ଆସୁଛି ପଞ୍ଚାୟତ ନିର୍ବାଚନ, ଭୋଟରଙ୍କୁ ହାତେଇବାକୁ ଥୋପ ପରେ ଥୋପ

୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ଣପୁର, ରାଉରକେଲା ଓ ସମ୍ବଲପୁରରେ ଲାଗୁ ହେବାକୁ ଥିବା ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯିବ ।

Odisha Scheme

କ୍ୟାବିନେଟ୍ ପରେ କ୍ୟାବିନେଟ୍ । ଘୋଷଣା ପରେ ଘୋଷଣା । ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ସ୍କିମ ପରେ ସ୍କିମ ଆଣୁଛନ୍ତି ରାଜ୍ୟ ସରକାର । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଆଜି ୯ଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି ରାଜ୍ୟ କ୍ୟାବିନେଟ୍ । ଫୋକସରେ ରହିଛି ଜାଗା ମିଶନ୍, ଶିକ୍ଷକ ଓ ଅଧ୍ୟାପକଙ୍କ ଲାଗି ସପ୍ତମ ବେତନ କମିଶନ୍ ଲାଗୁ ନିଷ୍ପତ୍ତି ।

୫ ମହାନଗର ନିଗମ ଭୁବନେଶ୍ୱର, କଟକ, ବ୍ରହ୍ଣପୁର, ରାଉରକେଲା ଓ ସମ୍ବଲପୁରରେ ଲାଗୁ ହେବାକୁ ଥିବା ଜାଗା ମିଶନ ଜରିଆରେ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ପ୍ରଦାନ କରାଯିବ । ଏହାଦ୍ୱାରା ବସ୍ତି ବାସିନ୍ଦା ନିଜସ୍ୱ ଘର ତିଆରି କରିପାରିବେ । ନିଜ ନାଁରେ ଜମି ନଥିବାରୁ ଏମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ବି ବଞ୍ଚିତ ହେଉଥିଲେ । ଏହି ଯୋଜନା ଦ୍ୱାରା ୯୩୮ଟି ବସ୍ତିର ୮ଲକ୍ଷ ୫୮ ହାଜର ଲୋକ ଉପକୃତ ହେବେ । ପୂର୍ବରୁ ୧୦୯ ପୌରପାଳିକାରେ ଜାଗା ମିଶନ୍ ଲାଗୁ ହୋଇଥିଲା । ଏଥିରେ ୧ଲକ୍ଷ ୭୫ ପରିବାରକୁ ଜମିପଟ୍ଟା ମିଳିଥିଲା ।

ସେପଟେ ଅନୁଦାନ ପ୍ରାପ୍ତ ସ୍କୁଲ ଓ କଲେଜର ଶିକ୍ଷକ, ଅଧ୍ୟାପକ ଓ କର୍ମଚାରୀଙ୍କ ପାଇଁ ଲାଗୁ ହେବ ସପ୍ତମ ବେତନ କମିଶନ୍ । ଫଳରେ ୨୬ ହଜାର ଶିକ୍ଷକ ଓ କର୍ମଚାରୀ ଓ ୧୫ ହଜାର ଅଧ୍ୟାପକ ଓ କର୍ମଚାରୀ ଉପକୃତ ହେବେ । ଏଥିପାଇଁ ସରକାରଙ୍କ ଉପରେ ବାର୍ଷିକ ୧୬୬ କୋଟି ଟଙ୍କାର ଆର୍ଥିକ ବୋଝ ପଡିବ ।

ଗ୍ରାମଞ୍ଚଳରୁ ସହାରାଞ୍ଚଳ ପର୍ଯ୍ୟନ୍ତ ସବୁ ବର୍ଗର ଭୋଟରକୁ ଆଖିରେ ରଖି ରାଜ୍ୟ ସରକାର ସ୍କିମ ଘୋଷଣା କରୁଥିବା କୁହାଯାଉଛି । ଗତ କିଛି ଦିନ ଭିତରେ BSKY କାର୍ଡ ବଣ୍ଟନ, ସ୍ମାର୍ଟ ସ୍କୁଲ, SHG ଗୁଡିକୁ ଆର୍ଥିକ ସହାୟତା, ଘର ମରାମତି ବାବଦକୁ ଟଙ୍କା, ଖାଦ୍ୟ ସୁରକ୍ଷା ହିତାଧୀକାରୀ ଓ ଖବରକାଗଜ ବିତରକଙ୍କୁ ଆର୍ଥିକ ସହାୟତା, ଶିକ୍ଷକ ନିଯୁକ୍ତି, କେନ୍ଦ୍ରାପଡ଼ାରେ ବୃହତ ଷ୍ଟିଲ୍ ପ୍ଲାଣ୍ଟ ସହ ବାତ୍ୟା ଜଓ୍ୱାଦ କ୍ଷତିଗ୍ରସ୍ତଙ୍କ ଲାଗି ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ଜିଲ୍ଲାକୁ ଜିଲ୍ଲା ବୁଲି ନବୀନ ଭିତ୍ତିପ୍ରସ୍ତର ଓ ଉଦ୍‌ଘାଟନ କାର୍ଯ୍ୟକ୍ରମ ବି ଜାରି ରଖିଛନ୍ତି । ପଞ୍ଚାୟତ ଓ ପୌର ନିର୍ବାଚନରେ ଭୋଟ ହାତେଇବାକୁ ଏହା ସରକାରଙ୍କ ଭେଳିକି ବୋଲି ଅଭିଯୋଗ କରିଛନ୍ତି ବିରୋଧୀ । ତେବେ ଏନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।

୨୦୧୭ ଜିଲ୍ଲା ପରିଷଦ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରନଥିଲା । ହେଲେ ୨୦୧୯ ସାଧାରଣ ନିର୍ବାଚନରେ ବିଜେଡିକୁ ସଫଳତା ମିଳିଥିଲେ ବି ପୌରାଞ୍ଚଳରେ ବିଜେପିକୁ ଭଲ ଭୋଟ୍ ମିଳିଥିଲା । ତେଣୁ କାଳେ ଭୋଟର ହାତରୁ ଖସି ଯିବେ ତାକୁ ନେଇ ବିଜେଡି ତତ୍ପର ହୋଇଥିବା କୁହାଯାଉଛି ।