ହାଇଭୋଲଟେଜ୍ ପ୍ରଚାର ! ୨୪ରେ ନବୀନ, ୨୫ରେ ଶାହ, ୨୮ରେ ଓଡ଼ିଶା ଆସିବେ ରାହୁଲ

୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୨୫ ତାରିଖ ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା ।

Election

୨୪ ମହାସଂଗ୍ରାମ ପାଇଁ ଖୁବଶୀଘ୍ର ପ୍ରଚାର ମୈଦାନରେ ହେବ ହେଭିୱେଟ୍ ଟକ୍କର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଆସନ୍ତା ୨୫ ତାରିଖ ଗସ୍ତ ପରେ ପରେ ଓଡ଼ିଶା ମୁହାଁ ହେବେ କେନ୍ଦ୍ରୀୟ ନେତା । ୨୮ ତାରିଖରେ କଂଗ୍ରେସ ନେତା ରାହୁଲ ଗାନ୍ଧି ସାଲେପୁର ଆସିବାକୁ ଥିବା ବେଳେ ତା’ ୪ ଦିନ ପୂର୍ବରୁ କିନ୍ତୁ ପ୍ରଚାର ଲଢ଼େଇକୁ ଡେଇଁବେ ସିଏମ୍ ନବୀନ । ଆସନ୍ତା ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନିଜ ପାରମ୍ପରିକ ସିଟ୍ ହିଞ୍ଜିଳିରୁ ପ୍ରଚାର ଅଭିଯାନ ଅନୁକୂଳ କରିବାର କାର୍ଯ୍ୟକ୍ରମ ରହିଛି ।

ଏପ୍ରିଲ ୨୪ରେ ନବୀନ, ୨୫ରେ ଶାହ, ୨୮ରେ ରାହୁଲ । ରାଜ୍ୟ ପ୍ରଚାର ମୈଦାନରେ ଖୁବଶୀଘ୍ର ଆରମ୍ଭ ହୋଇଯିବ ଘମାଘୋଟ ଲଢ଼େଇ । ପ୍ରତିଶ୍ରୁତିର ବର୍ଷା ସାଙ୍ଗକୁ ଚାଲିବ ପରସ୍ପର ବିରୋଧରେ ଆଟାକ୍ କାଉଣ୍ଟର ଆଟାକର ପର୍ବ । ୨୫ରେ ସରୁଛି ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ ।

କୁହାଯାଉଛି, ତା ପୂର୍ବରୁ ଅର୍ଥାତ୍ ୨୪ ତାରିଖରୁ ଚଳିତ ନିର୍ବାଚନରେ ପ୍ରଥମ ଥର ପାଇଁ ପ୍ରଚାରକୁ ଓହ୍ଲାଇବେ ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିଜ ପାରମ୍ପରିକ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଆରମ୍ଭ କରିବେ ପ୍ରଚାର ଅଭିଯାନ । ମୁଖ୍ୟମନ୍ତ୍ରୀ ହିଞ୍ଜିଳିରେ ଏକ ସମାବେଶକୁ ସମ୍ବୋଧନ କରିବା ସହ ଶେରଗଡ଼ରେ ବି ଏକ ଜନସଭାକୁ ଉଦବୋଧନ ଦେବାର କାର୍ଯ୍ୟକ୍ରମ ରହିଛି ।

ସେପଟେ ଅସ୍ତିତ୍ୱ ସଂକଟରେ ଥିବା ରାଜ୍ୟ କଂଗ୍ରେସର ପ୍ରଚାରରେ ଜୋସ୍ ଭରିବେ ଏଆଇସିସି ସଭାପତି ମଲ୍ଲିକାର୍ଜୁନ ଖଡ଼ଗେଙ୍କ ସହ ରାହୁଲ ଓ ପ୍ରିୟଙ୍କା । ୨୮ ତାରିଖରେ ରାହୁଲ ଗାନ୍ଧି ଓଡ଼ିଶା ଗସ୍ତରେ ଆସି ସାଲେପୁରରୁ ପ୍ରଚାର ଅଭିଯାନର ଶୁଭାରମ୍ଭ କରିବା ସହ ପୁଣି ମେ ପ୍ରଥମ ସପ୍ତାହରେ ବି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି ।

ସାଂସଦ ସପ୍ତଗିରି ଉଲ୍ଲାକାଙ୍କ ସୂଚନା ଅନୁଯାୟୀ, ରାହୁଲ ମେ ୩ ଓ ୪ ତାରିଖରେ ରାୟଗଡ଼ା ଗସ୍ତରେ ଆସିବାକୁ ଥିବା ବେଳେ ୮ ଓ ୯ ତାରିଖରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବାନ୍ତ ରେଡ୍ଡୀ ରାୟଗଡ଼ା ଓ ଜୟପୁରରେ ନିର୍ବାଚନୀ ରାଲିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସେହିପରି ଏହା ପରେ ପରେ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ବଲାଙ୍ଗିର ଓ ପ୍ରିୟଙ୍କା ଗାନ୍ଧି ନବରଙ୍ଗପୁର ଆସି ଦଳ ପ୍ରଚାରର ମଙ୍ଗ ଧରିବେ ବୋଲି ଦଳ ପକ୍ଷରୁ କୁହାଯାଇଛି ।

ଏପଟେ ଆସନ୍ତା ୨୫ ତାରିଖରେ ସୋନପୁରରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ନିର୍ବାଚନୀ ସଭା ପରେ ଓଡ଼ିଶା ମୁହାଁ ହେବେ ବିଜେପିର କେନ୍ଦ୍ରୀୟ ନେତା । ମେ ପ୍ରଥମ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଓଡ଼ିଶା ଗସ୍ତରେ ଆସି ପାରନ୍ତି । ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା, କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂଙ୍କ ଭଳି ବିଜେପିର ଷ୍ଟାର କ୍ୟାମ୍ପେନମାନେ ମଧ୍ୟ ଓଡ଼ିଶା ଆସି ପ୍ରଚାର ମୈଦାନକୁ ଓହ୍ଲାଇବେ ।

ମେ ୧୩ରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ୍ । ତେଣୁ ଏ ତାରିଖ ଯେତିକି ଯେତିକି ପାଖୋଉଛି ସେତିକି ସରଗରମ ହେବାରେ ଲାଗିଛି ପ୍ରଚାର ତାତି । ଆଗାମୀ କିଛି ଦିନରେ କେନ୍ଦ୍ରୀୟ ନେତାଙ୍କ ଘନ ଘନ ଗସ୍ତ ଏ ପ୍ରଚାର ତାତିକୁ ଆହୁରି ପ୍ରବଳ କରିବ ।