କଂଗ୍ରେସ ଟିକେଟ୍‌ ଫେରାଇଲେ ଆଠଗଡ଼ ବିଧାନସଭା ପ୍ରାର୍ଥୀ

କଟକ ଲୋକସଭା ଆସନରେ କଂଗ୍ରେସ ବିଭୁତି ମିଶ୍ରଙ୍କୁ ପ୍ରାର୍ଥୀ ନକରିବାରୁ ଖପ୍ପା ହୋଇଥିଲେ ମେହବୁବ। ବିଭୁତି ମିଶ୍ରଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି ।

Congress Ticket

ଭୋଟ୍‌ ତାରିଖ ଯେତିକି ପାଖଉଛି କଂଗ୍ରେସ ଭିତରେ କନ୍ଦଳ ସେତିକି ବଢ଼ିବାରେ ଲାଗୁଛି । ଆଜି କଟକ ଲୋକସଭା ପ୍ରାର୍ଥୀ ଚୟନରେ ଖପ୍ପା ହୋଇ ଟିକେଟ୍‌ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ୍‌ ଅହମ୍ମଦ ଖାଁ ଟିକେଟ ଫେରାଇଛନ୍ତି । କଟକ ଲୋକସଭା ଆସନରେ କଂଗ୍ରେସ ବିଭୁତି ମିଶ୍ରଙ୍କୁ ପ୍ରାର୍ଥୀ ନକରିବାରୁ ଖପ୍ପା ହୋଇଥିଲେ ମେହବୁବ। ବିଭୁତି ମିଶ୍ରଙ୍କୁ କାହିଁକି ପ୍ରାର୍ଥୀ କରାଗଲାନି କହି ଟିକେଟ ଫେରାଇଛନ୍ତି । ସୂଚନା ଅନୁସାରେ କଟକ ଲୋକସଭା ଆସନ ପାଇଁ କଂଗ୍ରେସ ସୁରେଶ ମହାପାତ୍ରଙ୍କୁ ପ୍ରାର୍ଥୀ କରିଛି।

ତେବେ କେବଳ ଆଠଗଡ଼ ନୁହେଁ ଟିକେଟ୍‌ ବଣ୍ଟନକୁ ନେଇ ବିଭିନ୍ନ ସ୍ଥାନରେ କନ୍ଦଳ ଦେଖିବାକୁ ମିଳିଛି । ଜଳେଶ୍ୱରରେ କଂଗ୍ରେସ ପ୍ରାର୍ଥୀ ଘୋଷଣା ପରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଉପରେ ବର୍ଷିଥିଲେ ରାଜ୍ୟ କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ରାଜ୍ୟ କଂଗ୍ରେସରେ କିଛି ଆତ୍ମଘାତୀ କାର୍ଯ୍ୟକଳାପ ପାଇଁ ଓଡ଼ିଶାରେ କଂଗ୍ରେସ ଆଗକୁ ଯାଇ ପାରୁନାହିଁ ବୋଲି ସେ କହିଥିଲେ ।

ସେହିପରି କୋରାପୁଟ କଂଗ୍ରେସରେ ମଧ୍ୟ ଦେଖିବାକୁ ମିଳିଛି କନ୍ଦଳ। ଦଳ ଯାହାକୁ ଟିକେଟ ଦେଲା ତାଙ୍କୁ ବିରୋଧ କରି ଏକାଧିକ ପ୍ରାର୍ଥୀଙ୍କ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଛନ୍ତି । କୋରାପୁଟ ଲୋକସଭା ସମେତ ଗୁଣପୁର, ବିଷମ କଟକ ଓ ଜୟପୁରର ଦଳୀୟ ଅସନ୍ତୁଷ୍ଟମାନେ ନାମାଙ୍କନ ଦାଖଲ କରିଛନ୍ତି।

ସେହିପରି ସମ୍ବଲପୁର ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରଥମେ ଦୁଲାଲ ପ୍ରଧାନଙ୍କୁ ପ୍ରାର୍ଥୀ କରିଥିଲା । କିନ୍ତୁ ପରେ ତାଙ୍କ ଟିକେଟ୍‌ ପାଟି ନଗେନ୍ଦ୍ର ପ୍ରଧାନଙ୍କୁ ଟିକେଟ୍‌ ଦେଇଥିଲା ଦଳ । କଂଗ୍ରେସର ଏହି ନିଷ୍ପତ୍ତିରେ କ୍ଷୁବ୍ଧ ହୋଇ ସେ ମଧ୍ୟ ତାଙ୍କ ଇସ୍ତଫା କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡଗେଙ୍କ ପଠାଇଥିଲେ ।