀ ପ୍ରଦୀପ ସାହୁ। ନବୀନଙ୍କ ସହ କି ଆଲୋଚନା ହେଲା ? ସୁପ୍ରିମୋ କାହାକୁ ଟିକେଟ୍ ପ୍ରତିଶ୍ରୁତି ଦେଲେ ? ଗଣମାଧ୍ୟମ ପ୍ରତିନିଧି ଗୁଡ଼େଇ ତୁଡ଼େଇ ପ୍ରଶ୍ନ କରିଥିଲେ ବି ଉଭୟେ କିନ୍ତୁ ବୁଲେଇ ବଙ୍କେଇ ଦଳ ସୁପ୍ରିମୋଙ୍କ କୋର୍ଟକୁ ବଲ୍ ଫିଙ୍ଗିଥିଲେ।

ସେମିତି ବିଜେପି ଓ କଂଗ୍ରେସର ବେଗୁନିଆଁ ଯୋଦ୍ଧା କିଏ ? ତା ବି ଅସ୍ପଷ୍ଟ । ବିଜେଡି ଛାଡ଼ି ବିଜେପିରେ ମିଶିଥିବା ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ଓ ପ୍ରକାଶ ବିଜୁଳିଙ୍କ ନାଁ ବେଗୁନିଆରୁ ପଦ୍ମ ଦଳ ପ୍ରାର୍ଥୀ ହେବା ଚର୍ଚ୍ଚା ହେଉଛି। କିନ୍ତୁ ଦଳ ଏଠି ସରପ୍ରାଇଜ୍ କାର୍ଡ ଖେଳିପାରେ। ତେଣେ ଏକଦା ବେଗୁନିଆ-ବୋଲଗଡ଼କୁ କଂଗ୍ରେସର ସଶକ୍ତ ଦୁର୍ଗ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀ ବଲ୍ଳଭ ପଟ୍ଟନାୟକଙ୍କ ପୁଅ ପୃଥ୍ୱୀ ବଲ୍ଳଭ ପଟ୍ଟନାୟକ ବି ୨ବର୍ଷ ହେଲା ଦଳୀୟ ସଂଗଠନ ସମ୍ଭାଳିଛନ୍ତି। ବାପାଙ୍କ ପକେଟ୍ ଭୋଟ୍ ସହ ସରକାର ବିରୋଧୀ ହାୱାର ଗୋଳିଆ ପାଣିରୁ ଦରକାର ପଡ଼ିଲେ ସେ ବି ଫାଇଦା ନେଇପାରନ୍ତି।

Advertisment

ସେମିତି ଖୋର୍ଦ୍ଧା ଆସନରେ ବି ସବୁ ଦଳର ପ୍ରାର୍ଥୀ ଚୟନ ଅଙ୍କ ଅଛିଣ୍ଡା। ଏଠି ଏବେ ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର। ସେ ପୁଣି ଥରେ ବିଜେଡି ଟିକେଟ୍ ଆଶାୟୀ, ହେଲେ ବାଟରେ କଣ୍ଟା ସାଜିଛନ୍ତି ବେଗୁନିଆ ବିଧାୟକ ରାଜେନ୍ଦ୍ର ସାହୁ ଓ ବିଜୁ ମହିଳା ଜନତା ଦଳ ରାଜ୍ୟ ଉପସଭାନେତ୍ରୀ ବାସନ୍ତି ମହାପାତ୍ର। ରାଜେନ୍ଦ୍ର ଖୋର୍ଦ୍ଧାରୁ ନିଜେ କିମ୍ବା ପତ୍ନୀଙ୍କୁ ଦଳୀୟ ଟିକେଟ୍ ପାଇଁ ଲବି କରୁଥିବାବେଳେ ବାସନ୍ତୀ ମହାପାତ୍ର ବି ବାର ବାର ନିଜ ଶକ୍ତି ପ୍ରଦର୍ଶନ କରି ଚାଲିଛନ୍ତି।

ସେପଟେ ବିଜେପି ଏଠୁ ଟିକେଟ୍ ଘୋଷଣା କରିନଥିଲେ ବି ପୂର୍ବଥର ଲଢ଼ିଥିବା କାଳୁ ଖଣ୍ଡାୟତରାୟ ନିଜ ସମର୍ଥକଙ୍କୁ ଧରି ରାଲି ଓ ଶୋଭାଯାତ୍ରା କରୁଛନ୍ତି। ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କ ନାଁ ବି ସମ୍ଭାବ୍ୟ ତାଲିକାରେ ଅଛି। ତେଣେ ଉଭୟ ବିଜେପି ଓ ବିଜେଡି ଜିଲ୍ଲା ସଭାପତି କହିଛନ୍ତି ଠିକ୍ ସମୟରେ ଟିକେଟ୍ ଘୋଷଣା ହେବ । ତେବେ କଂଗ୍ରେସ ଏଠି ପ୍ରାର୍ଥୀ ଖୋଜୁଛି।

Advertisment

ସେଇ ଖୋର୍ଦ୍ଧା ଜିଲ୍ଲାର ଅନ୍ୟତମ ଚର୍ଚ୍ଚିତ ଆସନ ଚିଲିକାରେ କିନ୍ତୁ ଚିତ୍ର ଅଧା ସ୍ପଷ୍ଟ ଅଧା ଅସ୍ପଷ୍ଟ। ବିଜେପି ଏଠି ବହୁ ଆଗରୁ ପୃଥୀରାଜ ହରିଚନ୍ଦନଙ୍କୁ ପ୍ରାର୍ଥୀ ଘୋଷଣା କରିଥିବାବେଳେ ବିଜେଡିରେ କିନ୍ତୁ ଟିକେଟ୍ କନ୍ଦଳ ତୀବ୍ର। ଏହି ଆସନରୁ ଭେଟେରାନ୍ ପ୍ରସନ୍ନ ପାଟଶାଣୀଙ୍କୁ ବିଜେଡି ପ୍ରାର୍ଥୀ କରିବା ଖବର ଆସିବା ପରେ ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କ ସମର୍ଥକ କ୍ଷୁବ୍ଧ ହୋଇଥିଲେ। ଏମିତିକି ରଘୁ ନିଜେ ନବୀନ ନିବାସ ଆସି ଅସନ୍ତୋଷ ବ୍ୟକ୍ତ କରିବା ସହ ନିର୍ବାଚନମଣ୍ଡଳୀରେ ବି ଶକ୍ତି ପ୍ରଦର୍ଶନ କରୁଛନ୍ତି।

ତେବେ ଏଠି ବି ବିଜେଡି ସରପ୍ରାଇଡ୍ କାର୍ଡ ଖେଳିବା ସମ୍ଭାବନାକୁ ଏଡ଼ାଇ ଦିଆଯାଇନପାରେ। ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଓ ଶ୍ରୀମୟୀ ମିଶ୍ରଙ୍କ ନାଁକୁ ନେଇ ଚର୍ଚ୍ଚା ଆଲୋଚନା ହେଉଛି। ତେଣେ ଏ ସ୍ଥିତିରେ କଂଗ୍ରେସର ଚିଲିକା ପ୍ରାର୍ଥୀ କିଏ, ତାର ସୋର ଶବ୍ଦ ଶୁଭୁନି।

BJD BJP Congress Odisha Politics General Election 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ