କଟକରେ ଶାହଙ୍କ ପରେ ଭୁବନେଶ୍ୱରରେ ନଡ୍ଡାଙ୍କ ରୋଡ୍‌ ସୋ’, ବାଲେଶ୍ୱରରେ ସଭା କରୁଛନ୍ତି ଓମ୍‌ ବିର୍ଲା

ସୁଭଦ୍ରା ଯୋଜନା ସମ୍ବନ୍ଧରେ ବୈଠକ କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ । ଆସନ୍ତାକାଲି ରାଜଧାନୀରେ ରୋଡ୍ ସୋ’ କରିବେ ନଡ୍ଡା ।

JP Nadda

ଭୁବନେଶ୍ୱରରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା । ରାତି ୭ଟା ୫୦ ମିନିଟରେ ଭୁବନେଶ୍ୱରର ଏକ ହୋଟେଲରେ ବିଜେପି ମହିଳା କାର୍ଯ୍ୟକର୍ତ୍ତା ମାନଙ୍କ ସହ ନଡ୍ଡାଙ୍କ ବୈଠକ ରହିଛି । ରାଜ୍ୟ ବିଜେପି ତାର ନିର୍ବାଚନୀ ଇସ୍ତାହାରରେ ଘୋଷଣା କରିଥିବା ସୁଭଦ୍ରା ଯୋଜନା ସମ୍ବନ୍ଧରେ ଏହି ବୈଠକ କରିବେ ନଡ୍ଡା । ଆସନ୍ତାକାଲି ରାଜଧାନୀରେ ରୋଡ୍ ସୋ’ କରିବେ । କାଲି ସକାଳେ ମାଉସୀ ମା' ମନ୍ଦିର ଠାରୁ ଲିଙ୍ଗରାଜ ମନ୍ଦିର ପର୍ଯ୍ୟନ୍ତ ରୋଡ୍ ସୋ’ କରିବେ। ପରେ ଅପରାହ୍ନରେ ବରଗଡ଼ ଜିଲ୍ଲାର ପଦ୍ମପୁର ଓ ସୁନ୍ଦରଗଡ଼ରେ ନିର୍ବାଚନୀ ସଭାକୁ ସମ୍ବୋଧିତ କରିବେ।

ଅନ୍ୟପଟେ ଓଡ଼ିଶାରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ମଧ୍ୟ ରହିଛନ୍ତି । ବାଲେଶ୍ୱରରେ ବିଜେପି କର୍ମକର୍ତ୍ତା ବୈଠକରେ ସେ ଯୋଗଦେବା ସହିତ ନିର୍ବାଚନ ନେଇ ଦଳୀୟ ନେତାଙ୍କ ସହ ଆଲୋଚନା କରିଛନ୍ତି । ଓଡ଼ିଶାରେ ଲୋକ ପରିବର୍ତ୍ତନ ଚାହୁଁଛନ୍ତି ଏବଂ ବିଜେପି ସରକାର ଆସୁ ବୋଲି ବାଲେଶ୍ୱରରେ ପହଞ୍ଚିବା ପରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ଓମ୍ ବିର୍ଲା ।

ଅଧିକ ପଢ଼ନ୍ତୁ: BJP ଆସିଲେ ଚିଟଫଣ୍ତ ଦୋଷୀ ଜେଲ୍ ଯିବେ: ଅମିତ୍ ଶାହ

ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶ ଆଗକୁ ବଢ଼ୁଛି । ଆଗାମୀ ଦିନରେ ଓଡ଼ିଶାରେ ବିକାଶର ପ୍ରବଳ ସମ୍ଭାବନା ରହିଛି ବୋଲି କହିଛନ୍ତି ବିର୍ଲା । ବାଲେଶ୍ୱର ପରେ ସମ୍ବଲପୁରର କ୍ଷେତରାଜପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଛନ୍ତି ଲୋକସଭା ବାଚସ୍ପତି ।

ତେବେ କଟକରେ ଆଜି ଥିଲା ଅମିତ ଶାହଙ୍କ ରୋଡ୍‌ ସୋ’ । ଏହି ରୋଡ୍‌ ସୋ’ରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଲେ ଶାହ । ଓଟିଭିକୁ ଏକ୍ସକ୍ଲୁସିଭ୍‌ ସାକ୍ଷାତକାର ଅବସରରେ ଶାହଙ୍କ ମନ୍ତବ୍ୟ । ଶ୍ରୀମନ୍ଦିର ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି ଅମିତ୍ ଶାହ । ବିଜେପି ସରକାର ଆସିବା କ୍ଷଣି ଶ୍ରୀମନ୍ଦିର ୪ ଦ୍ୱାର ଖୋଲାଯିବ ବୋଲି କହିଛନ୍ତି । ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବାର ୬ ଘଣ୍ଟା ମଧ୍ୟରେ ଖୋଲିବ ୪ ଦ୍ୱାର । ୧ ମାସ ମଧ୍ୟରେ ରତ୍ନଭଣ୍ଡାର ଯାଞ୍ଚ ରିପୋର୍ଟ ସାର୍ବଜନୀନ ହେବ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍ ଶାହ ।

ଏହା ସହ ଚିଟ୍‌ଫଣ୍ଡ ଦୁର୍ନୀତି ତଦନ୍ତ ହେବ, ଦୋଷୀ ନିଶ୍ଚିତ ଜେଲ୍‌ ଯିବେ କହିଲେ । ଚିଟ୍‌ଫଣ୍ଡ ତଦନ୍ତରେ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି । ଆମେ ଘୋଷଣା କରୁଛୁ, ସରକାରକୁ ଆସିଲେ ଟଙ୍କା ଫେରସ୍ତ ହେବ । ଦେଢ଼ ବର୍ଷ ଭିତରେ ସମସ୍ତ କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରସ୍ତ କରାଯିବ ବୋଲି କହିଛନ୍ତି ଶାହ । ଟଙ୍କା ଫେରସ୍ତ ସହ ଚିଟ୍‌ଫଣ୍ଡ ଘୋଟାଲାର ତଦନ୍ତ ମଧ୍ୟ କରାଯିବ ।

ଓଟିଭିକୁ ସାକ୍ଷାତକାର ଦେଇ ଅମିତ୍ ଶାହ କହିଛନ୍ତି, ଏଥିରେ ଯେଉଁମାନେ ବି ସଂପୃକ୍ତ ଥିବେ, ଜେଲ୍‌ ଯିବେ । ଓଡ଼ିଶାରେ ନିଶ୍ଚିତ ବିଜେପି ସରକାର ହେବ । ନିଶ୍ଚିତ ଭାବେ ବିଜେପି ମୁଖ୍ୟମନ୍ତ୍ରୀ ଶପଥ ନେବେ ବୋଲି କହିଲେ ଶାହ । ଏହା ସହ ଓଡ଼ିଶାରେ ଅଣଓଡ଼ିଆ ଅଫିସରଙ୍କ ଶାସନ ଚାଲିଛି ବୋଲି କହିଛନ୍ତି । ଓଡ଼ିଶାରେ ଏବେ ଓଡ଼ିଆ ଅସ୍ମିତା, ଓଡ଼ିଆ ସମ୍ମାନ ମୁଦ୍ଦା ହୋଇଛି ।

ଅଧିକ ପଢ଼ନ୍ତୁ: ‘BJP ସରକାର ଆସିଲେ ରତ୍ନଭଣ୍ଡାର ରିପୋର୍ଟ ସାମ୍ନାକୁ ଆଣିବ’