Advertisment

ଆକ୍ସନ ମୋଡରେ ନିର୍ଵାଚନ କମିଶନ: ଅଫସର ଥରହର, ନେତାଙ୍କ ଛାତି ଧକଧକ

ଆକ୍ସନ ମୋଡରେ ନିର୍ବାଚନ କମିଶନ୍। ବିଜେଡି ପାଇଁ କାମ କରୁଥିବା ଅଧିକାରୀଙ୍କ ବଢିଲାଣି ଟେନସନ୍! ଗୁରୁବାର ମିଶନ ଶକ୍ତିରୁ IAS ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ।

ଅଦ୍ୟତନ ହୋଇଛି
undefined

Election Commission

Advertisment

ସରାକାରୀ ଅଧିକାରୀ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ କରୁଥିବା ନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନିଇତି ଫେରାଦ ହେଇଛି ବିଜେପି। ଆଉ ଅଭିଯୋଗ ଆଧାରରେ କାର୍ଯ୍ୟାନୁଷ୍ଠାନ ବି ଜୋରଦାର ନେଉଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ। ମିଶନ ଶକ୍ତି ସଚିବଙ୍କଠାରୁ ଆରମ୍ଭ କରି IAS, IPS, ଶିକ୍ଷକ, ଅଧ୍ୟାପକ, ପୋଲିସ୍ ବାବୁ କେହି ବି ବର୍ତ୍ତି ନାହାନ୍ତି। କାହାକୁ ନିଲମ୍ବନ କରାଯାଇଛି ତ କାହାକୁ ବଦଳି। ECI ଙ୍କ ଆକ୍ସନ ପରେ ଚିନ୍ତ୍ରାରେ ଶାସକ ଦଳ ହାତବାରିସୀ ସାଜିଥିବା ଅଫିସରମାନେ।

Advertisment

ଆକ୍ସନ ମୋଡରେ ନିର୍ବାଚନ କମିଶନ୍। ବିଜେଡି ପାଇଁ କାମ କରୁଥିବା ଅଧିକାରୀଙ୍କ ବଢିଲାଣି ଟେନସନ୍! ଗୁରୁବାର ମିଶନ ଶକ୍ତିରୁ IAS ସୁଜାତା କାର୍ତ୍ତିକେୟନଙ୍କୁ ବଦଳି ନିର୍ଦ୍ଦେଶ। ଶୁକ୍ରବାର କଟକର ଦୁଇ ପୋଲିସ ଅଧିକାରୀଙ୍କୁ ବି ଟ୍ରାନ୍ସଫର ଅର୍ଡର। ସବୁ ଥର ଅପେକ୍ଷା ୨୪ ନିର୍ବାଚନରେ ଆଦର୍ଶ ଆଚରଣ ବିଧି ଉଲ୍ଲଘଂନ ଅଭିଯୋଗରେ ପୁଳା ପୁଳା ଅଧିକାରୀଙ୍କ ବିରୋଧରେ ଆକ୍ସନ ନେଲେଣି ନିର୍ବାଚନ କମିଶନ।

କିଛିଦିନ ତଳେ କଟକ ଆଠଗଡ଼ରେ ବିଜେଡି ନେତା ରାଜା ସ୍ୱାଇଁଙ୍କ ଫଟୋ ଥାଇ ବିଜେଡି ବ୍ୟାନର ଲାଗିଥିବା ମଞ୍ଚରେ ଇଫତାର ପାର୍ଟିରେ ସାମିଲ ହେବା ଦୁଇ ପୋଲିସ ଅଧିକାରୀଙ୍କୁ ମହଙ୍ଗା ପଡିଛି। ଚୌଦ୍ୱାର ଥାନା ଆଇଆଇସି ବିଶ୍ୱରଞ୍ଜନ ସାହୁ ଏବଂ SI ସରସ୍ୱତୀ ସାହୁଙ୍କୁ ଅନ୍ୟତ୍ର ବଦଳି ସହ ନିର୍ବାଚନ ଡ୍ୟୁଟିରୁ ଦୂରେଇ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନିର୍ବାଚନ କମିଶନ। ପୂର୍ବରୁ ଏପ୍ରିଲ ୨୯ରେ ମଧ୍ୟ ନବରଙ୍ଗପୁର ପାପଡାହାଣ୍ଡିର ଦୁଇ ଜଣ ଶିକ୍ଷକ ଗୌତମ ଚରଣ ସାହୁ ଏବଂ ମନୋଜ ଭତ୍ରା ଆଦର୍ଶ ଆଚଣ ବିଧିର ଉଲ୍ଲଂଘନ କରି ନିଲମ୍ବିତ ହୋଇଥିଲେ।

Advertisment

ଏପ୍ରିଲ ୧୭ରେ ମଧ୍ୟ ବିଜେଡିକୁ ଭୋଟ ଦେବାକୁ ଶପଥ ପାଠ କରାଇ ନୟାଗଡ କେନ୍ଦ୍ର ସମବାୟ ବ୍ୟାଙ୍କ ମ୍ୟାନେଜର ଯୁଗଳ କିଶୋର ପ୍ରଧାନ, ଏବଂ ମାଳିସାହି ମହାବିଦ୍ୟାଳୟର ଅଧ୍ୟାପକ ପ୍ରଶାନ୍ତ କୁମାର ବେହେରାଙ୍କୁ ନିଲମ୍ବନ ନିର୍ଦ୍ଦେଶ ଦେଇଥିଲେ ନିର୍ବାଚନ କମିଶନ୍। ସେହିପରି ୨୩ ତାରିଖରେ ପୂର୍ବତନ ମନ୍ତ୍ରୀ ତଥା ଅତାବିରା ବିଜେଡି ବିଧାୟକ ସ୍ନେହାଙ୍ଗନୀ ଛୁରିଆଙ୍କ ସ୍ୱାମୀ ଦୁର୍ଗା ପ୍ରସାଦ ଛୁରିଆଙ୍କୁ ବି ଅନ୍ୟ ଜିଲ୍ଲାକୁ ବଦଳି କରାଯାଇଛି। ପ୍ରଶ୍ନ ଉଠୁଛି କାହିଁକି ଏତେ ସଂଖ୍ୟକ ସରକାରୀ ଅଧିକାରୀ ଶାସକ ଦଳର ନିର୍ବାଚନ କାର୍ଯ୍ୟକ୍ରମରେ ସାମିଲ ହେଉଛନ୍ତି। ନିଜ ଇଚ୍ଛାରେ ସାମିଲ ହେଉଛନ୍ତି ନା ତାଙ୍କୁ ବାଧ୍ୟ କରାଯାଉଛି। ଯାହାକୁ ନେଇ ବିରୋଧୀ ବିଜେପିକୁ ଘେରିଥିବା ବେଳେ ଜବାବ୍ ରଖିଛି ବିଜେଡି।

ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ପରେ ସବୁଠୁ ବଡ ଝଟକା ଲାଗିଛି ବିଜେଡିର ମିଶନ ଶକ୍ତି ସିଷ୍ଟମକୁ। କିଛି ଦିନ ତଳେ ମିଶନ ଶକ୍ତି ମହିଳାଙ୍କୁ ଦୁବାଇ ନେବା ପାଇଁ ନେଇଥିବା ନିଷ୍ପତ୍ତି ଉପରେ ରୋକ୍ ଲଗାଇଥିଲେ ନିର୍ବାଚନ କମିଶନ। ସେହିପରି କେନ୍ଦ୍ରାପଡାରେ ବିଜେଡି ସଭାରେ ହୁଳହୁଳି ଓ ଶଙ୍ଖ ଫୁଙ୍କି ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ଅଭିଯୋଗରେ ଦୁଇ CRPଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ ନିଲମ୍ବନ କରିଥିଲେ କେନ୍ଦ୍ରାପଡା ଜିଲ୍ଲାପାଳ। ଏହା ସତ୍ତ୍ୱେ ବି ବିଭିନ୍ନ ସ୍ଥାନରେ SHG ମହିଳାଙ୍କୁ ବିଜେଡି ନିର୍ବାଚନ କାର୍ଯ୍ୟରେ ନିୟୋଜିତ କରୁଥିବା ଅଭିଯୋଗ ଆସିବା ପରେ ମିଶନ ଶକ୍ତି ସଚିବ ତଥା ବିଜେଡି ନେତା ଭି . କେ. ପାଣ୍ଡିଆନଙ୍କ ପତ୍ନୀ ସୂଜାତା କାର୍ତ୍ତିକେୟନଙ୍କୁ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଅନ୍ୟ ବିଭାଗକୁ ବଦଳି କରିବାକୁ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର।

Advertisment

ଏହା ପୂର୍ବରୁ ବିଜେଡି ସରକାରରେ ଦୀର୍ଘ ଦିନ ଗୋଟିଏ ଜାଗାରେ ଗାଦି ମାଡି ବସିଥିବା ବରିଷ୍ଠ ଆଇଏଏସ ଏବଂ ଆଇପିଏସ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ଆଇପିଏସ ଆଶିଷ ସିଂଙ୍କ ସହ ୪ ଆଇପିଏସ ଅଧିକାରୀଙ୍କୁ ଅନ୍ୟତ୍ର ବଦଳି କରିବା ସହ ୮ ଜିଲ୍ଲପାଳଙ୍କୁ ମଧ୍ୟ ବଦଳି କରିଥିଲେ। ରାଜ୍ୟରେ ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ନେଇ ୫୪୮ଟି ଅଭିଯୋଗ ହୋଇଥିବା ବେଳେ ସେ ମଧ୍ୟରୁ ୪୪୯ ଅଭିଯୋଗକୁ ସମାଧାନ କରିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।

Election Commission Odisha Politics General Elections 2024
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ