‘ଓଡ଼ିଶା ଗରିବ କିନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ଧନୀ ଆଉ ତାଙ୍କ ଦଳ BJD ବି ଧନୀ’

ଧନୀ ତାଲିକାରେ ୫୧୦ କୋଟି ସହ ୧ ନମ୍ବରରେ ଜଗନ ରେଡ୍ଡି  । ମମତା ବାନାର୍ଜୀଙ୍କ ସଂପତ୍ତି ମାତ୍ର ୧୫ ଲକ୍ଷ, ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ  ।

Naveen Patnaik

ଦେଶର ତୃତୀୟ ଧନୀ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବୀନ ପଟ୍ଟନାୟକ। ମୋଟ ସଂପତ୍ତି ହେଉଛି ୬୩ କୋଟି ୮୭ ଲକ୍ଷ । ଆସୋସିଏସନ୍ ଫର ଡେମୋକ୍ରାଟିକ ରିଫର୍ମସ ବା ଏଡିଆର୍ ରିପୋର୍ଟରୁ ମିଳିଛି ଏହି ତଥ୍ୟ । ନବୀନଙ୍କ ପାଖରେ ୨୩ ଲକ୍ଷ ୨୬ ହଜାର ୫୫୫ ଟଙ୍କାର ଅସ୍ଥାବର ଓ ୬୩ କୋଟି ୬୪ଲକ୍ଷ ୧୫ହଜାର ୨୬୧ ଟଙ୍କାର ସ୍ଥାବର ସମ୍ପତ୍ତି ରହିଛି । ସେହିପରି ନବୀନଙ୍କ ନାଁରେ କୌଣସି ଅପରାଧିକ ମାମଲା ନଥିବା ରିପୋର୍ଟରେ ଉଲ୍ଲେଖ ଅଛି । ପଡୋଶୀ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଧନୀ ମୁଖ୍ୟମନ୍ତ୍ରୀ ତାଲିକାର ଶୀର୍ଷରେ ଅଛନ୍ତି । ତାଙ୍କର ମୋଟ ସଂପତ୍ତି ୫୧୦ କୋଟି ୩୮ ଲକ୍ଷ ।

ଦ୍ୱିତୀୟ ସ୍ଥାନରେ ଅଛନ୍ତି ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ପେମା ଖଣ୍ଡୁ । ତାଙ୍କର ସଂପତ୍ତି ହେଲା ୧୬୩ କୋଟି ୫୦ଲକ୍ଷ । ଅନ୍ୟପଟେ ସବୁଠୁ ଗରିବ ମୁଖ୍ୟମନ୍ତ୍ରୀ ହେଉଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ମମତାଙ୍କ ମୋଟ ସଂପତ୍ତି ପରିମାଣ ମାତ୍ର ୧୫ ଲକ୍ଷ । ଏଡିଆର୍ ରିପୋର୍ଟ ଅନୁସାରେ ଦେଶର ୧୩ ଜଣ ମୁଖ୍ୟମନ୍ତ୍ରୀଙ୍କ ନାଁରେ କ୍ରିମିନାଲ କେସ୍ ଥିବା ବେଳେ 
ତେଲେଙ୍ଗାନାର ମୁଖ୍ୟମନ୍ତ୍ରୀ କେସିଆରଙ୍କ ନାଁରେ ଅଛି ସର୍ବାଧିକ ମାମଲା ।

ଏଡିଆର୍ ରିପୋର୍ଟକୁ ନେଇ ରାଜ୍ୟ ରାଜନୀତି ବି ସରଗରମ ହୋଇଛି। ବିଜେପି କହିଛି ଦାଦନ ଖଟିବାକୁ ଓଡିଶାରୁ ଲୋକେ ବାହାର ରାଜ୍ୟକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଧନୀ । ଦୁର୍ଭାଗ୍ୟର କଥା ହେଉଛି ମୁଖ୍ୟମନ୍ତ୍ରୀ ଓ ତାଙ୍କ ଦଳ ସବୁଥିରେ ଧନୀ କିନ୍ତୁ ଓଡ଼ିଶା ଗରିବ । ନବୀନଙ୍କ ନାଁରେ ଅପରାଧିକ ମାମଲା ନଥିବା ପ୍ରସଙ୍ଗରେ କଂଗ୍ରେସ ସିଧାସଳଖ ଟାର୍ଗେଟ 
କରିଛି । ମନ୍ତ୍ରୀ ନବ ଦାସ ହତ୍ୟା ମାମଲା, କିଡନାପ୍, ମର୍ଡର ଓ ଲୁଟ୍ ଭଳି ଘଟଣା ପ୍ରତିଦିନ ଘଟୁଥିବା ବେଳେ ସରକାର ଏହାକୁ ନିୟନ୍ତ୍ରଣ କରିବାରେ ବିଫଳ ବୋଲି ଦଳ ଅଭିଯୋଗ 
କରିଛି । କିଛି ଦିନ ତଳେ ପ୍ରକାଶିତ ଏଡିଆର୍ ରିପୋର୍ଟରୁ ଜଣାପଡ଼ିଥିଲା, ଯେ ଦେଶରେ ଆଞ୍ଚଳିକ ଦଳମାନଙ୍କ ଭିତରେ ବିଜୁ ଜନତା ଦଳ ଦ୍ୱିତୀୟ ଧନୀ ଦଳ ।

(ଭୁବନେଶ୍ୱରରୁ ଅର୍ଚ୍ଚନା ଶତପଥୀ, ହରିହର ଚାନ୍ଦ ଓ ଜଗଦୀଶ ଦାସଙ୍କ ରିପୋର୍ଟ, ଓଟିଭି)