ପୁଣି ନବୀନଙ୍କ ମାଷ୍ଟର ଷ୍ଟ୍ରୋକ୍; ୨୨ ବର୍ଷ ଶାସନରେ ପ୍ରଥମ ଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା

ମନ୍ତ୍ରିମଣ୍ଡଳ ନବକଳେବର ପୂର୍ବରୁ ୨୨ ବର୍ଷ ଶାସନରେ ପ୍ରଥମ ଥର ପାଇଁ ଇସ୍ତଫା ଦେଲେ ସବୁ ମନ୍ତ୍ରୀ, କାଲି ଲୋକସେବା ଭବନ କନ୍‌ଭେନ୍‌ସଲନ୍‌ ହଲ୍‌ରେ ଦିନ ୧୧ଟା ୪୫ରେ ନୂଆ ଟିମ୍‌ର ଶପଥଗ୍ରହଣ ।

Odisha cabinet reshuffle- All ministers submit resignation, new team to take oath on Sunday

ପାଓ୍ୱାର କରିଡରରେ ବଡ଼ ହଲ୍‌ଚଲ୍ ମନ୍ତ୍ରିମଣ୍ଡଳ । ନବକଳେବରର ମାର୍ଗ ପ୍ରଶସ୍ତ କରିବା ପାଇଁ ବଡ଼ ମାଷ୍ଟର ଷ୍ଟ୍ରୋକ୍ ଖେଳିଛନ୍ତି ନବୀନ । ୨୨ ବର୍ଷର ଶାସନକାଳରେ ପ୍ରଥମଥର ପାଇଁ ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ । ଏପରିକି ବାଚସ୍ପତି ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି ।

ଗତ ଏପ୍ରିଲ୍ ୧୧ ତାରିଖରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଓ୍ୱାଇଏସ୍ ଜଗନ୍‌ମୋହନ୍ ରେଡ୍ଡୀ ଯାହା କରିଥିଲେ ଓଡ଼ିଶାରେ ତାର ରିପିଟ୍ କରେଇଛନ୍ତି । ଓଡ଼ିଶା ଇତିହାସରେ ସର୍ବକାଳୀନ ଦୀର୍ଘ ସମୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମନ୍ତ୍ରିମଣ୍ଡଳ ଅଦଳବଦଳ ତ ହେବାର ଥିଲା ହେଲେ ଟିମ୍‌ର କେଉଁ ସଦସ୍ୟଙ୍କ ହାତ ଛାଡ଼ିବେ ? କାହା ହାତକୁ ଧରି ରଖିବେ ? ସେ ଦ୍ୱନ୍ଦ୍ୱ, ସମ୍ଭାବ୍ୟ ବିବାଦ ଓ ଅସନ୍ତୋଷକୁ ଏଡ଼ାଇବା ଏବଂ ୨୦୨୪ ନିର୍ବାଚନ ପୂର୍ବରୁ ନୂଆ ଟିମ୍ ସହ ସରକାରର ପରିବର୍ତ୍ତିତ ଚେହେରାକୁ ରାଜ୍ୟବାସୀଙ୍କ ସାମ୍ନାକୁ ଆଣିବା ପାଇଁ ଆଜି ସବୁ ମନ୍ତ୍ରୀଙ୍କ ଇସ୍ତଫା ଦିଆଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆସନ୍ତାକାଲି ଦିନ ୧୧ଟା ୪୫ରେ ନୂଆ ମନ୍ତ୍ରୀ ମଣ୍ଡଳର ଶପଥଗ୍ରହଣ ପାଇଁ ସମୟ ଧାର୍ଯ୍ୟ ହୋଇଛି ଲୋକସେବା ଭବନ କନ୍‌ଭେନ୍‌ସଲନ୍‌ ହଲ୍‌ରେ ଶପଥଗ୍ରହଣ ଉତ୍ସବର କାର୍ଯ୍ୟକ୍ରମ ରହିଛି ।

ତେବେ ମନ୍ତ୍ରିମଣ୍ଡଳ ଅଦଳବଦଳକୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ତ ଥିଲା, ହେଲେ ପଞ୍ଚମପାଳିର ତୃତୀୟ ବର୍ଷରେ କାହିଁକି? ୟାକୁ ନେଇ ଯେତିକି ଚର୍ଚ୍ଚା, ପ୍ରଥମ ଥର ପାଇଁ ଆମୂଳଚୂଳ ପୂରା ଟିମ୍ ପରିବର୍ତ୍ତନ ନିଷ୍ପତ୍ତି ପଛର କାରଣକୁ ନେଇ ବି ପାଓ୍ୱାର କରିଡରରେ ହଲ୍‌ଚଲ୍‌ । ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ସଫଳତା ସହ ପଞ୍ଚମ ପାଳିରେ ଦଳ ସାମ୍ନା କରିଥିବା ସବୁ ଉପନିର୍ବାଚନ ଏପରିକି ସଦ୍ୟ ସମାପ୍ତ ବ୍ରଜରାଜନଗର ଉପନିର୍ବାଚନରେ ସଂପୂର୍ଣ୍ଣ ଏକପାଖିଆ ବିଜୟ ହାସଲ କରିଛି ବିଜେଡି । ଏଥିସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ପ୍ରଥମରୁ ବ୍ୟାକ୍‌ଫୁଟ୍‌ରେ ଥିବା ସରକାରଙ୍କୁ ସୁପ୍ରିମ୍‌କୋର୍ଟରୁ ବଡ଼ ବିଜୟ ବି ମିଳିଛି । ତେଣୁ କୁହାଯାଉଛି, ଏଭଳି ସ୍ଥିତିରେ ୨୪ ନିର୍ବାଚନ ପୂର୍ବରୁ ସରକାରର ନବ କଳେବର ପାଇଁ ଏହାକୁ ହିଁ ମନ୍ତ୍ରିମଣ୍ଡଳର ପ୍ରକୃଷ୍ଟ ସମୟ ।

ସେହିପରି କିଛି ସିଲେଡେ୍ ମନ୍ତ୍ରୀଙ୍କୁ ବାଦ୍ ଦିଆଗଲେ, ଅସନ୍ତୋଷ ଓ ଅନ୍ତଃକନ୍ଦଳ ବଢ଼ିବା ଆଶଙ୍କାରେ ଏକାଥରେ ସବୁ ମନ୍ତ୍ରୀଙ୍କ ଇସ୍ତଫା କରାଯାଇଛି । ଏହାସହ ସବୁ ମନ୍ତ୍ରୀଙ୍କୁ ଇସ୍ତଫା ଦିଆଇ କ୍ଷମତା କେନ୍ଦ୍ରରେ ଥିବା ଗୋଷ୍ଠୀ ମଧ୍ୟ ନିଜ ବର୍ଚସ୍ୱ ଜାହିର ସହ ଦଳ ଭିତରେ ଏକ ସ୍ପଷ୍ଟ ବାର୍ତ୍ତା ଦେବାକୁ ଚାହୁଁଥିବା କୁହାଯାଉଛି । ତେବେ ଆଗକୁ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ତାର ଯଥେଷ୍ଟ ପୂର୍ବରୁ ମନ୍ତ୍ରିମଣ୍ଡଳ ଅଦଳବଦଳ ସହ କେବଳ ସରକାର ନୁହେଁ, ଦଳୀୟ ସଂଗଠନ ଓ ପ୍ରଶାସନକୁ ମଧ୍ୟ ନୂଆ ରୂପ ଦେବା ପାଇଁ ବି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।