ବାଙ୍କୀ ବେଦପୁରରେ ନିର୍ବାଚନ ପରବର୍ତ୍ତୀ ଗଣ୍ଡଗୋଳ; ଦୁଇ ଗୋଷ୍ଠୀ ପିଟାପିଟି, ୬ ଆହତ

କଟକ ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା । ବିଜେଡି ଓ କଂଗ୍ରେସ ସମର୍ଥକ ଏବଂ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି ।

Odisha Election

କଟକ ବାଙ୍କି ଥାନା ଅନ୍ତର୍ଗତ ବେଦପୁର ଗାଁରେ ନିର୍ବାଚନ ପରବର୍ତ୍ତୀ ହିଂସା । ବିଜେଡି ଓ କଂଗ୍ରେସ ସମର୍ଥକ ଏବଂ କର୍ମୀଙ୍କ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ହୋଇଥିବା ସୂଚନା ମିଳିଛି । ଆକ୍ରମଣରେ ୬ରୁ ଅଧିକ ଆହତ ହୋଇ ବାଙ୍କି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି ।

ବେଦପୁର ଗ୍ରାମବାସୀ ରାତିରେ ଦୀର୍ଘ ସମୟ ଧରି କଟକ-ବାଙ୍କୀ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ସାଧାରଣ ଜୀବନଯାତ୍ରା ବାଧାପ୍ରାପ୍ତ ହୋଇଥିଲା । ଏଥିସହ ଶତାଧିକ ଲୋକେ ବାଙ୍କୀ ଥାନା ଭିତରେ ପଶି ହୋ ହାଲ୍ଲା କରିଥିଲେ । ତେବେ କାହିଁକି ଘଟିଲା ଏଭଳି ଘଟଣା, ସେନେଇ ବିଜେଡି କିମ୍ବା କଂଗ୍ରେସ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

ଅଧିକ ପଢ଼ନ୍ତୁ: ଛେଣ୍ଡିପଦା ବିଧାୟକଙ୍କ ବଢ଼ିଲା ଅଡୁଆ, ଜିଲ୍ଲାପାଳଙ୍କୁ ତଦନ୍ତ ଓ ଆକ୍ସନ ଟେକେନ୍ ରିପୋର୍ଟ ମାଗିଲେ CEO

ସେପଟେ ପୁରୀ ଜିଲ୍ଲା ନିମାପଡ଼ା ତେରୁଣ୍ଡିଆରେ ମଧ୍ୟ ଉତ୍ତେଜନା । ନିମାପଡ଼ା ତେରୁଣ୍ଡିଆରେ ପିପିଲି ବିଧାୟକଙ୍କ ଗାଡ଼ିକୁ ଠେଲାପେଲା ସହ ଢ଼େଲା ମାଡ଼ ଅଭିଯୋଗ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣାରେ ତେରୁଣ୍ଡିଆ ପଞ୍ଚାୟତ ବିଜେପି ସଭାପତିଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରି ପରେ ଛାଡ଼ିଛି ନିମାପଡ଼ା ପୋଲିସ ।

ସୂଚନା ପାଇବା ପରେ ଥାନାରେ ପହଞ୍ଚିଥିଲେ ବିଜେପି ବିଧାୟିକା ପ୍ରାର୍ଥୀ ପ୍ରଭାତୀ ପରିଡ଼ା । ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ତୃତୀୟ ପର୍ଯ୍ୟାୟ ଭୋଟ୍‌ ବେଳେ ଗୋଷ୍ଠୀ ସଂଘର୍ଷ ସହ ଅବ୍ୟବସ୍ଥାର ମାଳ ମାଳ ଚିତ୍ର, ଶୃଙ୍ଖଳିତ ନିର୍ବାଚନ ଆଡ଼କୁ ଅଙ୍ଗୁଳି ଉଠାଇଛି । କେଉଁଠି ମନ୍ତ୍ରୀଙ୍କ ଉପସ୍ଥିତିରେ ମାରପିଟ୍ ହୋଇଥିଲା ତ ଆଉ କେଉଁଠି ଶାସକ ବିଧାୟକଙ୍କ ଦାଦାଗିରି ସବୁ ସୀମା ଟପିଯାଇଥିଲା ।

ପୁଣି କେଉଁଠି ଭାଙ୍ଗିଥିଲା ଇଭିଏମ୍‌ । ଯାହାକୁ ନେଇ ଦେଖାଦେଇଥିଲା ତୀବ୍ର ଅସନ୍ତୋଷ । ତେବେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଗିରଫ ହୋଇଛନ୍ତି ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ । ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କୁ ଗିରଫ କରିଛି ପୋଲିସ।

ଅଧିକ ପଢ଼ନ୍ତୁ: ସଂଘର୍ଷ, ହିଂସା, ବିଶୃଙ୍ଖଳା ଓ ରକ୍ତପାତରେ ଭିଜିଲା ମତଦାନ; CEO କହିଲେ ନିଆଯିବ ଆକ୍ସନ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ୍ କାଉଁରିପାଟଣା ବୁଥରେ ଇଭିଏମ୍ ଫିଙ୍ଗାଯିବା ଅଭିଯୋଗ ମାମଲାରେ ଚିଲିକା ବିଧାୟକ ତଥା ଚଳିତ ନିର୍ବାଚନରେ ଖୋର୍ଦ୍ଧା ବିଧାୟକ ପ୍ରାର୍ଥୀ ପ୍ରଶାନ୍ତ ଜଗଦ୍ଦେବ ଗିରଫ ହୋଇଛନ୍ତି । ଗିରଫ ପରେ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ତାଙ୍କୁ ଖୋର୍ଦ୍ଧା ଜେଲକୁ ପଠାଯାଇଥିବା ସୂଚନା ମିଳିଛି ।

ଅନ୍ୟପଟେ ଭୋଟିଂ ଦିନ ଆଠଗଡ଼ ନିର୍ବାଚନ ମଣ୍ଡଳୀ ରାଧାଗୋବିନ୍ଦପୁର ୧୧୫ ନଂ ବୁଥ୍‌ରେ ୨ ଗୋଷ୍ଠୀ ମଧ୍ୟରେ ହାତାହାତି ହୋଇଥିଲା । ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଧାଡ଼ିରେ ଛିଡ଼ା ହୋଇଥିବା ବେଳେ ପାଖରେ ପିଟାପିଟି ହୋଇଥିଲା । ମାଡ଼ପିଟ୍‌ରେ ଉଭୟ ଗୋଷ୍ଠୀର ୪ ଜଣ ଆହତ ହୋଇଥିଲେ ।

ସେହିପରି ବ୍ରହ୍ମଗିରି ଗଡ଼ରୋଡଙ୍ଗ ସ୍ଥିତ ୧୨୭ ନଂ ବୁଥ୍‌ରେ ଉତ୍ତେଜନା ଦେ‍ଖିବାକୁ ମିଳିଥିଲା । EVM ଅଚଳକୁ ନେଇ ଭୋଟରଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା । ସେହିପରି ପ୍ରିଜାଇଡିଂ ଅଫିସର ଦୁର୍ବ୍ୟବହାର କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି ବ୍ରହ୍ମଗିରି ପ୍ରାର୍ଥିନୀ ଉପାସନା ମହାପାତ୍ର । ଦୁର୍ବ୍ୟବହାର ଅଭିଯୋଗ ଆଣି ଗଣମାଧ୍ୟମ ଆଗରେ ବର୍ଷିଥିଲେ ଉପାସନା ।