ବଲାଙ୍ଗିରରେ ସ୍ପଷ୍ଟ ଲଢ଼େଇର ଚିତ୍ର, ଦୁଇ ଭେଟେରାନଙ୍କ ଦାୟାଦଙ୍କୁ ଟକ୍କର ପାଇଁ ନୂଆ ମୁହଁ

୨୪ ମହାସଂଗ୍ରାମ ପାଇଁ ପ୍ରାର୍ଥୀ ବଛା କସରତ୍ ଭିତରେ ପୂରା ସ୍ପଷ୍ଟ ହୋଇଯାଇଛି ବଲାଙ୍ଗିର ବିଧାନସଭା କ୍ଷେତ୍ରରେ ଲଢ଼େଇର ଚିତ୍ର ।

Bolangir Assembly Constituency

ବଲାଙ୍ଗିର । ରାଜ୍ୟର ଅନ୍ୟତମ ଚର୍ଚ୍ଚିତ ଏ ବିଧାନସଭା ନିର୍ବାଚମଣ୍ଡଳୀରେ ପ୍ରତିଥର ଭୋଟ୍ ବେଳେ ଦେଖିବାକୁ ମିଳେ ସିଂହ ଲଢ଼େଇ । ମୈଦାନରେ ଥାନ୍ତି ଦୁଇ ପାରଂପାରିକ ପ୍ରତିଦ୍ୱନ୍ଦୀ ନରସିଂହ ମିଶ୍ର ଓ ଅନଙ୍ଗ ଉଦୟ ସିଂଦେଓଙ୍କ ପରିବାର । ତେବେ ୨୦୧୯ ମସିହାରୁ ଅନଙ୍ଗ ନିର୍ବାଚନ ରାଜନୀତିରୁ ସନ୍ନ୍ୟାସ ନେଇଥିବା ବେଳେ, ଏଥର ଭୋଟ୍ ରାଜନୀତିରୁ ଅବସର ନେଇଛନ୍ତି କଂଗ୍ରେସ ଭେଟେରାନ୍ ନରସିଂହ । ହେଲେ ବଦଳରେ ଏଥର ମୈଦାନରେ ଏ ଦୁଇ ନେତାଙ୍କ ଦାୟଦ । ବିଜେଡି ଅନଙ୍ଗଙ୍କ ବଡ଼ପୁଅ ତଥା ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂଦେଓଙ୍କୁ ଟିକେଟ୍ ଦେଇଥିଲା ବେଳେ ନରସିଂହଙ୍କ ପୁଅ ସମରେନ୍ଦ୍ର ମିଶ୍ରଙ୍କୁ ପ୍ରାର୍ଥୀ କରିଛି କଂଗ୍ରେସ । କିନ୍ତୁ ବିଜେପି ଗତଥର ଭଳି ଏଥର ବି ନୂଆ ଚେହେରାକୁ ସାମ୍ନାକୁ ଆଣିଛି । ସହରର ଜଣାଶୁଣା ସଂଗଠକ ଗୋପାଳଜୀ ପାଣିଗ୍ରାହୀ ଏଥର ବଲାଙ୍ଗିର ସଦର ପାଇଁ ବିଜେପି ପ୍ରାର୍ଥୀ ।

ପଶ୍ଚିମ ଓଡ଼ିଶା ରାଜନୀତିରେ ବଲାଙ୍ଗିର ସଦର ନିର୍ବାଚନ ମଣ୍ଡଳୀର ବେଶ୍ ଗୁରୁତ୍ୱ । କାରଣ ଏଠୁ ନିର୍ବାଚିତ ବିଧାୟକ ଅଧିକାଂଶ ସମୟରେ, ଗୁରୁତ୍ୱପୂର୍ଣ୍ଣ ବିଭାଗର ମନ୍ତ୍ରୀ କିମ୍ବା ବିରୋଧୀ ଦଳର ନେତା ଆସନରେ ବସନ୍ତି । ୨୫ ବର୍ଷ ଧରି ଏକ ପାଖିଆ ନିର୍ବାଚନ ଜିଣି, ରାଜ୍ୟ ସରକାରଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗରେ ମନ୍ତ୍ରୀ ଥିଲେ, ବିଜେଡି ଭେଟେରାନ୍ ଅନଙ୍ଗ ଉଦୟ ସିଂଦେଓ । ହେଲେ ୨୦୧୪ ମସିହାରେ ଓଲଟା ହୋଇଥିଲା ଫଳ । ବାଜି ମାରିନେଇଥିଲେ କଂଗ୍ରେସ ଭେଟେରାନ୍ ନରସିଂହ ମିଶ୍ର । ବିରୋଧି ଦଳର ନେତା ହୋଇଥିଲେ । ୨୦୧୯ରେ ବି ବିଜୟ ଧାରାକୁ ରିପିଟ୍ କରିଥିଲେ ନରସିଂହ । କଂଗ୍ରେସ ବିଧାୟକ ଦଳର ନେତା ହୋଇଥିଲେ । ହେଲେ ଏଥର ଦୁଇ ପରିବାରର ଦୁଇ ଦାୟାଦ ନିର୍ବାଚନୀ ରଣାଙ୍ଗନରେ ଥିବାରୁ ରାଜନୀତିରେ ପରିବାରବାଦକୁ ନେଇ ସାଧାରଣରେ ଢେର ଚର୍ଚ୍ଚା । ତେଣୁ ଏ ଦୁହିଁକୁ ମାତ୍ ଦେବାକୁ କେତେ କାମ ଦେବ, ବିଜେପିର ନୂଆ ଏକ୍ସପେରିମେଣ୍ଟ ?

୨୦୧୯ ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ନରସିଂହ ମିଶ୍ର ୭୧ ହଜାର ୫୯୮ ଭୋଟ୍ ପାଇ ବିଜୟୀ ହୋଇଥିଲା ବେଳେ, ବିଜେଡି ପ୍ରାର୍ଥୀ ଅର୍କେଶ ନାରାୟଣ ସିଂଦେଓ ୬୬ ହଜାର ୨୫୭ ଓ ବିଜେପି ପ୍ରାର୍ଥୀ ଅନନ୍ତ କୁମାର ଦାଶ ୨୮ ହଜାର ୯୨୪ ଖଣ୍ଡ ଭୋଟ୍ ପାଇଥିଲେ ।