ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦ୍ରୀୟ ନେତା, ଶେଷ ପର୍ଯ୍ୟାୟ ପାଇଁ କରିବେ ପ୍ରଚାର

ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦୀୟ ନେତା । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ।

Odisha Election

ଶେଷ ପର୍ଯ୍ୟାୟ ପ୍ରଚାର ପାଇଁ ପୁଣି ଓଡ଼ିଶାମୁହାଁ ବିଜେପିର ଟପ୍ କେନ୍ଦୀୟ ନେତା । ଆଜିଠୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏହି ୨ ଦିନରେ ସେ ୮ଟି ସ୍ଥାନରେ ପ୍ରଚାର କରିବେ । ଆଜି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା ଓ କାକଟପୁରରେ ପ୍ରଚାର କରିବେ ବିଶ୍ୱଶର୍ମା ।

ଆସନ୍ତାକାଲି ରାଇରଙ୍ଗପୁର, ମୋରଡ଼ା, ସୋର ଓ ଜଗତସିଂହପୁରରେ ହିମନ୍ତଙ୍କ ଜନସଭା କାର୍ଯ୍ୟକ୍ରମ ରହିଛି । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଧ୍ୟ ଆଜି ବାସୁଦେବପୁର, ବାହାନଗାଠାରେ ଅନୁଷ୍ଠିତ ବିଶାଳ ରୋଡ ଶୋରେ ସାମିଲ ହେବେ । ଆଜି ଏବଂ ଆସନ୍ତାକାଲି କେନ୍ଦ୍ରାପଡ଼ା ଓ ଭଦ୍ରକରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସଭା ରହିଛି ।

ଏପଟେ ଓଡ଼ିଶାରେ ପୁଣି ମାରାଥନ୍ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ମୋଦି । ଆସନ୍ତା ୨୯ ତାରିଖରେ ବାରିପଦା, ବାଲେଶ୍ୱର ଓ କେନ୍ଦ୍ରାପଡ଼ାରେ ଜନସଭାକୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ୨୯ ତାରିଖ ଦିନ ୧୨ଟାରେ ବାରିପଦା ଛଉ ପଡ଼ିଆରେ ମୋଦିଙ୍କ ପ୍ରଥମ ସଭା ରହିଛି । ଏହାପରେ ସାଢ଼େ ଗୋଟାଏରେ ବାଲେଶ୍ୱରରେ ଏବଂ ସାଢେ ୩ଟାରେ କେନ୍ଦ୍ରାପଡ଼ାରେ ବିଶାଳ ଜନସଭାକୁ ମୋଦି ସମ୍ବୋଧନ କରିବା କାର୍ଯ୍ୟକ୍ରମ ରହିଛି ।

ମୋଦି ଆସିବା ପୂର୍ବଦିନ ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଆସିବେ । ଅର୍ଥାତ ଆସନ୍ତାକାଲି ଓଡ଼ିଶା ଆସୁଛନ୍ତି ଅମିତ ଶାହ । କାଲି ଗୃହମନ୍ତ୍ରୀଙ୍କ ୩ଟି ସଭା ରହିଛି । କାଲି ଦିନ ୧୦ଟାରେ ଚାନ୍ଦବାଲିରେ କରିବେ ପ୍ରଥମ ସଭା । ପରେ କୋରେଇ ଓ ନିମାପଡାରେ ଜନସଭାକୁ ସମ୍ବୋଧନ କରିବେ ଶାହ ।

ସେପଟେ ଆସନ୍ତା ୨୯ ତାରିଖରେ ଓଡ଼ିଶା ଆସିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡଗେ । ତା ପରଦିନ ଅର୍ଥାତ୍ ୩୦ ତାରିଖରେ ଓଡ଼ିଶା ଆସିବେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି । ରାଜ୍ୟ କଂଗ୍ରେସ ପ୍ରଭାରୀ ଅଜୟ କୁମାର ଏହି ସୂଚନା ଦେଇଛନ୍ତି । ୨୯ ତାରିଖ ଦିନ ୧୧ଟାରେ ବାଲେଶ୍ୱରରେ ସଭା କରିବେ ଖଡଗେ । ୨୯ ତାରିଖ ଅପରାହ୍ନ ୩ଟାରେ ଭଦ୍ରକ ଚାନ୍ଦବାଲିରେ ଖଡଗେଙ୍କ ସଭା ରହିଛି ।

୩୦ ତାରିଖ ଦିନ ୧୧ଟାରେ ସିମୁଳିଆ ସାନମହିତପୁରରେ ରାହୁଲ ଏକ ଜନସଭାକୁ ସମ୍ବୋଧିତ କରିବା କାର୍ଯ୍ୟକ୍ରମ ରହିଛି । ସେପଟେ ଗତ କିଛିଦିନ ତଳେ ଓଡ଼ିଶା ଆସିଥିଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଈରାନୀ । ପାରାଦୀପ କୁଜଙ୍ଗ ସଭାରେ ବିଜେଡ଼ି ଉପରେ ସିଧା ହମଲା କରିଥିଲେ ସ୍ମୃତି ଈରାନୀ । ଓଡ଼ିଶାକୁ ରିମୋଟ କଣ୍ଟ୍ରୋଲ ତାମିଲବାବୁ ଲୁଟୁଥିବା କହିଲେ ଈରାନୀ । ବିଜେଡି ରାଜ୍ୟକୁ ଲ୍ୟାଣ୍ଡ, ସ୍ୟାଣ୍ଡ, ମାଇନିଂ, କୋଲ୍‌ ମାଫିଆ ଦେଇଛି । ବିଜେଡି ନେତା, ମନ୍ତ୍ରୀଙ୍କୁ ତାମିଲ ବାବୁ ରିମୋଟ କଣ୍ଟ୍ରୋଲରେ ଚଳାଉଛନ୍ତି ।