ଭେଳିକି ପାଲଟିବ କି ମାଗଣା ବିଜୁଳି, ଭୋଟ୍ ପଶାପାଲିରେ ମାଗଣା ବିଜୁଳି ଥୋପ

ନିର୍ବାଚନ ଜିତିଲେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଭୋଟ୍ ଋତୁରେ ଭୋଟରଙ୍କ ପାଇଁ ଫ୍ରି ବିଜୁଳି ଘୋଷଣା କରିଛି ବିଜେଡି ।

Electricity Bill

ନିର୍ବାଚନ ଜିତିଲେ ରାଜ୍ୟର ପ୍ରାୟ ୯୦ ପ୍ରତିଶତ ପରିବାର ମାଗଣାରେ ବିଜୁଳି ପାଇବେ । ଭୋଟ୍ ଋତୁରେ ଭୋଟରଙ୍କ ପାଇଁ ଫ୍ରି ବିଜୁଳି ଘୋଷଣା କରିଛି ବିଜେଡି । ତେବେ ବିଜେଡିର ଏଇ ବିଜୁଳି ଥୋପ ଆଉ ଗ୍ରାଉଣ୍ଡରେ ବାସ୍ତବତା ଭିତରେ ଆକାଶ ପାତାଳ ଫରକ । ଦିନ ହେଉ କି ରାତି, ହାତପଙ୍ଖାକୁ ଆଉ ବିଶ୍ରାମ ନାହିଁ ।

ବିଞ୍ଛି ବିଞ୍ଛି ହାତ ଦରଜ ହୋଇଯାଉଛି, ତଥାପି ଝାଳ ଶୁଖୁନି । ଘରେ ପ୍ରତି ରୁମରେ ଫ୍ୟାନ୍ ଥିଲେ କଣ ହେବ, ବିଜୁଳିର ଦେଖା ନାହିଁ । ଗରମରେ ଖାଇବା, ସୂର୍ଯ୍ୟ ଆଲୁଅରେ ପଢିବା, ଅନ୍ଧାରରେ ରହିବା, ଯେମିତି ଅଭ୍ୟାସ ପାଲଟିଗଲାଣି । ଅଧିକ ଗରମ ହେଲେ ଗଛ ତଳ ଭରସା । ସକାଳ, ଦିପହର, ରାତି, ବିଜୁଳି କଟିବାର କିଛି ସମୟ ନାହିଁ ।

ଥରେ ଯାଉଛି ଯେ, କେତେବେଳେ ଆସିବ କାହାକୁ ଜଣାନାହିଁ । ଘନ ଘନ ଅଘୋଷିତ ବିଜୁଳି କାଟ୍ ଅତିଷ୍ଠ କରିଦେଲାଣି । ଉପାନ୍ତ ଅଂଚଳରେ ତ ବିଜୁଳି କଥା ନକହିଲେ ଭଲ । ଦିନକୁ ୭ରୁ ୮ ଘଣ୍ଟା ବିଦ୍ୟୁତ୍ କାଟ୍ ହେଉଛି । ବିଜୁଳି ଉତ୍ପାଦନ ହେଉଥିବା କୋରାପୁଟରେ ଦିନ ବେଳା ଘର ଘଣ୍ଟା ଘଣ୍ଟା ଧରି ଅନ୍ଧାର । ଖାଇବାକୁ ହେଲେ ମୋବାଇଲ ଟର୍ଚ୍ଚ ଭରସା ।

ପିଲାଛୁଆକୁ ଧରି ହନ୍ତସନ୍ତ ହେଉଛନ୍ତି ଲୋକେ । ଢେଙ୍କାନାଳ ସହରରେ ବି କଲବଲ କରୁଛି ବିଜୁଳି କାଟ୍ । ଭୀଷଣ ଗରମ ବେଳେ ବିନା କାରଣରେ ବିନା ଘୋଷଣାରେ ହଠାତ୍ କଟିଯାଉଛି ଲାଇନ୍ । ୨୪ ଘଣ୍ଟିଆ ବିଜୁଳି ସେବା ଯେମିତି ସାତସପନ ପାଲଟିଗଲାଣି । ଦୀର୍ଘ ୨୪ ବର୍ଷର ଲମ୍ବା ଶାସନ କାଳ ପରେ ନିର୍ବାଚନୀ ଇସ୍ତାହାରରେ ପ୍ରଥମ ଥର ପାଇଁ ମାଗଣା ବିଜୁଳିର ଲୋଭନୀୟ ପ୍ରତିଶ୍ରୁତି ଦେଇଛି ବିଜୁ ଜନତା ଦଳ ।

ଗଣମାଧ୍ୟମରେ ଘନ ଘନ ବିଜ୍ଞାପନ ସହ ନିର୍ବାଚନୀ ସଭାରେ ସମାନ କଥା କହି ବୁଲୁଛନ୍ତି ବିଜେଡି ସୁପ୍ରିମୋ । ଦଳ ଘୋଷଣା କରିଛି, ପୁଣି ବିଜେଡି ସରକାର ଆସିଲେ ମାସିକ ୧୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ଖର୍ଚ୍ଚ କରୁଥିବା ଗ୍ରାହକ ଆଦୌ ବିଜୁଳି ବିଲ୍ ଦେବେନାହିଁ । ୧୦୦ରୁ ୧୫୦ ୟୁନିଟ ପର୍ଯ୍ୟନ୍ତ ଖର୍ଚ୍ଚ କଲେ ଗ୍ରାହକଙ୍କ ପାଇଁ ଛାଡ଼ ହେବ ୫୦ ୟୁନିଟ୍ ।

ତେବେ ବିରୋଧୀ କହିଛନ୍ତି, ଏହା କେବଳ ବିଜେଡିର ନିର୍ବାଚନ ଭେଳିକି । ପ୍ରଥମେ ରାଜ୍ୟବାସୀଙ୍କୁ ୨୪ ଘଣ୍ଟିଆ ବିଜୁଳି ଯୋଗାଇ ଦିଅନ୍ତୁ, ତାପରେ ମାଗଣା କଥା କହିବେ । ଏପଟେ ବିଦ୍ୟୁତ୍ ଉପଭୋକ୍ତା ମହାସଂଘ କହିଛି, ଲାଇନ୍ ଏବଂ ସବଷ୍ଟେସନର ଲାଇଫ୍ ବୋଲି କିଛିନାହିଁ । ବେଶୀ ଲୋଡ୍ ପଡିଲେ ଅଟୋମେଟିକାଲି ପୋଡିଯିବ । ସେଥିପାଇଁ ବିଦ୍ୟୁତ୍ କ୍ଷେତ୍ରରେ ଆଗ ଭିତ୍ତିଭୂମି ମଜବୁତ୍ କରିବାକୁ ପଡିବ ।